ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି- ଏକ ବିଶ୍ଳେଷଣ

Published: Dec 13, 2022, 5:11 pm IST
GST

ନାଗେଶ୍ଵର ପଟ୍ଟନାୟକ

କଥାରେ ଅଛି ମୃତ୍ୟୁ ଓ କର ଛଡ଼ା ଆଉ କିଛି ଚିରନ୍ତନ ନୁହେଁ। ଆଧୁନିକ ଦୁନିଆରେ କର ହିଁ ଆମ ଜୀବନର ଏକ ଅଂଶବିଶେଷ କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ କର ପୁଣି ବିଭିନ୍ନ ପ୍ରକାରର ଯଥା ଆୟ କର, ବିକ୍ରୟ କର, ସେବା କର, କର୍ପୋରେଟ କର- ଏମିତି ଅନେକ। ତେବେ ମୋଟ ଉପରେ ଦେଖିବାକୁ ଗଲେ ଆମ ଦେଶ‍ରେ ଦୁଇ ପ୍ରକାରର କର ଆଦାୟ ହୁଏ, ତାହା ହେଲା ପ୍ରତ୍ୟକ୍ଷ ଓ ପରୋକ୍ଷ କର।

ସର୍ବମୋଟ ରାଜସ୍ଵ ଆଦାୟରେ ପରୋକ୍ଷ କରର ଭାଗ ବୃଦ୍ଧି ପାଉଥିବାରୁ ଏହା ସମଗ୍ର ଦେଶରେ କରଦାତାଙ୍କୁ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାର କର ପ୍ରଶାସନରେ ସଂସ୍କାର ଆଣିବା ପାଇଁ କେତେକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଅନୁପାତକୁ ସନ୍ତୁଳିତ କରିବା ପାଇଁ ପ୍ରଚେଷ୍ଟା କରିଛନ୍ତି ।

ମୋଦୀ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଜୁଲାଇ ୧, ୨୦୧୭ରେ (Goods & Service Tax  GST ) ଦ୍ରବ୍ୟ ଓ ସେବା କର ଲାଗୁ କଲେ । ଏହି କର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଏକକ କାରବାର (Single Transaction) ମାଧ୍ୟମରେ ଆଦାୟ କରାଯାଉଛି ଏବଂ ଏହା ଦେଶରେ ଆର୍ଥକ ସଂହତି ଆଣିପାରିଛି। ଜିଏସଟିର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟମାନଙ୍କ ମଧ୍ୟରେ ବିତ୍ତୀୟ ପ୍ରତିବନ୍ଧକକୁ ଦୂର କରିବା ସହ ଏକ ସମାନ ବଜାର ପ୍ରତିଷ୍ଠା କରିବା। ଜିଏସଟି ଦେଶର ସମସ୍ତ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ସମାନ କର ଲାଗୁ କରିବାରେ ସହାୟକ ହୋଇଛି ।

ନିକଟରେ ଜିଏସଟି ପରିଷଦ ଏହାର ୪୭ତମ ବୈଠକରେ ଡାଲି, ଶସ୍ୟ, ମଇଦା ଇତ୍ୟାଦି ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ଜିଏସଟି ଲାଗୁ କରିବା ଉପରେ ପୁନର୍ବିଚାର କରିବାକୁ ପରାମର୍ଶ ଦେଇଛି। ଖୋଲାରେ ବିକ୍ରି ହେଉଥବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଛାଡ଼ କରାଯାଇଛି । କିନ୍ତୁ ପ୍ରି-ପ୍ୟାକ୍ କିମ୍ବା ପ୍ରି-ଲେବଲଡ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରିବା ନିଷ୍ପତ୍ତିକୁ ନେଇ ଏକ ବିବାଦ ଦେଖାଦେଇଛି।

