ନାଚୁଣୀ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା: ବାଇକ ଚାଳକ ଗୁରୁତୁର

Published: Sep 23, 2020, 11:01 am IST

ସୀତାରାମ ଅଗ୍ରୱାଲ

ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ଅଛି।

ମିଳିଥିବା ସୂଚନା ଅନୁଯାୟୀ ମୋରାମୋରି ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ରବି ବରାଳଙ୍କ ପୁତ୍ର ପୂର୍ଣଚନ୍ଦ୍ର ବରାଳ(୩୧) ଗତକାଲି ରାତି ୧୧.୩୦ ମିନିଟରେ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରୁ ଖାଦ୍ୟ ଖାଇ ବାଲୁଗାଁ ବାଇପାସ ଅଭିମୁଖେ ନିଜ ବାଇକ(ଓ ଆର ୦୨ ବି.ଡ଼ି ୮୨୧୩) ଯୋଗେ ଯାଉଥିଲେ। କିଛି ବାଟ ଗଲାପରେ କହ୍ନେଇପୁର ଛକ ନିକଟରେ ପୂର୍ଣଚନ୍ଦ୍ର ଭାରସାମ୍ୟ ହରାଇ ବାଇକକୁ ଏକ କିଆ ବୁଦାମୂଳ ଭିତରେ ଭର୍ତ୍ତି କରିଦେଇଥିଲେ। ଯାହା ଫଳରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ସେ ରାଜାରାସ୍ତା ଉପରେ ସଂଜ୍ଞାହିନ ହୋଇ ପଡିରହିଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା ସହ ନାକ ଫାଟି ପ୍ରଚୁର ରକ୍ତସ୍ରାବ ହେଉଥିଲା। ଏହାଦେଖି କିଛି ବ୍ୟକ୍ତି ତୁରନ୍ତ ନାଚୁଣୀ ଫାଣ୍ଡିକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ପହଁଚି ଆହତଙ୍କୁ ଉଦ୍ଧାର କରିବା ପାଇଁ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଡ଼କାଇଥିଲେ।  ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ନିଜ ଟିମ ସହ ଘଟଣାସ୍ଥଳରେ ପହଁଚି ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଥିଲେ। ହେଲେ କ୍ୟାପିଟାଲ ହସ୍ପିଟାଲରେ ଆଇ.ସି.ୟୁ ବେଡ଼ ଖାଲି ନଥିବାରୁ ପୂର୍ଣ୍ଣଙ୍କ ପରିବାର ବହୁ ଘରୋଇ ହସ୍ପିଟାଲକୁ ରାତି ଯାକ ଦୌଡ଼ି ଦୌଡ଼ି ଶେଷରେ ସହିଦନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପୂର୍ଣ୍ଣଙ୍କୁ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାର ସୂଚନା ମିଳିଛି।

Related posts