ରିଲାଏନ୍ସ ରିଟେଲ ପ୍ରତିଦିନ ଖୋଲିଛି ୭ ନୂଆ ଷ୍ଟୋର, ଦେଇଛି ମୋଟ ୧.୫ ଲକ୍ଷ ନୂଆ ନିଯୁକ୍ତି 

Published: May 8, 2022, 9:12 pm IST

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ର ଚମତ୍କାର ପ୍ରଦର୍ଶନ ଲଗାତାର ଜାରି ରହିଛି। କମ୍ପାନି ଗତ ଆର୍ଥିକ ବର୍ଷରେ ରେକର୍ଡ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି ଏବଂ ଏହା ସେତେବେଳେ ହୋଇଛି ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀର ପ୍ରଭାବ ଦେଇ ଗତି କରୁଥିଲା। କମ୍ପାନି ପକ୍ଷରୁ ନିକଟରେ ଘୋଷିତ ଆର୍ଥିକ ଫଳାଫଳ ଅନୁଯାୟୀ, ରିଲାଏନ୍ସ ରିଟେଲ ର କର୍ମଚାରୀ ସଂଖ୍ୟା ୭୦ ପ୍ରତିଶତ ବଢ଼ି ୩ ଲକ୍ଷ ୬୧ ହଜାର ହୋଇଛି। ରିଟେଲ ଓ ଅନ୍ୟ ବ୍ୟବସାୟକୁ ମିଶାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨ ଲକ୍ଷ ୧୦ ହଜାର ନୂଆ ନିଯୁକ୍ତି ଦେଇଛି। କମ୍ପାନିର ଆର୍ଥିକ ଫଳାଫଳରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଉଲ୍ଲେଖନୀୟ ବିଷୟ ଏହା ଯେ ରିଲାଏନ୍ସ ରିଟେଲ ଯେଉଁ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ଦେଇଛି ସେଥିରୁ ଏକ ଲକ୍ଷ ନିଯୁକ୍ତି ଛୋଟ ଏବଂ ମଧ୍ୟମ ଧରଣର ସହରରେ ଦିଆଯାଇଛି। କମ୍ପାନିର ସୂଚନା ଅନୁଯାୟୀ, ଛୋଟ ଏବଂ ମଧ୍ୟମ ଧରଣର ସହରରେ ରିଟେଲ ନେଟୱାର୍କ ଦ୍ରୁତଗତିରେ ବଢ଼ିଥିବାରୁୁ ଏହି ନିଯୁକ୍ତି ଦିଆଯାଇପାରିଛି। ଷ୍ଟୋର ସମେତ ଏସବୁ ସହରରେ ଡିଜିଟାଲ ଏବଂ ନ୍ୟୁ କମର୍ସ ପ୍ଲାଟଫର୍ମର ଦ୍ରୁତ ସଂପ୍ରସାରଣ ହୋଇଛି।

ଗତ ଆର୍ଥିକ ବର୍ଷରେ ଆଶ୍ଚର୍ଯ୍ୟ କଲାଭଳି ଗତିରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ଖୋଲିଛି । କମ୍ପାନି ପ୍ରତିଦିନ ହାରାହାରି ୭ ନୂଆ ଷ୍ଟୋର ହିସାବରେ ମୋଟ ୨୫୦୦ରୁ ଅଧିକ ଷ୍ଟୋର ଖୋଲିଛି। କେବଳ ଗତ ତ୍ରୟମାସରେ କମ୍ପାନି ୭୯୩ ନୂଆ ଷ୍ଟୋର ଯୋଡ଼ିଛି। ଏଥିସହିତ କମ୍ପାନିର ମୋଟ ଷ୍ଟୋର ସଂଖ୍ୟା ୧୫ ହଜାର ଟପିଯାଇଛି। ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମରେ ରିଲାଏନ୍ସ ରିଟେଲର ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୧୯ କୋଟି ୩୦ ଲକ୍ଷରୁ ଅଧିକରେ ପହଂଚିଛି।

ରିଲାଏନ୍ସ ଷ୍ଟୋର ସଂଖ୍ୟା ୧୫ ହଜାରରେ ପହଂଚିିବା ଏବଂ ନୂଆ ନିଯୁକ୍ତି ନେଇ ଖୁସି ବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଚଳିତବର୍ଷ ମଧ୍ୟ ରିଲାଏନ୍ସ ଦେଶର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଛି ଏବଂ ଭାରତରେ ସବୁଠୁ ଅଧିକ ନିଯୁକ୍ତି ପ୍ରଦାନ କରୁଥିବା କମ୍ପାନି ମଧ୍ୟରେ ଅନ୍ୟତମ ହୋଇପାରିଛି। ଗତ ଏକ ବର୍ଷ ମଧ୍ୟରେ ଆମେ ୨ ଲକ୍ଷ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଯୋଡ଼ି ପାରିଛୁ। ନୂଆ ନିଯୁକ୍ତି ସୃଷ୍ଟି କରିବାରେ ରିଟେଲ ଏବଂ ଟେକ୍ନୋଲୋଜି ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ନୂଆ ଷ୍ଟୋର ଖୋଲିବା ଏବଂ ନୂଆ ନିଯୁକ୍ତି ଦେବା ସହିତ ରିଲାଏନ୍ସ ରିଟେଲ ଚଳିତ ଆର୍ଥିକ ବର୍ଷରେ ଭଲ ଉପାର୍ଜନ ମଧ୍ୟ କରିଛି। ରିଟେଲ ବ୍ୟବସାୟରେ ମୋଟ ବାର୍ଷିକ ରାଜସ୍ୱ ପ୍ରାୟ ୨୦୦,୦୦୦ କୋଟି ଟଙ୍କା ରହିଛି। କମ୍ପାନିର ଆୟରେ ମଧ୍ୟ ବୃଦ୍ଧି ଘଟିଛି। ତ୍ରୟମାସିକ ଆଧାରରେ ୨୦୨୨ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ରିଟେଲର ଆୟ ବୃଦ୍ଧିପାଇ ୫୮,୦୧୯ କୋଟି ଟଙ୍କାରେ ପହଂଚିଛି। ଏହାର ପୂର୍ବ ତ୍ରୟମାସ ଅର୍ଥାତ୍ ୨୦୨୧ ଡିସେମ୍ବର ତ୍ରୟମାସରେ କମ୍ପାନିର ଆୟ ୫୭,୭୧୭ କୋଟି ଟଙ୍କା ରହିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲର ନେଟ୍ ଲାଭ ୭୦୫୫ କୋଟି ଟଙ୍କା ଏବଂ ଚତୁର୍ଥ ତ୍ରୟମାସର ନେଟ୍ ଲାଭ ୨୧୩୯ କୋଟି ଟଙ୍କା ରହିଛି।

Related posts