ବାଲୁଗାଁ: ସ୍ତ୍ରୀକୁ ବିଷ ଦେଇ ସ୍ୱାମୀ ମାରିଦେଇଥିବାର ଅଭିଯୋଗ

Published: Oct 15, 2021, 8:24 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସ୍ତ୍ରୀକୁ ସ୍ୱାମୀ ବିଷ ଦେଇ ମାରିଦେଇଥିବାର ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବାଲୁଗାଁ ଏନଏସି ରାଜୀବ ନଗର ଅଞ୍ଚଳରେ।

ଅଭିଯୋଗ ମୁତାବକ ବୋଲଗଡ ଥାନା ଆରିକମା ଗ୍ରାମର ମୁନା ନାୟକଙ୍କ ଝିଅ ନମିତା ନାୟକ (୩୨) ନଅ ବର୍ଷ ତଳେ ବାଲୁଗାଁ ଥାନା ରାଜୀବ ନଗର ନିବାସୀ ମାନସ ନାୟକ (୩୫) ଙ୍କୁ ବୈଦିକ ରୀତି ଅନୁଯାୟୀ ବିବାହ କରିଥିଲେ। ନମିତାଙ୍କ ତିନି ଗୋଟି ସନ୍ତାନ ଅଛନ୍ତି। ତେବେ ହଠାତ ଗତକାଲି ସଂନ୍ଧ୍ୟାରେ ନମିତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ସ୍ୱାମୀ ମାନସ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାର ୨୦ ମିନିଟ ମଧ୍ୟରେ ନମିତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ଡାକ୍ତର ବାଲୁଗାଁ ପୋଲିସକୁ ଜଣାଇବାପରେ ପୋଲିସ ନମିତାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

କିନ୍ତୁ ନମିତାଙ୍କ ଭାଇ ମନୋଜ ନାୟକ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି କି ତାଙ୍କ ଭଉଣୀଙ୍କୁ ମାନସ ବିଷ ଦେଇ ମାରିଦେଇଛନ୍ତି। ଏହାପରେ ବାଲୁଗାଁ ପୋଲିସ କେସ ନମ୍ବର ୧୭୭/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି। ତେବେ ନମିତାