ସାଇବର ଠକଙ୍କ ନୂଆ ତରିକା, ଆପଣଙ୍କ ସିମକୁ 5ଜି କରିବାକୁ କହି ଠକି ନେଉଛନ୍ତି ଟଙ୍କା

Published: Dec 13, 2022, 12:58 pm IST
5G Cheating

ଭୁବନେଶ୍ବର: ବର୍ତ୍ତମାନ ସାଇବର ଅପରାଧୀଙ୍କ ତରିକା ଦିନକୁ ଦିନ ବଦଳିବାରେ ଲାଗିଛି। ବଜାରକୁ ଅନୁଧ୍ୟାନ କରି ସେମାନେ ଏହି ତରିକା ପରିବର୍ତ୍ତନ କରିବାରେ ଲାଗିଛି। ଏବେ ସାରା ଭାରତରେ ୫ଜି ସେବାକୁ ନେଇ ଚର୍ଚ୍ଚା ଚାଲିଛି। ଲୋକମାନେ ଏହି ସେବାକୁ ହାସଲ କରିବା ପାଇଁ ଆଗ୍ରହର ସହକାରେ ଅଛନ୍ତି। ଏହିପରି ଏକ ସମୟରେ ସାଇବର ଅପରାଧୀ ଲୋକଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି।

ସେମାନେ ଆପଣଙ୍କ ମୋବାଇଲକୁ କଲ କରି କୌଣସି ଏକ ଟେଲିକମ କଂପାନୀରୁ କହୁଛି ବୋଲି ପରିଚୟ ଦେଉଛନ୍ତି। ଏହାପରେ ସେମାନେ ଆରମ୍ଭ କରିଦେଉଛନ୍ତି ତାଙ୍କର କଳା କାରବାର। ସେମାନେ ଆପଣଙ୍କୁ କହିବେ ଯେ, ଆପଣଙ୍କର ୪ଜି ସିମକୁ ୫ଜି କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ଆପଣ ଖୁସିରେ ୫ଜି ସେବା ନେବା ପାଇଁ ହଁ କରିବେ। ତେବେ ପଚାରିବେ କେତେ ପଇସା ପଡିବ।

ତେବେ ସେମାନେ କହିବେ ଯେ, ବର୍ତ୍ତମାନ ଏହି ସେବା ବର୍ତ୍ତମାନ ଆରମ୍ଭ ହେଉଥିବାରୁ କଂପାନୀ ତରଫରୁ ମାଗଣା ୫ଜି ଆକ୍ଟିଭେଟ କରାଯାଉଛି। ଏହା ଶୁଣିବା ପରେ ଆପଣଙ୍କର ଖୁସି କହିଲେ ନ ସରେ। ଏହାପରେ ସେମାନେ କିପରି ୫ଜି ଆକ୍ଚିଭେଟ ହେବ ତାହା କହିବ। ଶେଷରେ କହିବେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଗଲା, ତାହା କେତେ ବୋଲି ପଚାରିବେ।

ସେହି ଓଟିପିଟି ଦେବା ପରେ କଥା ସରିଲା। ଆପଣଙ୍କ ସେହି ନମ୍ବରରେ ଯେଉଁ ସବୁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବା ସେଥିରୁ ସାଇବର ଅପରାଧୀମାନେ ଟଙ୍କା ଖାଲି କରିଦେବେ। ଆପଣ ଶେଷରେ ମୁଣ୍ଡପିଟିବା ଛଡା ଆଉ କିଛି ହେବ ନାହିଁ। ପରେ ଆପଣ ସାଇବର ପୋଲିସକୁ ଏହି ଖବର ଦେବେ, ଏହାର ଅନୁସନ୍ଦାନ ହେବ। ହେଲେ ଟଙ୍କା ମିଳିବ କି ନାହିଁ ତାହା କହି ହେବ ନାହିଁ।

ସାଇବର ଠକଙ୍କର ଏପରି କୌଶଳ ନେଇ ବିଭିନ୍ନ ରାଜ୍ୟ ପୋଲିସ ପାଇଁ ମୁଣ୍ଡବଥା ଆରମ୍ଭ ହୋଇଯାଇଛି। ଏହି ସଂଖ୍ୟା ଧିରେ ଧିରେ ବଢୁଥିବାରୁ ପୂର୍ବରୁ ସଚେତନ କରିବା ପାଇଁ ପୋଲିସ ତରଫରୁ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି। ସେଥିପାଇଁ ଏପରି ଠକ ପ୍ରତି ସମସ୍ତେ ସଜାଗ ହେବାର ଆବଶ୍ୟକତା ରହିଛି।

Related posts