ରିଲାଏନସ ଜିଓ ଆଣୁଛି ଗିଗାଫାଇବର, ମାସକୁ 6 ଶହ ଟଙ୍କାର ମିଳିବ ବ୍ରଡବ୍ୟାଣ୍ଡ , ଅସୀମିତ ଲ୍ୟାଣ୍ଡଫୋନ କଲ ଏବଂ ଟିଭି ଚ୍ୟାନେଲ

Published: Apr 23, 2019, 6:53 pm IST
reliance jio will launch gigfiber. what is the gigafiber

ସମୀକ୍ଷା ବ୍ୟୁରୋ

ପୁଣି ଥରେ ଭାରତରେ ବିଶ୍ବର ପ୍ରତିଷ୍ଠିତ ଶିଳ୍ପପତି ତଥା ଟେଲିକମ ଶିଳ୍ପରେ ଏକ ବିପ୍ଲବ ଆଣିଥିବା ମୁକେଶ ଆମ୍ବିନୀଙ୍କ ଜିଓ ରିଲାଏନସ ଆଣୁଛି ଆଉ ଏକ ବଡ ବିପ୍ଲବ। ତାହା ହେଉଛି ଗିଗାଫାଇବର ସଂଯୋଗ। ଏଥିରେ ଘର ଭିତରେ ଆପଣ ଆପଣଙ୍କ କଂପୁଟରରେ ପାଇପାରିବେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ, ଟେଲିଭିଜନରେ ଶହଶହ ଚ୍ୟାନେଲ ଏବଂ ଲ୍ୟାଣ୍ଡଫୋନରେ ମାଗଣା ଅସୀମିତ କଲ। ଇଣ୍ଟରନେଟରେ ଗ୍ରାହକ ଦୈନିକ 100 ଜିବି ଡାଟା ଯାହାକି 100 ଏମବି ପ୍ରତି ସେକେଣ୍ଡରେ ପାଇପାରିବେ। ବର୍ତ୍ତମାନ ଗ୍ରାହକମାନେ ଘରେ ଇଣ୍ଟରନେଟ ପାଇଁ ଅତିକମରେ 5ଶହ ଟଙ୍କା, ଲ୍ୟାଣ୍ଡଫୋନ ପାଇଁ ଦୁଇଶହ ଟଙ୍କା ଏବଂ ଟିଭି ଚ୍ୟାନେଲ ପାଇଁ ପ୍ରାୟ 5ଶହ ଟଙ୍କା ଦେବାକୁ ପଡୁଛି। ହେଲେ ଗିଗାଫାଇବର ସଂଯୋଗରେ ଏସବୁ ସେବା ମାତ୍ର ଛଅ ଶହ ଟଙ୍କାରେ ଅର୍ଥାତ ଅଧା ଦାମରେ ରିଲାଏନସ କଂପାନୀ ଯୋଗାଇ ଦେବ।

2018 ମସିହା ଅଗଷ୍ଟ ମାସରୁ ରିଲାଏନସ ଜିଓ ଦେଶରେ ଗିଗାଫାଇବର ସେବା ଆରମ୍ଭ କରିଛି। ପ୍ରଥମେ ପରୀକ୍ଷା ମୂଳକଭାବେ ମୁମ୍ବାଇ ଓ ନୂଆଦିଲ୍ଲୀରେ ଆରମ୍ଭ କରାଯାଇଛି। ରିଲାଏନସ କଂପାନୀର ଜୁଲାଇ ମାସରେ ବସିଥିବା ବାର୍ଷିକ ସାଧାରଣ ବୈଠକରେ କଂପାନୀର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଘୋଷଣା କରିଥିଲେ ଯେ, ଗିଗାଫାଇବର ହେବ ବିଶ୍ବର ବୃହତ ଲ୍ୟାଣ୍ଡ ଲାଇନ ସେବା। ଯାହା ଦେଶର ଏକାଥରକେ 11 ଶହ ସହରରେ କାମ ଆରମ୍ଭ କରାଯିବ। ସେହି ଅନୁସାରେ ବର୍ତ୍ତମାନ କଂପାନୀ ତରଫରୁ ବିଭିନ୍ନ ସହରରେ ଏହି ସେବା ଆରମ୍ଭ କରିବାକୁ ଯୋଜନା କରିଛି।

