ଜେରା ବେଳେ ସିସିଟିଭି, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ : ସୁପ୍ରିମ୍‌କୋର୍ଟ

Published: Dec 3, 2020, 3:05 pm IST

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା, ହାଜତ, ସିବିଆଇ, ଏନଆଇଏ, ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ଭଳି ତଦନ୍ତକାରୀ ସଂସ୍ଥା ଜେରା କରିବା ବେଳେ ନାଇଟ ଭିଜନଯୁକ୍ତ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଥାନାମାନଙ୍କରେ ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଯିବାକୁ ସୁପି୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କୁ ଜେରା ପାଇଁ ବ୍ୟବହାର କରାଯାଉଥିବା କୋଠରୀ ଓ ହାଜତର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ । କେବଳ ଏତିକି ନୁହେଁ ଲବି, ରିସେପସନ ଅଞ୍ଚଳ, ଇନ୍ସପେକ୍ଟର ଏସଆଇ କୋଠରୀ ଏବଂ ବାଥରୁମ ବାହାରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବା ଦରକାର । ଛଅ ମାସ ମଧ୍ୟରେ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ସହିତ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ସରକାରଙ୍କୁ କୁହାଯାଇଛି ।

ମାମଲାର ପରବର୍ତ୍ତୀ ଶୁଣାଣୀ ଜାନୁଆରୀ 27 ତାରିଖରେ ହେବ । ହାଜତରେ ନିର୍ଯାତନା ଅଭିଯୋଗର ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ମାନବାଧିକାର କମିସନ କୋର୍ଟ ପ୍ରତିଷ୍ଠା ଲାଗି ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଡିଆରଏସ (ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ) ରେ ମଧ୍ୟ ସିସିଟିଭି ଲଗାଯିବାକୁ ସୁପି୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related posts