ୟେସ୍‌ ବ୍ୟାଙ୍କ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ : ତିନି ଦିନ ମଧ୍ୟରେ ଉଠିବ କଟକଣା

Published: Mar 13, 2020, 4:56 pm IST

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏସ୍‌ବିଆଇ ନେତୃତ୍ବରେ ପୁନରୁଦ୍ଧାର ଯୋଜନାକୁ କ୍ୟାବିନେଟ୍‌ ମୋହର ମିଳିଥିବା ସମ୍ପର୍କରେ ସୀତାରମଣ ଘୋଷଣା କରିଛନ୍ତି । ସେହିପରି ୟେସ୍‌ ବ୍ୟାଙ୍କ ଉପରେ ଲଗାଯାଇଥିବା ଆର୍ଥିକ କଟକଣାକୁ ମଧ୍ୟ ଆସନ୍ତା ତିନି ଦିନ ମଧ୍ୟରେ ହଟାଇ ନିଆଯିବ ବୋଲି ସୀତାରମଣ ସୂଚନା ଦେଇଛନ୍ତି । ଏସ୍‌ବିଆଇ ୟେସ୍‌ ବ୍ୟାଙ୍କର 49 ପ୍ରତିଶତ ଅଂଶଧନ କିଣିବାକୁ ଯାଉଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏକ ହଜାର କୋଟି ନିବେଶ କରିବାର ପ୍ରସ୍ତାବ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଏସ୍‌ବିଆଇର 26 ପ୍ରତିଶତ ଅଂଶଧନ ଲକ୍‌ଇନ୍‌ ହୋଇ ରହିବ ଏବଂ ଅନ୍ୟ ନିବେଶକଙ୍କର 75 ପ୍ରତିଶତ ଅଂଶଧନ ଲକ୍‌ଇନ୍‌ ହୋଇ ରହିବ । ସେହିପରି ଆସନ୍ତା 7 ଦିନ ମଧ୍ୟରେ ୟେସ୍‌ ବ୍ୟାଙ୍କ ପାଇଁ ଏକ ନୂତନ ବୋର୍ଡ ଗଠନ କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । (ଏଜେନ୍ସି)

Related posts