
ନୟାଗଡ଼: ରଣପୁର ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା। ବିପୁଳ ପରିମାଣର ଗଞ୍ଜେଇ ସହ ଏକ ୧୦ ଚକିଆ ଟ୍ରକ୍ ପୋଲିସ ଜବତ କରିଛି। ଏହାସହ ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣ ର୍ୟାକେଟକୁ ଧରିବାରେ ମଧ୍ୟ ପୋଲିସ ସଫଳ ହୋଇଛି।
ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସ ଏକ ଆନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣ ର୍ୟାକେଟକୁ ଗିରଫ କରିବା ସହ ବ୍ୟବହାର ହୋଇଥିବା ଏକ ୧୦ ଚକିଆ ଟ୍ରକ୍ ଓ ସେଥିରୁ ୩ କୁଇଣ୍ଟାଲ ୬୬ କେଜି ଗଞ୍ଜେଇ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ରଣପୁର ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ରଣପୁର ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି।
ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇଆଇସି ଶ୍ରୀ ପଣ୍ଡା, ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ସଦଳବଳେ ରାଜସୁନାଖଳା କୋଟଗଡ ଘାଟି ନିକଟରେ ଜଗି ରହିଥିଲେ। ମଙ୍ଗଳବାର ସନ୍ଧ୍ୟା ୭ଟାରେ ସଂନ୍ଦିଗ୍ଧ ୧୦ଚକିଆ ଟ୍ରକ୍କୁ ଘାଟି ନିକଟରେ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖି ଗଞ୍ଜେଇ ସହ ଟ୍ରକ୍କୁ ଜବତ କରିଥିଲେ।
ଗିରଫ ଅଭିଯୁକ୍ତମାନେ ହେଲେ ଆଠଗଡ ଜେନାପଦାର କାଳନ୍ଦିଚରଣ ରଣା, ଗୁଣ୍ଠୁଣିର ପବିତ୍ର କୁମାର ନାୟକ, ବେଗୁନିଆର ନାରାୟଣ ପରିଡା, ଭଞ୍ଜଗର ତାରିସେଣି ର ଭିକାରୀ ସେଠୀଙ୍କ ସମେତ ଉତ୍ତରପ୍ରଦେଶ ବାରଣାସୀ ଅଞ୍ଚଳର ଆରେଖ କୁମାର ଓ ବିନୟ କୁମାର।
ଏହି ଗଞ୍ଜେଇ ବିଶାଖାପାଟଣା ଅଞ୍ଚଳରୁ ଉତ୍ତରପ୍ରଦେଶ ବାରଣାସୀ ଯାଉଥିଲା ବୋଲି ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ ଜେରା କଲାବେଳେ ଜାଣିବାକୁ ପାଇଛି। ଏହି ଆନ୍ତରାଜ୍ୟ ଗଞ୍ଜେଇ ଚୋରା ଚାଲାଣରେ ଓଡ଼ିଶାର କିଛି ଗଞ୍ଜେଇ ବେପାରୀ ସାମିଲ୍ ଥିବାର ଅନୁମାନ କରାଯାଉଛି।