ବାଣପୁରରେ ଅବକାରୀ ବିଭାଗର ଚଢ଼ାଉ: ୩୦୦ ଲିଟର ଦେଶୀ ମଦ ଜବତ, ୨ ମହିଳା ଗିରଫ

Published: Jan 27, 2021, 5:13 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବହୁ ଦିନ ଧରି ଚୋରା ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ତେଣୁ ଅବକାରୀ ବିଭାଗ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଉପରେ ଲଗାମ ଲଗାଇବା ପାଇଁ ତତ୍ପର ହୋଇଉଠିଥିବା ଦେଖିବାକୁ ମିଳିଛି।

ତେବେ ଏନେଇ ଆଜି ସକାଳେ ବାଣପୁରର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଭୁବନେଶ୍ୱର ଅବକାରୀ ବିଭାଗ ସବ ଇନ୍ସପେକ୍ଟର ଅଂଶୁମାନ ଜେନା ଏବଂ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ ଓ ତାଙ୍କ ଟିମ ମିଳିତ ଭାବେ ଚଢାଉ କରିଥିଲେ। ଚଢାଉ ପରେ ଆଜି ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଦୁଇ ଜଣ ମହିଳାଙ୍କ ବିରୋଧରେ ଅବକାରୀ କେସ ନମ୍ବର ୭୨ ଏବଂ ୭୩ ରେ ମାମଲା ରୁଜୁ କରି ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ତେବେ ଆଗାମୀ ଦିନରେ ବାଣପୁର ବାଲୁଗାଁ ଅଞ୍ଚଳରେ ଏହିପରି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ।

Related posts