୬ ବର୍ଷୀୟ ଝିଅକୁ ହତ୍ୟା ଅଭିଯୋଗ: ମୃତ ଶରୀର ମଧ୍ୟରୁ ଫୁସଫୁସ ଗାଏବ୍

Published: Nov 15, 2020, 1:35 pm IST

କାନପୁର: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬ ବର୍ଷୀୟ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ହେଲେ ସେହି ଝିଅଟିର ମୃତ ଦେହରୁ ଫୁସଫୁସ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ରାତିରେ ଝିଅଟି କିଛି ବାଣ କିଣିବା ପାଇଁ ଦୋକାନକୁ ଯାଇଥିଲା। ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ। ପରେ ଝିଅଟିର ମୃତଦେହ କାଳୀ ମନ୍ଦିର ନିକଟ ବୁଦା ଭିତରୁ ମିଳିଥିଲା।

ଏନେଇ ଝିଅର ବାପା ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ତେବେ ଝିଅଟି କିଛି ବଣୁଆ ଜନ୍ତୁ ଦ୍ୱାରା ଶିକାର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏସପି (ଗ୍ରାମୀଣ) ବ୍ରିଜେଶ ଶ୍ରୀବାସ୍ତବ କହିଛନ୍ତି ଯେ ଶିଶୁର ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଏହି ଘଟଣା ଉପରେ ସବୁ ଦିଗରୁ ଘଟଣାର ତଦନ୍ତ କରାଯାଉଛି। ହତ୍ୟାକାଣ୍ଡକୁ ନେଇ ଉକ୍ତ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ସେଥିପାଇଁ ପୋଲିସ ପକ୍ଷରୁ ଗାଁରେ ପୋଲିସ ମୂତୟନ କରାଯାଇଛି।

Related posts