ପୁଣି ଫେରିଲା ମିତ୍ତଲ କଂପାନୀ, କେନ୍ଦ୍ରାପଡାରେ 50 ହଜାର କୋଟି ଟଙ୍କାରେ ପ୍ରତିଷ୍ଠା କରିବା ଇସ୍ପାତ ପ୍ରକଳ୍ପ

Published: Mar 4, 2021, 9:53 pm IST

ଭୁବନେଶ୍ବର, ଏକ ଐତିହାସିକ ଘଟଣା କ୍ରମରେ ଆଜି ଓଡ଼ିଶା ସରକାର ଏବଂ ଆର୍ସେଲର ମିତ୍ତଲ ନିପ୍ପନ୍‌ କଂପାନୀ କେନ୍ଦ୍ରାପଡ଼ାରେ ଏକ ସମନ୍ୱିତ ଇସ୍ପାତ୍‌ କାରଖାନା ନିର୍ମାଣ କରିବ। ଏନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବିନିଯୋଗ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମିତ୍ତଲ ଗ୍ରୁପ୍‌ର ଅଧ୍ୟକ୍ଷ ଏଲ୍‌.ଏନ୍‌.ମିତ୍ତଲ,ଇସ୍ପାତ ଓ ଖଣିଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁବାବୁଙ୍କର କର୍ମଭୂମି ଥିଲା ଏବଂ ସେ ଏହି ଜାଗା ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟରୁ ଭଲ ପାଉଥିଲେ ।

ସେ କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ସମନ୍ୱିତ ଷ୍ଟିଲ୍‌ କପ୍ଲେକ୍ସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ରାଜ୍ୟ ସରକାର ଏହି ବୃହତ୍‌ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଓ ସୁବିଧା ଯୋଗାଇ ଦେବେ । ସେ ମଧ୍ୟ କହିଛନ୍ତି ଯେ ଦୂରଦୃଷ୍ଟି ସଂପନ୍ନ ଶିଳ୍ପନୀତି, ସହଜ ପ୍ରକ୍ରିୟା ଏବଂ ସୁଦୃଢ଼ ଭିତ୍ତିଭୂମିକ ବିକାଶ ଯୋଗୁ ଓଡ଼ିଶା ଆଜି ଦେଶରେ ଶ୍ରେଷ୍ଠ ଆକର୍ଷଣୀୟ ପୁଂଜିନିବେଶ ଲକ୍ଷ୍ୟସ୍ଥଳ ଭାବେ ସଫଳତାର ସହ ଉଭା ହୋଇଛି ।

ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ରାପଡ଼ାଠାରେ ଏକ ସମନ୍ୱିତ ଷ୍ଟିଲ କଂପ୍ଲେକ୍ସ ପ୍ରତିଷ୍ଠା କରି ବହୁତ ଆନନ୍ଦିତ ବୋଲି ଉଲ୍ଲେଖ କରି ମିତ୍ତଲ କହିଛନ୍ତି ଯେ ଓଡ଼ିଶାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ର ପାରାଦୀପଠାରେ ଥିବା ୬ ଏମ୍‌ଟି ପିଏ କ୍ଷମତାବିଶିଷ୍ଟ ପେଲେଟାଇଜେସନ୍‌ ପ୍ଲାଣ୍ଟ ସହିତ ଏହାର କ୍ଷମତା ୧୨ ଏମ୍‌ଟି ପିଏକୁ ବୃଦ୍ଧି ପାଇବ ଏବଂ କେଉଁଝରଠାରେ ଥିବା ଲାଭକାରୀ କଂପ୍ଲେକ୍ସ ଏବଂ ସ୍ଲରି ପାଇପ ଲାଇନ୍‌ ପୂର୍ବରୁ କାର୍ଯ୍ୟକ୍ଷମ ଅଛି ।

ସେ ପୁଣି କହିଛନ୍ତି ଯେ ଓଡ଼ିଶାର ସରକାରଙ୍କ ତ୍ୱରିତ କାର୍ଯ୍ୟ ପ୍ରଣାଳିରେ ସେ ବହୁତ ଆନନ୍ଦିତ, ଯାହା ତାଙ୍କର ବିଶ୍ୱବ୍ୟାପୀ ଅଭିଜ୍ଞତା ଆଧାରରେ ସର୍ବଶ୍ରେଷ୍ଠ । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଓଡ଼ିଶା ସରକାରଙ୍କ ସହଯୋଗରେ ରାଜ୍ୟର ଶିଳ୍ପ ବିକାଶ ପାଇଁ ପ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି ।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌, ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ଓମେନ୍‌ଙ୍କ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ବର୍ତ୍ତମାନ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ବିଶ୍ୱର ଅନ୍ୟତମ ବୃହତ୍ତମ ଇସ୍ପାତ ନିର୍ମାଣକାରୀ ସଂସ୍ଥା ଏବଂ ଏଲ୍‌ ଏନ୍‌ ମିତ୍ତଲ ଗ୍ରୁପ୍‌ର ଆର୍ଥିକ ଦୃଢ଼ତା ଓ ଜାପାନ କମ୍ପାନୀ ନିପ୍ପନ ଷ୍ଟିଲର ଉଚ୍ଚ ବୈଷୟିକ ଶକ୍ତି ଦ୍ୱାରା ଇସ୍ପାତ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ପାଇଁ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ପାରିଛି ।

ପୂର୍ବର ମିତ୍ତଲ କଂପାନୀ ଓଡିଶାରେ ଇସ୍ସାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତି କରି କାମ ଆରମ୍ଭ କରିଥିଲା। ହେଲେ କୌଣସି କାରଣବସତଃ ସେ ଓଡିଶାରୁ ମୁହଁ ଫେରାଇ ନେଇଥିଲା। ବର୍ତ୍ତମାନ ଏହି କଂପାନୀ ଓଡିଶାରେ ପୁଂଜିବିନଯୋଗ କରିବା ନିଶ୍ଚିତ ଭାବେ ଓଡିଶା ପାଇଁ ଖୁସିର କଥା।

Related posts