ପୂର୍ବ ଶତ୍ରୁତାକୁ ନେଇ ନାବାଳିକାକୁ ଗଳା କାଟି ହତ୍ୟା ଉଦ୍ୟମ, ଅଭିଯୁକ୍ତ କୋର୍ଟଚାଲାଣ

Published: Sep 27, 2020, 11:10 am IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାପାଇଁ ଜଣେ ୫ ବର୍ଷର ଶିଶୁର ଗଳାକାଟି ହତ୍ୟା ଉଦ୍ୟମ ହୋଇଥିବା ଜୁନାଗଡ ଥାନାରେ ଅଭିଯୋଗ ହୋଇଛି ।

ଘଟଣାରୁ ପ୍ରକାଶ ଯେ, ଜୁନାଗଡ ଥାନାର ମାଳଗୁଣ୍ଡ ଗ୍ରାମର ଦଶରଥ ରଣା ଓ ତାଙ୍କ ସ୍ତ୍ରୀ ଲଳିତା ରଣାଙ୍କ ସହିତ ସେହି ଗ୍ରାମର ରାମଲାଲ ରଣାଙ୍କର ପୂର୍ବ ଶତ୍ରୁତା ଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ ଦଶରଥ ରଣାଙ୍କ ୫ବର୍ଷୀୟ ଝୀଅ ହେମାଙ୍ଗୀନି ନିଜ ଘର ନିକଟରେ ଖେଳୁଥିଲେ । ସୁଯୋଗ ଦେଖି ରାମଲାଲ  ସେଠାକୁ ଯାଇ ଝିଅ ହେମାଙ୍ଗୀନିକୁ ପାଖକୁ ଡାକି ଧାରୁଆ ଛୁରୀରେ ତାର ବେକକୁ କାଟି ଦେଇଥିଲା । ଝିଅଟି ଚିତ୍କାର କରିବାରୁ ରାମଲାଲ ସେଠାରୁ ଫେରାର ହୋଇଯାଇଥିଲା ।

ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅଟିକୁ ପ୍ରଥମେ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରିବାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭବାନୀପାଟଣା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏନେଇ ପରିବାର ପକ୍ଷରୁ ଜୁନାଗଡ ଥାନାରେ ଏତଲା ଦେବାପରେ ଜୁନାଗଡ ଥାନା କେଶ ନଂ.୨୭୦/୨୦୨୦ ଦଫା ୩୨୬,୩୦୭ ରେ ଏକ ମାମଲା ରୁଜୁ କରାଯାଇ ଅନୁସନ୍ଧାନ କରାଯାଉଥିବା ଜୁନାଗଡ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ରାମଲାଲ ରଣାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Related posts