ବାଣପୁର ଧୂଆଁନଳୀ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ କାଠ ଚୋରି ଉଦ୍ୟମ ବିଫଳ, ଦୁଇ ଗିରଫ

Published: Jul 30, 2020, 5:32 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଅନ୍ତର୍ଗତ ଧୂଆଁନଳୀ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ କାଠ ଚୋରି ଉଦ୍ୟମ ବିଫଳ ହୋଇଛି। ଏହି ଘଟଣାରେ ଦୁଇ ଶାଗୁଆନ ଚୋରକୁ ବାଲୁଗାଁ ଜଙ୍ଗଲ ବିଭାଗ କର୍ମଚାରୀ ଗିରଫ କରିଛନ୍ତି।

ଗତକାଲି ରାତିରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲୁଗାଁ ରେଞ୍ଜର ଶ୍ରୀ ଉତ୍ତମ ଗଡ଼ନାୟକ ବାଣପୁର ଧୂଆଁନଳୀ ସେକ୍ସନର ବନ କର୍ମଚାରୀଙ୍କ ସହଯୋଗରେ ତାମଣl ସରଂକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ ୧୩ ଅଞ୍ଚଳରେ ଚଢ଼ାଉ କରି ଦୁଇ ଜଣ ଶାଗୁଆନ କାଠ ଚୋରକୁ ଦୁଇ ବଡ଼ ଶାଗୁଆନ କାଠ ଗଣ୍ଡି ସହ ଗିରଫ କରିଛନ୍ତି।

ସେମାନେ ଚୋରାରେ ସରଂକ୍ଷିତ ଜଙ୍ଗଲ ଭିତରେ ଶାଗୁଆନ କାଠ କାଟୁଥିବା ବେଳେ ଧରା ପଡ଼ିଥିବା ବେଳେ ଅନ୍ୟ ୫ ଜଣ ରାତ୍ରିର ସୁଯୋଗ ନେଇ ଖସି ପଳାଇଛନ୍ତି। ଗିରଫ ଦୁଇଜଣ ହେଲେ ପ୍ରସନ୍ନ ଘଡେଇ(୪୨) ଏବଂ କିଶୋର ବେହେରା(୩୩)। ଉଭୟଙ୍କ ଘର ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଳଗାଁ ଗ୍ରାମ। ଉଭୟଙ୍କୁ ଓଡିଶା ଜଙ୍ଗଲ ଅଧିନିୟମ, ୧୯୭୨ ଅନୁଯାୟୀ କେସ ନମ୍ବର ୧୩(ଖ)/୨୦୨୦-୨୦୨୧ ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ରେଞ୍ଜର ଶ୍ରୀ ଗଡ଼ନାୟକ ସୂଚନା ଦେଇଛନ୍ତି।

ସୂଚନାଥାଉ କି ଅନୁରୂପ ଭାବେ କିଛିଦିନ ତଳେ ବାଣପୁର ମୁକ୍ତାଦେଇପୁର ଅନ୍ତର୍ଗତ ଝରଣା ଜଙ୍ଗଲରୁ ଦଶ ଗୋଟି ଶାଗୁଆନ ଗଛ ସହ ଜଣେ ଅଭିଯୁକ୍ତଙ୍କୁ ଗ୍ରାମବାସୀ କାବୁ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ।

Related posts