ଜମ୍ମୁକାଶ୍ମୀରରେ ଆତଙ୍କୀ ହମ୍‌ଲା : 2 ଯବାନ ଶହୀଦ୍‌

Published: Aug 14, 2020, 11:17 am IST

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କୀ ମାନେ ସୁରକ୍ଷାବଳ ଉପରକୁ ହମଲା କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି। ଶୁକ୍ରବାର ସକାଳେ ପୋଲିସର ପ୍ୟାଟ୍ରୋଲିଂ ଟିମ୍ ଉପରକୁ ଏହି ଆକ୍ରମଣ କରାଯାଇଥିଲା । ଶ୍ରୀନଗର ଜିଲ୍ଲାର ନୌଗାମ୍ ବାଇପାସରେ ଏହି ଆକ୍ରମଣ ଘଟିବା ସହିତ 2 ପୋଲିସ ଅଧିକାରୀ ଶହୀଦ ହୋଇଛନ୍ତି । ଏହି ଆତଙ୍କୀ ଆକ୍ରମଣ ପଛରେ ଜୈସ୍‌-ଏ-ମହମ୍ମଦର ହାତ ରହିଥିବାର ସୂଚନା ରହିଛି ।

ସୁରକ୍ଷାବଳ ଲଗାତାର ଭାବରେ ଆତଙ୍କୀଙ୍କୁ ଖୋଜି ଖୋଜି ଟାର୍ଗେଟ କରୁଥିବାବେଳେ ନିକଟରେ ଫୁଲଓ୍ବାମା ଜିଲ୍‌ଲାର ସେବ ବାଗାନ୍‌ରେ ଛପି ଥିବା ଆତଙ୍କୀଙ୍କ ସହ ସୁରକ୍ଷା ବଳ ମୁହାଁମୁହିଁ ହୋଇଥିଲେ । ଏହି ଆକ୍ରମଣରେ ଆଜାଦ ଅହମ୍ମଦ ଲୋନ ନାମକ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଏହି ଘଟଣାରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିଲେ । ଗୁରୁବାର ଆତଙ୍କୀଙ୍କ 3ଟି ଠିକଣାସ୍ଥାନକୁ ଠାବ କରିବା ସହିତ ବିପୁଳ ବିସ୍ଫୋରକ ଜବତ କରିଥିଲା ଭାରତୀୟ ସେନା ।

ଗତ କିଛି ଦିନ ଜମ୍ମୁକାଶ୍ମୀରରେ ନେତାମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି ଆତଙ୍କୀମାନେ। ଗୋଟିଏ ମାସ ଭିତରେ ବିଜେପିର କିଛି ନେତାଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀମାନେ । ଏହା ପରେ କିଛି ନେତାମାନେ ଦଳ ଛାଡିଥିବାର ଜଣାପଡିଛି। ଏବେ ଘାଟି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । (ଏଜେନ୍ସି)

Related posts