ସରକାରୀ ବ୍ୟାଙ୍କରେ ଜମା ହେଲା ପଳାତକ ଘୋଷିତ ବ୍ୟବସାୟୀଙ୍କ ୯ ହଜାର ୩୭୧ କୋଟି ଟଙ୍କା

Published: Jun 23, 2021, 1:52 pm IST

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ମୋଟ ୯ ହଜାର ୩୭୧ କୋଟି ଟଙ୍କାର ସମ୍ପତ୍ତିକୁ ସରକାରୀ ବ୍ୟାଙ୍କରେ ଜମା ହୋଇଯାଇଛି। ଫଳରେ ସେମାନଙ୍କ ଠକାମି ଯୋଗୁଁ ବ୍ୟାଙ୍କକୁ ହୋଇଥିବା କ୍ଷତି ଟଙ୍କାର ଭରଣ ହୋଇପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଧୋକା ଦେଇ ୨୨ ହଜାର ୫୮୫ କୋଟି ୮୩ ଲକ୍ଷ ଟଙ୍କା ଲୁଟିନେଇ ବିଦେଶ ଚାଲିଯାଇଥିଲେ। ଏହାପରେ କେନ୍ଦ୍ର ସରକାର ପକ୍ଷରୁ ସେହି ତିନିଜଣ ବ୍ୟବସାୟୀଙ୍କୁ ପଳାତକ ଘୋଷଣା କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ ଜାରି କରାଯାଇଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନେଇ ପଳାତକଙ୍କ ସମ୍ପତ୍ତି ଉପରେ ତଦନ୍ତ କରି ୧୮ ହଜାର ୧୭୦ କୋଟି ଟଙ୍କା ଜବତ କରିଥିଲା। ଯାହାର ମୂଲ୍ୟ ବ୍ୟାଙ୍କରୁ ଲୁଟିଥିବା ମୂଲ୍ୟର ୮୦.୪୫ ପ୍ରତିଶତ ଥିଲା। ଏହି ସମ୍ପତ୍ତି ମଧ୍ୟରୁ କିଛି ସମ୍ପତ୍ତି ନକଲି କମ୍ପାନୀ, ତୃତୀୟ ପକ୍ଷ, ସମ୍ପର୍କୀୟ ଏବଂ କିଛି ଟ୍ରଷ୍ଟ ନାମରେ ସେମାନେ ରଖିଥିବା ତଦନ୍ତ ସମୟରେ ଇଡି ଜାଣିପାରିଥିଲା।

ତେବେ ଇଡି ପକ୍ଷରୁ ଜବତ ହୋଇଥିବା ମୋଟ ସମ୍ପତ୍ତି ମଧ୍ୟରୁ ୯ ହଜାର ୩୭୧ କୋଟି ୧୭ ଲକ୍ଷ ଟଙ୍କା ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତରିତ କରାଯାଇଛି।

Related posts