ବର୍ତ୍ତମାନ ଜାଣିବା ଏହି ଯୋଜନାରେ କଣ ସବୁ ରହିଛି

1-ଆପଣଙ୍କ ଘରକୁ ରିଲାଏନଲସ ଗିଗାଫାଇବର ଏକ ଲ୍ୟାଣ୍ଡଲାଇନ ଦେବ। ଘର ନିକଟରେ ଥିବା କେବୁଲ ମାଧ୍ୟମରୁ ଏହି ଲାଇନ ଘର ସହିତ ସଂଯୋଗ କରାଯିବ। ଏଥିରେ ମାଗଣା ଅସୀମିତ କଲ ଗ୍ରାହକମାନେ କରିପାରିବେ।

2-ଫୋନ ଲାଇନ ସହିତ ଆଉ ହାଇସ୍ପିଡ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ କନେକସନ ଦିଆଯିବ। ଏହାଦ୍ବାରା ଆପଣଙ୍କ ଘରେ ଥିବା ସମସ୍ତ ଡିଭାଇସ ସହିତ ୱାଫାଇରେ ଏହାକୁ କନେକଟ କରିପାରିବେ।

3-ଏହି ଗିଗାଫାଇବର ମାଧ୍ୟମରେ ଆସୁଥିବା ଇଣ୍ଟରନେଟ ମାଧ୍ୟମରେ ଆପଣଙ୍କ ଟିଭିକୁ ସଂଯୋଗ କରାଯିବ। ଫଳରେ ଆପଣ ଶତାଧିକ ଚ୍ୟାନେଲ ଏହି କେବୁଲ ମାଧ୍ୟମରେ ଦେଖିପାରିବେ।

4-ଏହି ଇଣ୍ଟରନେଟ ମାଧ୍ୟମରେ ଆପଣଙ୍କ ଟିଭିରେ ଅଲଟ୍ରା ଏଚଡି ମନୋରଂଜନର ମଧ୍ୟ ସୁବିଧା ରହିବ

5-ଏଥିରେ ଆପଣ ଘରେ ବସି ଭିଡିଓ କଂନଫ୍ରେସିଂ କରିବାର ମଧ୍ୟ ସୁବିଧା ଉପଲବ୍ଧ କରାଯିବ।

6-ଏଥିରେ ଭର୍ଚୁୟାଲ ରିଆଲିଟି ଗେମ୍ ଏବଂ ସପିଂ ର ମଧ୍ୟ ସୁବିଧା ରହିବ

7-ସ୍ମାର୍ଟ ହୋମ ସଲ୍ୟୁସନ ସେବା ମଧ୍ୟ ପ୍ରଦାନ କରାଯିବ

ହେଲେ ଗ୍ରାହକମାନେ ଏହି ସଂଯୋଗ ନେବାକୁ ହେଲେ ପ୍ରଥମେ ଏକ ରାଉଟର କିଣିବାକୁ ପଡିବ। ଯାହାର ମୂଲ୍ୟ ରହିଛି 4 ହଜାର 500 ଟଙ୍କା। ଏହା ପରେ କଂପାନୀ ତରଫରୁ ଆପଣଙ୍କ ଘରେ ଗିଗାଫାଇବର ସଂଯୋଗ କରାଯିବ। ତେବେ ଏହି ସେବା ଆପଣଙ୍କ ସହରରେ ଉପଲବ୍ଣ ହେବା ପରେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ। ସେଥିପାଇଁ ଗ୍ରାହକମାନେ gigafiber,jio.com/registration କୁ ଲଗଅନ କରି ରେଜିଷ୍ଟ୍ରେସନ କରିବାକୁ ପଡିବ। ବର୍ତ୍ତମାନ ରିଲାଏନସର ଏହି ସେବା ଆସିବା ପରେ ଦେଶର ଅନେକ କେବୁଲ ଅପରେଟର, ଡିଟିଏଚ ସେବା ପ୍ରଦାନକାରୀ ସଂସ୍ଥାଗୁଡିକର ଅବସ୍ଥା କଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

( ଘରେ ବସି ମୋବାଇଲରେ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

 

 

Related posts