ନାଭାଲ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା : ଚିଲିକା ନିର୍ବାଚନମଣ୍ଡଳୀର ଯୁବ ବିଜେପି ନେତାଙ୍କ ମୃତ୍ୟୁ 

Published: Sep 12, 2020, 10:01 am IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଛକ ଛତ୍ରଗଡ ନିକଟସ୍ଥ ଜାତୀୟ ରାଜପଥରେ  ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଅଛି ଯେଉଁଥିରେ ପ୍ରାଣ ହରାଇଛନ୍ତି ଚିଲିକା ନିର୍ବାଚନମଣ୍ଡଳୀର  ଯୁବ ବିଜେପି ନେତା ଅଶୋକ କୁମାର ସ୍ୱାଇଁ(୪୪)। ମିଳିଥିବା ସୂଚନା ଅନୁଯାୟୀ ବଡକୁଳ ପାନ୍ଥନିବାସ ରୋଡ଼ରେ ରହୁଥିବା ବଡ଼କୁଳ ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ଅଶୋକ ସ୍ୱାଇଁଙ୍କର ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ ବନ୍ଧୁ ଗତକାଲି ରାତିରେ ନିଜ ଗାଡ଼ିରେ ଭୁବନେଶ୍ୱରରୁ କାମ ସାରି ଘରକୁ ଫେରୁଥିବା ବେଳେ ପ୍ରାୟ ଦଶ ଘଟିକାରେ ତାଙ୍କ ଗାଡିଟି ନାଭଲ ଛକ ନିକଟସ୍ଥ ଛତ୍ରଗଡ ଠାରେ ଖରାପ ହୋଇଯାଇଥିଲା । ଏହାପରେ ସେ ତାଙ୍କ ବନ୍ଧୁ ଅଶୋକଙ୍କୁ ଏ ବିଷୟ  ନେଇ ଯୋଗାଯୋଗ କରିବା ସହ ସହଯୋଗ ଲୋଡ଼ିଥିଲେ। ଅଶୋକ ଖରାପ ହୋଇଯାଇଥିବା ଗାଡିର  ମରାମତି ପାଇଁ ତାକୁ ଗ୍ୟାରେଜକୁ ସ୍ଥାନାନ୍ତରିତ କରିବା  ଉଦେଶ୍ୟରେ ନିଜ ବାଇକ ସାଥିରେ ଆଉ ଏକ ଚାରିଚକିଆ ଗାଡି ସହାୟତା ଉଦ୍ଦେଶ୍ୟରେ ନେଇକି ଯାଇଥିଲେ। ଉକ୍ତ ସମୟରେ ଜାତୀୟ ରାଜପଥରେ ଯାଉଥିବା ଆଉ ଜଣେ ଗାଡି ଚାଳକ ମଧ୍ୟ ଅଶୋକଙ୍କ ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ଅଟକିଥିଲେ। ସେହି ସମୟରେ ହଠାତ କ୍ଷିପ୍ର ଗତିରେ ଆସୁଥିବା ଏକ ଆନ୍ଧ୍ରା ଟ୍ରକ ଖରାପ ହୋଇଯାଇଥିବା ଗାଡିକୁ ପଛପଟେ ଜୋରରେ ଧକା ଦେଇଥିଲା ଯାହା ଫଳରେ ସେଇ ଗାଡିର ଆଗକୁ ଆଗକୁ ଥିବା ଅନ୍ୟ ଦୁଇ ଗାଡି ଏବଂ ବାଇକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଉକ୍ତ ସମୟରେ ଅଶୋକ ମଧ୍ୟ ଗାଡି ପାର୍ଶ୍ୱରେ ଠିଆ ହୋଇଥିଲେ ଯାହା ଫଳରେ ଟ୍ରକଟି ଅଶୋକକୁ ପଛପଟୁ ଧକା ଦେଇ ଫେରାର ହୋଇଯାଇଥିଲା। ଅଶୋକଙ୍କ ମସ୍ତିଷ୍କର ପଛଭାଗରେ ଗଭୀର ଆଘାତ ଲାଗିବାରୁ ସେ  ଘଟଣାସ୍ଥଳରେ ତଳେ ପଡିଯାଇଥିଲେ l ସଙ୍ଗେ ସଙ୍ଗେ ଖବର ପାଇଁ ଘଟଣାସ୍ଥଳରେ  ୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଦିଲୀପ ମହାନ୍ତି, ଡୁଙ୍ଗମାଳ ସରପଞ୍ଚଙ୍କ ପ୍ରତିନିଧି ରବୀନ୍ଦ୍ର ସେଠି ଏବଂ ଅନ୍ୟମାନେ ଅଶୋକଙ୍କୁ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ  ଡାକ୍ତର ତାଙ୍କୁ ସଙ୍ଗେ ସଙ୍ଗେ  ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଦେଇଥିଲେ । ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ଆଜି ସକାଳେ ଶବ ବ୍ୟବଛେଦ ପରେ ତାଙ୍କ ମର ଶରୀରକୁ ସ୍ଥାନୀୟ ବାସଭବନକୁ ଅଣାଯିବ ବୋଲି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଏହା ସହ ଅଶୋକଙ୍କ ବନ୍ଧୁ ମଧ୍ୟ ଆହତ ହୋଇ ଚିକିତ୍ସତ ହେଉଛନ୍ତି । ହେଲେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଗୁରାପଲି ଟୋଲ ଗେଟ ନିକଟରୁ ବାଲୁଗାଁ ପୋଲିସ ଜବତ କରିଥିବାସ୍ଥଳେ ଡ୍ରାଇଭର ଫେରାର ହୋଇଯାଇଥିବାର ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବାଲୁଗାଁ ଆଇ. ଆଇ.ସି ରମାକାନ୍ତ ମାହାଲିକ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି ।

Related posts