ତେବେ ଏହା ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଥର ପାଇଁ ଏପରି ଖାଦ୍ୟ ସାମଗ୍ରୀ ଉପରେ ଟିକସ ଲଗାଯାଉନାହିଁ। ଜିଏସଟି ଲାଗୁ ହେବା ପୂର୍ବରୁ ଅନେକ ରାଜ୍ୟ ଖାଦ୍ୟଶସ୍ୟରୁ ଯଥେଷ୍ଟ ରାଜସ୍ଵ ସଂଗ୍ରହ କରୁଥିଲେ । କେବଳ ପଞ୍ଜାବ ରାଜ୍ୟ ଟିକସ ମାଧ୍ୟମରେ ଖାଦ୍ୟଶସ୍ୟ ଉପରୁ ୨୦୦୦ କୋଟିରୁ ଅଧକ ଟଙ୍କା ସଂଗ୍ରହ କରିଥଲା। ସେଭଳି ଉତ୍ତର ପ୍ରଦେଶ ୭୦୦ କୋଟି ଟଙ୍କା ସଂଗ୍ରହ କରିଥଲା।

ଏହାକୁ ଧ୍ୟାନରେ ରଖି ଜିଏସଟି ଲାଗୁ ହେବା ସମୟରେ ବ୍ରାଣ୍ଡେଡ୍ ଶସ୍ୟ, ଡାଲି, ମଇଦା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯାଇଥଲା। ପରବର୍ତ୍ତୀ ସମୟରେ ଏହାକୁ ସଂଶୋଧନ କରାଯାଇ କେବଳ ପଞ୍ଜୀକୃତ ବ୍ରାଣ୍ଡମାନଙ୍କରେ ଲାଗୁ କରାଯାଇଥିଲା।

ତେବେ କିଛିଦିନ ମଧ୍ୟରେ ଖ୍ୟାତିସମ୍ପନ୍ନ ଏବଂ ବ୍ରାଣ୍ଡ୍ ମାଲିକମାନେ ଏହି ବ୍ୟବସ୍ଥାର ଖୋଲା ଖୋଲି ଅପବ୍ୟବହାର କଲେ ଏବଂ ଏହି ଦ୍ରବ୍ୟଗୁଡ଼ିକରୁ ରାଜସ୍ଵ ଆଦାୟ ଯଥେଷ୍ଟ ହ୍ରାସ ପାଇଲା। ଏହାକୁ ନେଇ ଇଣ୍ଡଷ୍ଟ୍ରି ଆସୋସିଏସନ ଏବଂ ବ୍ରାଣ୍ଡେଡ୍ ସାମଗ୍ରୀ ଉପରେ ଟିକସ ଦେଉଥବା ଯୋଗାଣକାରୀ ଏହି ଅପବ୍ୟବହାର ବନ୍ଦ କରିବା ପାଇଁ ସମସ୍ତ ପ୍ୟାକେଜ ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିବା ପାଇଁ ଦାବି କଲେ। ଅନେକ ରାଜ୍ୟ ଅଭିଯୋଗ କଲେ ଯେ ସେମାନେ ଜିଏସଟି ଲାଗୁ ହେବା ପୂର୍ବରୁ ଏ ବାବଦରେ ଯଥେଷ୍ଟ ରାଜସ୍ଵ ଆଦାୟ କରୁଥିଲେ। ଏହି ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ଜିଏସଟି କାଉନସିଲକୁ ଅନୁରୋଧ କରିଥଲେ।

