ବ୍ୟବସାୟ ପାଇଁ ହାତ ମିଳାଇଲେ ରିଲାଏନସ ଜିଓ ଏବଂ ଏୟାରଟେଲ, କଲେ ଚୁକ୍ତିନାମା

Published: Apr 7, 2021, 6:11 am IST

ମୁମ୍ବଇ, ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ (ଆରଜେଆଇଏଲ) ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ମୁମ୍ବଇ ସର୍କଲରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ ବ୍ୟବହାର କରିବାର ଅଧିକାର ହାସଲ ପାଇଁ ସ୍ପେକ୍ଟ୍ରମ ଟ୍ରେଡିଂ ଜରିଆରେ ଭାରତୀ ଏୟାରଟେଲ ସହିତ ଏକ ଚୁକ୍ତିନାମା ସମ୍ପର୍କରେ ଘୋଷଣା କରିଛି । ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଟ୍ରେଡିଂ ଚୁକ୍ତିନାମା ସ୍ୱାକ୍ଷର କରାଯାଇଥିବା ମୋଟ ୭.୫୦ ମେଗାହର୍ଜ ସ୍ପେକ୍ଟ୍ରମ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ ସର୍କଲରେ ୩.୭୫ ମେଗାହର୍ଜ, ଦିଲ୍ଲୀ ସର୍କଲରେ ୧.୨୫ ମେଗାହର୍ଜ, ମୁମ୍ବଇ ସର୍କଲରେ ୨.୫୦ ମେଗାହର୍ଜ ।

ଟ୍ରେଡିଂ ରାଜିନାମା ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ଜାରି ସ୍ପେକ୍ଟ୍ରମ ଟ୍ରେଡିଂ ନିର୍ଦ୍ଦେଶାବଳୀ ମୁତାବକ ହୋଇଛି ଏବଂ ଏହା ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନକୁ ଅପେକ୍ଷା କରୁଛି । ଏହି ସ୍ପେକ୍ଟ୍ରମ ବ୍ୟବହାର କରିବା ଅଧିକାରର ମୋଟ ମୂଲ୍ୟ ୧୪୯୭ କୋଟି ଟଙ୍କା, ଯେଉଁଥିରେ ବିଳମ୍ବିତ ଦେୟ ୪୫୯ କୋଟି ଟଙ୍କା ମୂଲ୍ୟ ସଂଯୁକ୍ତ ରହିଛି, ଏବଂ ତାହା କୌଣସି କାରବାର ସମ୍ପର୍କିତ ଆଡଜଷ୍ଟମେଣ୍ଟ ମଧ୍ୟ କରାଯାଇପାରିବ ।

ସ୍ପେକ୍ଟ୍ରମ ବ୍ୟବହାର ସକାଶେ ଏହି ଟ୍ରେଡିଂ ଅଧିକାର ସହିତ ଆରଜେଆଇଏଲ୍ ସଂପ୍ରତି ମୁମ୍ବଇ ସର୍କଲରେ ୨ଙ୍ଘ୧୫ ମେଗାହର୍ଜ ଏବଂ ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ସର୍କଲରେ ୨ଙ୍ଘ୧୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିବ ଏବଂ ତଦ୍ଦ୍ୱାରା ଏହିସବୁ ସର୍କଲରେ ଏହାର ସ୍ପେକ୍ଟ୍ରମ ଉପସ୍ଥିତିକୁ ଅଧିକ ସୁଦୃଢ କରିପାରିବ । ବର୍ଦ୍ଧିତ ସ୍ପେକ୍ଟ୍ରମ ଉପସ୍ଥିତି, ବିଶେଷକରି ସଂସ୍ପର୍ଶୀ ସ୍ପେକ୍ଟ୍ରମ ବଳରେ ଏବଂ ଉନ୍ନତ ଭିତିଭୂମି ଦ୍ୱାରା ଆରଜେଆଇଏଲ୍ ଏହାର ନେଟୱର୍କ କ୍ଷମତାରେ ପୁନଃ ବୃଦ୍ଧି ଘଟାଇଛି । ଏହି କାରବାର ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନ ମିଳିବାପରେ କାର‌୍ୟ୍ୟକ୍ଷମ ହେବ ।

Related posts