ଚଳିତ ଦୀପାବଳିରେ ହୋଇଛି 72 ହଜାର କୋଟିର ବ୍ୟବସାୟ: ସିଏଆଇଟି

Published: Nov 16, 2020, 6:03 pm IST

ନୂଆଦିଲ୍ଲୀ: ଚଳିତ ଦୀପାବଳିରେ ପ୍ରାୟ 72 ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିବା ନେଇ ସର୍ବଭାରତୀୟ ବଣିକ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରାୟ 7 କୋଟି ବ୍ୟବସାୟୀ ଏବଂ 40 ହଜାର ବ୍ୟବସାୟୀ ସଂଘକୁ ନେଇ ଗଠିତ ସିଏଆଇଟି ଏହି ସୂଚନା ପ୍ରଦାନ କରିଛି। 20ଟି ସହରରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି। ଚଳିତ ବର୍ଷ ହୋଇଥିବା ବ୍ୟବସାୟ ପୂର୍ବବର୍ଷ ଅପେକ୍ଷା 10.8 ପ୍ରତିଶତ ଅଧିକ। ଚୀନ ଉତ୍ପାଦ ବର୍ଜନ ଚଳିତ ବର୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଲାଭବାନ ସାବ୍ୟସ୍ତ ହୋଇଛି ବୋଲି ପ୍ରକାଶ ପାଇଛି।

ଚଳିତ ବର୍ଷ ବାଣ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ବାଣ ବେପାରୀ ପ୍ରାୟ 10 ହଜାର କୋଟି ଟଙ୍କା ହରାଇଛନ୍ତି। ତେବେ ଗ୍ରାହକ ମାନେ ଏହା ପରିବର୍ତ୍ତେ ଅନ୍ୟାନ୍ୟ ଉପହାର ଏବଂ ଉତ୍ପାଦ କିଣିଥିଲେ, ଯାହା ଫଳରେ ବାଣ ବ୍ୟବସାୟରେ 10 ହଜାର କୋଟିର କ୍ଷତି ସତ୍ତ୍ୱେ ସମୁଦାୟ ବେପାର ଗତବର୍ଷ ଅପେକ୍ଷା ଅଧିକ ରହିଛି। ମାଟି ଦୀପ ସହିତ ଅନ୍ୟାନ୍ୟ ହସ୍ତନିର୍ମିତ ପଦାର୍ଥର ବିକ୍ରିବଟା ଅଧିକ ହୋଇଥିବା ଜଣାପଡିଛି।

ଏହା ସହିତ ସିଏଆଇଟି ପକ୍ଷରୁ ଏହାର ନିଜସ୍ୱ ଇ କମର୍ସ ପୋର୍ଟାଲ ଆସନ୍ତା ଡିସେମ୍ବର ମାସରେ ଲଞ୍ଚ ହେବାକୁ ଯାଉଛି। ଡିପିଆଇଆଇଟି, ଷ୍ଟାର୍ଟଅପ ଇଣ୍ଡିଆ, ଇନଭେଷ୍ଟ ଇଣ୍ଡିଆ ଏବଂ ଅଭାନା କ୍ୟାପିଟାଲ୍ସର ମିଳିତ ଉଦ୍ୟମରେ ଏହି ଇ କମର୍ସ ପୋର୍ଟାଲ ନିର୍ମିତ ହେବ। ଦେଶରେ ରହିଥିବା ସମସ୍ତ ବିକ୍ରେତାଙ୍କୁ ଅନଲାଇନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି। (ଏଜେନ୍ସି)

Related posts