ଏହାପରେ ରାଜସ୍ଥାନ, ପଶ୍ଚିମବଙ୍ଗ, ତାମିଲନାଡୁ, ବିହାର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା ଏବଂ ଗୁଜରାଟର ଅଧକାରୀଙ୍କୁ ନେଇ ଗଠିତ ଫିଟମେଣ୍ଟ କମିଟି ଏହି ବ୍ୟବସ୍ଥାର ତର୍ଜମା କରିଥିଲେ ଏବଂ ଏହାର ଅପବ୍ୟବହାରକୁ ରୋକିବା ପାଇଁ ସୁପାରିସ କରିଥିଲେ। ଜିଏସଟି ପରିଷଦ ଏହାର ୪୭ତମ ବୈଠକରେ ଏହି ସୁପାରିସକୁ ଗ୍ରହଣ କଲା ଏବଂ ଜୁଲାଇ ୧୮ ଠାରୁ ଡାଲି, ଶସ୍ୟ, ମଇଦା ଇତ୍ୟାଦି ନିର୍ଦ୍ଦିଷ୍ଟ ଖାଦ୍ୟ ଉପରେ ଜିଏସଟି ଲାଗୁ କରିବାର ମୋଡାଲିଟି ପରିବର୍ତ୍ତନ ହୋଇଛି । ଏହି ୨/୩ଟି ଜିନିଷକୁ ବାଦ ଦେଲେ ଜିଏସଟିର କଭରେଜରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ସବୁଠାରୁ ବଡ଼ କଥା ହେଲା ଲିଗାଲ ମେଟ୍ରୋଲୋଜି ଅଧନିୟମର ନିୟମାବଳୀ ଅନୁଯାୟୀ “ପ୍ରି-ପ୍ୟାକେଜ ଏବଂ ଲେବଲଡ’ ଦ୍ରବ୍ୟର ଯୋଗାଣ ସମୟରେ ଏହି ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବ ବୋଲି କୁହାଯାଇଛି ।

ଉଦାହରଣ ସ୍ଵରୂପ, ୟୁନିଟ କଣ୍ଟେନରରେ ଆସୁଥବା ବ୍ରାଣ୍ଡେଡ ଏବଂ ପ୍ୟାକେଜ ହୋଇଥବା ଡାଲି, ଚାଉଳ, ଗହମ ଏବଂ ମଇଦା ଆଦି ସାମଗ୍ରୀ ଉପରେ ପୂର୍ବରୁ ୫ ପ୍ରତିଶତ ଜିଏସଟି ଆଦାୟ କରାଯାଉଥିଲା । ଜିଏସଟି ପରିଷଦର ସଦ୍ୟତମ ନିଷ୍ପତ୍ତି ଅନୁସାରେ ଜୁଲାଇ ୧୮ ତାରିଖରୁ ଏହି ଜିନିଷଗୁଡ଼ିକ ଉପରେ ଜିଏସଟି ଲାଗୁ ହେବ ଯେତେବେଳେ ସେଗୁଡ଼ିକ “ପ୍ରି-ପ୍ୟାକେଜ ଏବଂ ଲେବଲଡ” ହୋଇଥିବ। ତେବେ ଯେତେବେଳେ ଏହା ଖୋଲାରେ ବିକ୍ରି ହୁଏ ଉକ୍ତ ଜିନିଷଗୁଡ଼ିକ ଉପରେ କୌଣସି ଜିଏସଟି ଲାଗୁହେବ ନାହିଁ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଟିକସ ଠକାମିକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନେବା ଜରୁରୀ ଥିଲା। ଏ ସମ୍ପର୍କରେ ସରକାରୀ ଅଫିସର, ମନ୍ତ୍ରିମଣ୍ଡଳ ସମେତ ବିଭିନ୍ନ ସ୍ତରରେ ବିଚାରବିମର୍ଶ କରାଯାଇଥିଲା ଏବଂ ସର୍ବଶେଷରେ ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହମତି ସହିତ ଜିଏସଟି ପରିଷଦ ଦ୍ଵାରା ସୁପାରିସ କରାଯାଥିଲା। ଯେତେବେଳେ ଜୁନ୍ ୨୮ରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ୪୭ତମ ବୈଠକରେ ‘Rate Rationalisation’ ଉପରେ ଗଠିତ ମନ୍ତ୍ରିମଣ୍ଡଳ ଏହି ପ୍ରସଙ୍ଗକୁ ଉପସ୍ଥାପିତ କରିଥିଲେ, ସେତେବେଳେ ଜିଏସଟି ପରିଷଦରେ ସମସ୍ତ ରାଜ୍ୟ ଉପସ୍ଥିତ ଥିଲେ ।

