ଭେଣ୍ଟିଲେଟର ନ ମିଳିବାରୁ ନବଜାତର ମୃତ୍ୟୁ, ରାଗରେ ନର୍ସକୁ ବନ୍ଦୀ କଲେ ପରିବାର ଲୋକେ

Published: Sep 19, 2020, 10:44 am IST

ନୂଆଦିଲ୍ଳୀ : ଦିଲ୍ଲୀର ମଦନ ମୋହନ ହସ୍ପିଟାଲରେ ଅକ୍ସିଜେନ୍‌ ନ ମିଳିବାରୁ ନବଜାତ ଶିଶୁରୁ ମୃତ୍ୟୁ ହେବା ପରେ ଶିଶୁଟିର ସମ୍ପର୍କୀୟମାନେ ସେହି ହସ୍ପିଟାଲର ନର୍ସକୁ ବନ୍ଧକ ରଖିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଉକ୍ତ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁକୁଜନ୍ମ ଦେଇଥିଲେ ।  ଜନ୍ମ ହେବା ପରେ ଶିଶୁଟିକୁ ଅକ୍ସିଜେନ୍‌ର ଆବଶ୍ୟକତା ରହିଥିଲା ।  କିନ୍ତୁ ହସ୍ପିଟାଲରେ ଶିଶୁଙ୍କ ପାଇଁ ଆଇସିୟୁ ନଥିବାରୁ ଆମ୍ବୁଲାନ୍ସ ଯୋଗେ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ପହଞ୍ଚିବାରୁ ନବଜାତର ମୃତ୍ୟୁ ହୋଇଥିଲା । ଏହାପରେ ନବଜାତର ପରିବାର ଲୋକେ ହସ୍ପିଟାଲକୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି । ହସ୍ପିଟାଲର ଦାୟିତ୍ବହୀନତା ପାଇଁ ନବଜାତର ମୃତ୍ୟୁ ହୋଇଥିବା ଯୋଗୁଁ ରାଗରେ ସେହି ହସ୍ପିଟାଲର ଜଣେ ନର୍ସକୁ ତିନି ଘଣ୍‌ଟା ବନ୍ଦୀ କରି ରଖିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ନାଟକ ଚାଲିଥିବାବେଳେ ଏହି ଘଟଣା ପାଇଁ ମଦନ ମୋହନ ମାଲବୀୟ ହସ୍ପିଟାଲ ଅଭିଯୋଗ କରିଛି ଯେ, ଦିଲ୍ଲୀ ପୋଲିସ୍‌ ସମୟ ପୂର୍ବରୁ ସାହାଯ୍ୟ ନ କରିବାରୁ ଏପରି ଏକ ଅଭାବନୀୟ ଘଟଣା ଘଟିଛି।

ଅପରପକ୍ଷରେ ଏହି ଘଟଣାକୁ ନେଇ ବିଧାୟକ ସୋମନାଥ ଭାରତୀୟ କହିଛନ୍ତି ଯେ, ମଦନ ମୋହନ ହସ୍ପିଟାଲରେ ଭେଣ୍ଟିଲେଟର ଓ ଆଇସିୟୁ ନଥିବାରୁ ଏପରି ଅଘଟଣ ଘଟିଛି । ଯଦିଓ ଏହି ହସ୍ପିଟାଲକୁ ବହୁ ପ୍ରସୂତୀ ଆସୁଛନ୍ତି କିନ୍ତୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ସୁବିଧା ନାହିଁ । ଅପରପକ୍ଷରେ ଦିଲ୍ଲୀ ସରକାରଙ୍କ ପ୍ରତିନିଧି କହିଛନ୍ତି ଯେ, ଏହି ହସ୍ପିଟାଲରେ ଅକ୍ସିଜେନର ପାଇପ ଲାଇନ୍‌ କାମ ବହୁ ଦିନରୁ ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ । ତେବେ 2020 ଶେଷ ସୁଦ୍ଧା ଏହି ହସ୍ପିଟାଲରେ ଭେଣ୍ଟିଲେଟର ସୁବିଧା ସହ ଆଇସିୟରୁ ବ୍ୟବସ୍ଥା ହୋଇଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । (ଏଜେନ୍ସି)

Related posts