ସ୍କୁଲ ବନ୍ଦକୁ ନେଇ ଗୃହରେ ହଟ୍ଟଗୋଳ : ବିଧାନସଭା 3ଟା ଯାଏଁ ମୁଲତବୀ

Published: Nov 21, 2020, 12:49 pm IST

ଭୁବନେଶ୍ୱର:  ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର ସଦସ୍ୟମାନେ  ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି ।  ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ସର୍ବଦଳୀୟ ବୈଠକ ଡାକିବାକୁ ବାଚସ୍ପତିଙ୍କ ଠାରେ ଦାବି କରିଛନ୍ତି ।  ଏପରିକି ସର୍ବଦଳୀୟ ବୈଠକକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଡାକିବାକୁ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି ।  ଉକ୍ତ ସର୍ବଦଳୀୟ ବୈଠକରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି ।  ତେବେ ଏନେଇ ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ 3ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ସ୍କୁଲ ବନ୍ଦ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାନି ରୁଲିଂ ପ୍ରଦାନ କରିଛନ୍ତି।  ଆସନ୍ତା କାଲି ସୁଦ୍ଧା  ସ୍କୁଲ ବନ୍ଦ ପ୍ରସଙ୍ଗରେ  ଗଣଶିକ୍ଷା  ମନ୍ତ୍ରୀ ଉତ୍ତର  ରଖିବେ ।  ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ବଦଳାଇଛନ୍ତି ।  ପୂର୍ବରୁ ଦୁଇ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ । କାହିଁକି ସ୍କୁଲ ବନ୍ଦ କରାଯାଉଛି ସେନେଇ ମନ୍ତ୍ରୀ ଉତ୍ତର ରଖିବେ ।  ବନ୍ଦ କରାଯାଉଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ କେଉଁଠି  ନେବେ ସେନେଇ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ତେବେ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ବଦଳାଇ ଆସନ୍ତାକାଲି ସୁଦ୍ଧା ଉପରୋକ୍ତ ବିଷୟରେ ଉତ୍ତର ରଖିବାକୁ ସାନି ରୁଲିଂ ଦେଇଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ, ଜଙ୍ଗଲରାଜ ଚାଲିଛି । ପୁଲିସ କିଛି କରୁନି କି ରାଜ୍ୟ ସରକାର ବି କିଛି କରୁନାହାଁନ୍ତି । ଜନଜୀବନ ସୁରକ୍ଷା ସରକାରଙ୍କ ଦାୟିତ୍ୱ କିନ୍ତୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏସପିଙ୍କୁ କେବଳ ବଦଳି ନୁହେଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏହାଛଡ଼ା କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି।

Related posts