ଭିଜିଲାନସ ଜାଲ୍‌ରେ ସପ୍ଲାଇ ଇନିସ୍‌ପେକ୍ଟର

Published: Aug 24, 2020, 10:33 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଲାଞ୍ଚ ନେଇ ଭିଜିଲାନସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଅଂଚଳର ତଥା ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ସପ୍ଲାଇ ଇନିସ୍‌ପେକ୍ଟ ଭାବେ କାର୍ଯ୍ୟରତ ସବ୍ୟସାଚୀ ମହାପାତ୍ର। ଜନୈକ ବ୍ୟକ୍ତିଙ୍କ ପିଡ଼ିଏସ୍ ଚାଉଳ ଗମନାଗମନ ବିଲ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନସ ହାତରେ ପଡ଼ିଛନ୍ତି।

ଘଟଣାରୁ ପ୍ରକାଶ ଯେ ଗଂଜାମ ଜିଲ୍ଲା ଧରାକୋଟ ଥାନା ଜାହାଡ଼ା ଗ୍ରାମର ଶବ ପୋଲାଇ ପିଡ଼ିଏସ୍ ଚାଉଳ ନିଜ ଗାଡ଼ିରେ ଯୋଗାଉଥିବାବେଳେ ଏହା ବାବଦକୁ ବହୁ ଟଙ୍କା ବକେୟା ଥିଲା। ଏହି ବିଲ୍ ପାସ୍ ପାଇଁ ସେ ସପ୍ଲାଇ ଇନିସ୍‌ପେକ୍ଟର ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିଥିବାବେଳେ ସବ୍ୟସାଚୀ ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଶିବ ପୋଲାଇ ବ୍ରହ୍ମପୁର ଭିଜିଲାନସ ବିଭାଗରେ ଅଭିଯୋଗ କରିବା ପରେ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଭିଜିଲାନସ ବିଭାଗ ଜାଲ ବିଛାଇଥିଲା।

ଆଜି ଦାବି ମୁତାବକ ୧୦ ହଜାର ଟଙ୍କା ଧରି ସବ୍ୟସାଚୀଙ୍କ ସରକାରୀ କ୍ୱାଟରକୁ ଶିବ ଯାଇଥିଲେ ଏବଂ ସେଠାରେ କ୍ୟାମିକେଲ ବୋଳା ଟଙ୍କାଙ୍କୁ ପ୍ରଦାନ କରିଥିଲେ। ସବ୍ୟସାଚୀ ଉକ୍ତ ଟଙ୍କାକୁ ନିଜ ଡ଼ାହାଣ ହାତରେ ଗଣି ମନି ପର୍ସରେ ରଖିବା ପରେ ତୁରନ୍ତ ଭିଜିଲାନସ ଅଧିକାରୀମାନେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ପରୀକ୍ଷା କରିଥିଲେ। ପରେ ତାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏନେଇ ଭିଜିଲାସନ କେସ ନଂ ୧୨/୨୦ରେ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Related posts