ଡିମିରିକୁଦା ନିକଟରେ ବାଇକ୍ ଦୁର୍ଘଟଣା: ୨ ଯୁବକ ମୃତ

Published: Nov 19, 2020, 12:53 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ଡିମିରିକୁଦା ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ରେଢାଖୋଲର ୨ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ଖବର ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଯଦୁମଣିପାଟଣା
ଏଲ୍.ଆଇ.ସି କଲୋନୀ ର ସ୍ୱର୍ଗତ ଇଂ.ପ୍ରଭାତ କୁମାର ପାଣିଗ୍ରାହୀଙ୍କ ପୁଅ ଅଭିଜିତ୍ ପାଣିଗ୍ରାହୀ (୨୭) ଏବଂ ରେଢାଖୋଲ ରଥସାହିର ବୈକୁଣ୍ଠ ପ୍ରଧାନଙ୍କ ପୁଅ ରାମଚନ୍ଦ୍ର ପ୍ରଧାନ (ଓଡି ୧୫ ଏନ୍ ୫୪୨୧)ମୋଟରସାଇକେଲରେ କୌଣସି କାମରେ ନାକଟିଦେଉଳ ଯାଇଥିଲେ। ସେମାନେ ରାତି ପ୍ରାୟ ୧୧ ଟା ସମୟରେ ବାଇକ୍ ରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡିମିରିକୁଡା ନିକଟସ୍ଥ ଏକ ପୋଲ ତଳେ ପ୍ରାୟ ୨୦ ଫୁଟ୍ ତଳକୁ ଛିଟିକି ପଡିଥିଲେ। ଜଙ୍ଗଲ ମଧ୍ୟରେ ଓ ଦୂରରେ ଗାଁ ଥିବାରୁ ଏହି ଦୁର୍ଘଟଣା ସଂପର୍କରେ କେହି ବି ଜାଣି ପାରି ନ ଥିଲେ। ଏପରିକି ପୋଲ ତଳକୁ ପଡିଯାଇଥିବାରୁ ଅନ୍ଧାର ରାତିରେ ରାସ୍ତାରେ ଯାଉଥିବା ବାଟୋଇମାନଙ୍କ ନଜରରେ ପଡି ନ ଥିଲା। ଯା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା।

ଆଜି ସକାଳୁ ସକାଳୁ ରେଢାଖୋଲ ଓ ଡିମିରିକୁଦାର କିଛି ବ୍ୟକ୍ତି ମର୍ଣ୍ଣିଂ ୱାର୍କ ପାଇଁ ଯାଉଥିବା ସମୟରେ ପୋଲ ତଳେ କେହି ଦୁର୍ଘଟଣାର ସମ୍ମୁଖିନ ହେବା କଥା ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଦମକଳ ବାହିନୀକୁଖବର ଦେଇଥିଲେ। ହେଲେ ମୃତ୍ୟୁ ହୋଇଯାଇଥିବାରୁ ଦମକଳ ବାହିନି ଡାକ୍ତରଖାନାକୁ ନେବାକୁ ମନା କରିଦେଇଥିଲା। ରେଢାଖୋଲ ରୁ ପୋଲିସ୍ ଯାଇ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ପୋଲିସ୍ କହିଛି। କିଛି ଦିନ ତଳେ ସେଇ ଜାଗାରେ ତଣ୍ଡାବିରା ଗ୍ରାମର ଜନୈକ ଯୁବକ ମଧ୍ୟ ମୃତ୍ୟୁବରଣ କରିଥିଲେ।

Related posts