ବାଣପୁରରେ ଅବକାରୀ ବିଭାଗର ଚଢ଼ାଉ: ହଜାର ହଜାର ଲିଟର ପୋଚ ନଷ୍ଟ, ତିନି ମହିଳା ଗିରଫ

Published: Nov 12, 2020, 6:12 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଲୁଗାଁ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ହଜାର ହଜାର ଲିଟର ପୋଚ ନଷ୍ଟ କରିବା ସହ ତିନି ଜଣଙ୍କୁ  ଗିରଫ କରି ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଲକ ଡ଼ାଉନ ସମୟରେ ଅବକାରୀ ବିଭାଗ ଚିଲିକା ନିର୍ବାଚନମଣ୍ଡଳୀରେ  ବାରମ୍ବାର ଚଢ଼ାଉ କରି ହଜାର ହଜାର  ଲିଟର ଦେଶୀ ମଦ ଜବତ ସହ ବହୁ ଚୋରା ବେପାରୀଙ୍କୁ ଗିରଫ କରିଥିବା ସ୍ଥଳେ ବର୍ତ୍ତମାନ ଲକ ଡ଼ାଉନ ହଟିବାପରେ ମଧ୍ୟ ଚଢ଼ାଉ ଅବ୍ୟାହତ ରହିଛି।

ଏହି ପରିପ୍ରେକ୍ଷୀରେ ଗତକାଲି ଅପରାହ୍ନରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଥାନାଧୀକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ବିଭାଗ ନିରୀକ୍ଷକ ମନୋଜ ବାରିକ ଏବଂ ଖୋର୍ଦ୍ଧା ଅବକାରୀ ବିଭାଗର ବିଭିନ୍ନ କର୍ମଚାରୀଙ୍କ ଦ୍ୱାରା ଏକ ବୃହତ ଟିମ ଗଠନ କରାଯାଇ ପୂର୍ବ ସୂଚନା ଅନୁଯାୟୀ ବାଣପୁର ବ୍ଲକର କନ୍ଧଆମ୍ବଝର ମୌଜା ସ୍ଥିତ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅବକାରୀ ବିଭାଗ ଘଟଣାସ୍ଥଳରେ ୨୦୫୦ ଲିଟର ପୋଚ ନଷ୍ଟ କରିବା ସହ ୨୮ ଲିଟର ଦେଶୀ ମଦ ସହ ତିନି ଜଣ ମହିଳାଙ୍କୁ ଗିରଫ କରିଛି। ମହିଳାମାନେ ହେଲେ ଯଶୋଦା ପରିଡ଼ା, ନିଶା ପଲେଇ ଏବଂ ସୁକାନ୍ତି ମହନ୍ତ। ସମସ୍ତେ ଘଟଣାସ୍ଥଳରେ ବେପାର ଉଦେଶ୍ୟରେ ପୋଚ ତିଆରି କରୁଥିଲେ। କୋଭିଡ ଲାଗି ତିନି ଜଣ ଅଭିଯୁକ୍ତଙ୍କୁ ସେକ୍ସନ ୪୧(ଏ)  ରେ ନୋଟିସ ଦେଇ ଅବକାରୀ ବିଭାଗ ଛାଡିଦେଇଥିବା ସ୍ଥଳେ ସମସ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୬୦, ୬୨ ଏବଂ ୬୩ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Related posts