ଗତ ୨୦ ବର୍ଷରେ ରାଜ୍ୟ ସରକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଋଣ କରିଛନ୍ତି, ଅର୍ଥମନ୍ତ୍ରୀ ପୂଜାରୀ

Published: Aug 2, 2022, 10:12 am IST

ଭୁବନେଶ୍ବର: କୋଡିଏ ବର୍ଷ ଭିତରେ ଓଡ଼ିଶା ସରକାର ୧,୫୦,୧୩୬ କୋଟି ଟଙ୍କାର ଋଣ କରିଛନ୍ତି। ଅର୍ଥାତ ଗତ ଆର୍ଥିକ ବର୍ଷ ୨୦୦୧-୦୨ ରୁ  ଚଳିତ ୨୦୨୨-୨୩ ବର୍ଷ ଅବଧି ମଧ୍ୟରେ ଏହି ଋଣ ହୋଇଛି। ସୁଧ ବାବଦକୁ ପଇଠ ହୋଇଛି ୭୯,୨୬୧ କୋଟି ଟଙ୍କା। ଗୃହରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ସେ କହିଛନ୍ତି ଯେ, ଏହି ଋଣ ଆଣିବାର ମୁଖ୍ୟ କାରଣ ହେଲା ରାଜ୍ୟର ଭିତ୍ତିଭୂମି ବିକାଶ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟ।  ସେଥିପାଇଁ ସରକାର ଖୋଲା ବଜାରରୁ ଋଣ କରିଥାନ୍ତି। ସେ କହିଛନ୍ତି ଯେ, ଗତ ବର୍ଷ ଠାରୁ ଏ ପର୍ଯ୍ୟନ୍ତ ସରକାର ଖୋଲା ବଜାରରୁ କୌଣସି ଋଣ କରି ନାହାନ୍ତି।

ହେଲେ ଖୁସିର କଥା ବର୍ଷ ଶେଷରେ ଖୋଲା ବଜାରରୁ ଋଣ ସଂଗ୍ରହ ପରିମାଣ ଆକଳନ ଠାରୁ କମ ରହିଛି । ଖଣିରୁ ଯଥେଷ୍ଟ ପରିମାଣରେ ରାଜସ୍ୱ ମିଳିଥିବାରୁ ଏପରି ସମ୍ଭବ ହୋଇଛି। ସେଥିପାଇଁ ଖୋଲା ବଜାରରୁ ୨୦୨୨-୨୩ ବର୍ଷରେ ୨,୨୫୯ କୋଟି ଟଙ୍କା ଋଣ କରାଯିବ। ଗୃହକୁ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ଟଙ୍କା ରହିଛି । ୨୦୦୧-୦୨ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ସଂଗ୍ରହ କରାଯାଇଥିବା ଋଣ ଏବଂ ସୁଧ ଦେୟର ଆନୁପାତିକ ହାର ପରିମାଣ ପ୍ରାୟ ୫୩ ପ୍ରତିଶତ ରହିଛି।

କୋଡ଼ିଏ ବର୍ଷ ଭିତରେ ସରକାର ସୁଧ ବାବଦକୁ ୭୯,୨୬୧ କୋଟି ବ୍ୟୟ କରିଛନ୍ତି । ପ୍ରତି ପାଞ୍ଚ ବର୍ଷରେ ଅର୍ଥାତ ୨୦୦୧-୦୨ ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଖାଯାଇଛି ଯେ, ରାଜ୍ୟ ସରକାରଙ୍କ ଋଣ ସଂଗ୍ରହ ପରିମାଣ ଯେଉଁ ପରିମାଣରେ ବଢ଼ିଛି, ସୁଧ ପରିଶୋଧ ପରିମାଣ ବି ସମପରିମାଣରେ ବଢ଼ିଛି । ହିସାବରୁ ଜଣାପଡିଛି ଯେ,

୨୦୦୧-୦୨ ଆର୍ଥିକ ବର୍ଷରେ ମୋଟ ୩୯୫୨.୫୬ କୋଟି ଋଣ ସଂଗ୍ରହ କରାଯାଇଥିବା ବେଳେ ସୁଧ ଦେୟ ପରିମାଣ ୨୮୩୪.୯୫ କୋଟି।

୨୦୦୫-୦୬ରେ ଋଣ ସଂଗ୍ରହ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୬୯୭.୦୯ କୋଟି ରହିଛି ।

୨୦୧୦-୧୧ରେ ଋଣ ସଂଗ୍ରହ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୦୬୧.୪୫ କୋଟି।

୨୦୧୫-୧୬ରେ ଋଣ ସଂଗ୍ରହ ୧୧,୬୨୫.୩୨ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୩୩୪୩.୨୯ କୋଟି।

୨୦୨୦-୨୧ରେ ୨୦୯୨୯.୧୭ ଋଣ ସଂଗ୍ରହ ଥିବାବେଳେ ସୁଧ ଦେୟ ପରିମାଣ ୬୬୪୨.୭୯ କୋଟି।

୨୦୨୧-୨୨ରେ ଋଣ ସଂଗ୍ରହ ୧୨,୫୫୫୧.୦୩ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୬୩୪୨.୪୫ କୋଟି ରହିଛି

ଗତକାଲି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Related posts