ଅଣ ବିଜେପି ରାଜ୍ୟ ଯଥା ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କେରଳ ସମେତ ସମସ୍ତ ରାଜ୍ୟ ଏହି ନିଷ୍ପତ୍ତିରେ ସହମତ ହୋଇଛନ୍ତି। ଆହୁରି ମଧ୍ୟ, ଏହି ପରିବର୍ତ୍ତନଗୁଡ଼ିକୁ ସୁପାରିସ କରିଥିବା ‘ଜିଓଏମ’ ବା ମନ୍ତ୍ରୀଗୋଷ୍ଠୀ ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ଉତ୍ତର ପ୍ରଦେଶ, ଗୋଆ ଏବଂ ବିହାରର ସଦସ୍ୟମାନଙ୍କୁ ନେଇ ଗଠିତ ହୋଇଥିଲା ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏହାର ନେତୃତ୍ଵ ନେଇଥିଲେ।

ଇତି ମଧ୍ୟରେ ଜିଏସଟିକୁ ଦେଶରେ ଲାଗୁ କରିବାର ୫ ବର୍ଷ ପୂରଣ ହୋଇଛି ଏବଂ ରାଜସ୍ଵ ବୃଦ୍ଧି ଦୁଇ ଗୁଣରୁ ଅଧିକ ହୋଇଛି । ମୋଦୀ ସରକାର କର ଫାଙ୍କୁଥିବା ବ୍ୟବସାୟୀ, ପ୍ରତିଷ୍ଠାନଗୁଡ଼ିକୁ ଲଗାମ ଲଗାଇବା ପାଇଁ ଉଦ୍ୟମ କରିଛନ୍ତି। ତେବେ ବିଶେଷଜ୍ଞ ଜିଏସଟିରେ ରେଟ୍ ସରଳୀକରଣର ଆବଶ୍ୟକତା ରହୁଛି ବୋଲି କହିଛନ୍ତି।

ପୂର୍ବତନ ନିତି ଆୟୋଗ ମୁଖ୍ୟ ଅରବିନ୍ଦ ପାନଗାରିଆ ଜିଏସଟି ଛାଡ଼ ସୂଚୀକୁ କମାଇବା ସହ ଦୁଇଟି ମାତ୍ର କର ଆଦାୟର ବ୍ୟବସ୍ଥା କରିବା ଉଚିତ ବୋଲି ନିକଟରେ ମତ ଦେଇଛନ୍ତି। ବର୍ତ୍ତମାନ ଜିଏସଟିର ୪ଟି ସ୍ଲାବ ରହିଛି- ଅତ୍ୟାବଶ୍ୟକ ଦ୍ରବ୍ୟରେ ୫ ପ୍ରତିଶତ କର ହେଲାବେଳେ ସର୍ବାଧିକ ୨୮ ପ୍ରତିଶତ କର ସୌଖିନ ଦ୍ରବ୍ୟ ଉପରେ ଆଦାୟ ହେଉଛି। ଏହାଛଡ଼ା କେତେକ ସାମଗ୍ରୀ ଉପରେ ୧୨ ଏବଂ ୧୮ ପ୍ରତିଶତ କର ଆଦାୟ ହେଉଛି ।

ଆଗାମୀ ଦିନରେ ଜିଏସଟିରେ ବ୍ୟାପକ ସଂସ୍କାର ଆସିବ ବୋଲି ଅନେକ ବିଶାରଦ ମତ ଦେଇଛନ୍ତି। ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ଜିଏସଟି ଆଦାୟର ସରଳୀକରଣ ହେବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ ।

Related posts