ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍‌ ଜାରି କଲା ବିଏମ୍‌ସି

Published: Nov 11, 2020, 12:46 pm IST

ଭୁବନେଶ୍ୱର: ଶୀତ ଆସୁଛି । ବିବାହ ତିଥି ବି ଅଛି । ଏହି ସମୟରେ ବିବାହ ଉତ୍ସବ ପାଇଁ ସହରରେ ଭିଡ଼ ଜମିବ । ସମ୍ଭାବ୍ୟ ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ଆଶଙ୍କା ନେଇ ବିଏମସି ଗାଇଡ ଲାଇନ ଜାରି କରିଛି । ବିବାହ, ଶୁଦ୍ଧି କ୍ରିୟା ଓ ଶବ ସଂସ୍କାର ପାଇଁ ବିଏମସି ଜାରି କଲା ସ୍ୱତନ୍ତ୍ର ଗାଇଡ ଲାଇନ  । ରାଜଧାନୀରେ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ 100 ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ଗତ 6 ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ବିବାହରେ 200 ଲୋକ ଏକାଠି ହେବାକୁ ଅନୁମତି ଦେଇଥିଲେ । କିନ୍ତୁ ରାଜଧାନୀରେ ସର୍ବାଧିକ 100 ଲୋକ ଏକାଠି ହୋଇପାରିବେ ବୋଲି ବିଏମ୍‌ସି ତା’ର ନୂତନ ଗାଇଡଲାଇନ୍‌ରେ ସୂଚନା ଦେଇଛି । ବିବାହ ଆୟୋଜନ ସହ କଲ୍ୟାଣ ମଣ୍ଡପ, କନଭେନସନ ହଲ ଓ ମ୍ୟାରେଜ ହଲ ପାଇଁ ବିଏମସି ବିସ୍ତୃତ ଗାଇଡଲାଇନ ଆଣିଛି ।

ବିବାହ ମଣ୍ଡପରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନୀୟ ପୁଲିସ ଥାନା ଓ ବିଏମସିରୁ ଅନୁମତି ନେବାକୁ ପଡ଼ିବ । ସମସ୍ତ ବିବାହ ଶୋଭାଯାତ୍ରାକୁ ନିଷିଦ୍ଧ ଘୋଷଣା କରାଯାଇଛି । ଫ୍ଲୁ ଲକ୍ଷଣ ଥିବା ଲୋକଙ୍କୁ ବିବାହ ହଲକୁ ପ୍ରବେଶ କରାଯିବନି । ସେହିପରି ଶୁଦ୍ଧି କ୍ରିୟାରେ 50 ଜଣଙ୍କୁ ଅନୁମତି ଦେଇଛି ବିଏମସି। ସେହିପରି ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ 10 ବର୍ଷରୁ କମ ଶିଶୁଙ୍କ ସମେତ ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀ ଏହି କାର୍ଯ୍ୟକ୍ରମକୁ ଆସିବେନି । କାର୍ଯ୍ୟକ୍ରମ ଆୟୋଜନର ପ୍ରବେଶ ପଥରେ ସମସ୍ତ ଆଗନ୍ତୁକଙ୍କ ଥର୍ମାଲ  ସ୍କି୍ରନିଂ ବ୍ୟବସ୍ଥା ରଖାଯିବ । ଉତ୍ସବରେ ସମସ୍ତଙ୍କ ଭିତରେ 6ଫୁଟ ବ୍ୟବଧାନ ରହିବ । ଖାଇବା ସମୟରେ ଛାଡ଼ି ବାକି ସମୟରେ ସମସ୍ତ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ । ଏହା ପରିସରରେ ପାନ, ଗୁଟଖାକୁ ବାରଣ କରାଯାଇଛି । ହାତ ସଫା ପାଇଁ ବ୍ୟବସ୍ଥା ସହ ହ୍ୟାଣ୍ଡ ସାନିଟାଇଜର ରହିବ । ଆସନ୍ତା 25 ତାରିଖରୁ ଏହି ସମସ୍ତ କଟକଣା ଲାଗୁ ହେବ ବୋଲି ସୂଚନା ରହିଛି ।

Related posts