ବର୍ଷା ବିତ୍ପାତ : ହାଇଦ୍ରାବାଦ-ତେଲେଙ୍ଗାନାରେ 30 ମୃତ, ମୁମ୍ବାଇ-ପୁଣରେ ବି ପ୍ରବଳ ବର୍ଷା

Published: Oct 15, 2020, 11:47 am IST

ମୁମ୍ବାଇ :  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ସମେତ କେତେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ 30 ଲୋକଙ୍କର ମୃତ୍ୟୁ ଘଟିଲାଣି। ଏଥିମଧ୍ୟରୁ କେବଳ 15 ଜଣ କେବଳ ହାଇଦ୍ରାବାଦର। ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିଥିବା ବେଳେ ସାରା ରାତି ବର୍ଷା ହେବାରୁ ଏକ ପାଚେରୀ ଭାଙ୍ଗି ପଡ଼ିଥିଲା। ଏହି ପାଚେରୀ ନିକଟରେ ଥିବା ୧୦ଟି ଘର ଉପରେ ଅଜାଡି ପଡ଼ିବାରୁ 9 ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁ ରାଜଧାନୀ ହାଇଦ୍ରାବାଦ୍‌ ସ୍ଥିତି ବେହାଲ ହୋଇଯାଇଛି। ମିଳିଥିବା ଖବର ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ବିଦ୍ୟୁତ ଖୁଣ୍ଟ ସବୁ ଉପୁଡି ଯାଇଛି। ଫଳରେ ସହରରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ହଜାର ହଜାର ଏକର କ୍ଷେତ ଜଳାର୍ଣ୍ଣବ ହୋଇଯାଇଛି। ଏନଡିଆରଏଫ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଅପରପକ୍ଷରେ ବର୍ଷା ଯୋଗୁଁ ମାୟାନଗରୀର ଅବସ୍ଥା ମଧ୍ୟ ସଙ୍ଗୀନ ରହିଛି । ମହାରାଷ୍ଟ୍ରର ମୁମ୍ବାଇ ଓ ଥାଣେ ସମେତ ବହୁ ଅଞ୍ଚଳରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି । ଅନ୍ଧେରୀ, ହିନ୍ଦମାତା, ଜାଗେଶ୍ବରୀ, କିଙ୍ଗ ସର୍କଲ୍‌, କୁର୍ଲା, ମରୋଲ୍‌, ଗୋରେଗାଓଁ, ଘାଟକୋପର, ଚୈମ୍ବୁର ସମେତ ବହୁ ଅଂଶରେ ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗ ମୁମ୍ବାଇ ପାଇଁ ରେଡ୍‌ଆଲର୍ଟ ଜାରି କରିଛି । (ଏଜେନ୍ସି)

Related posts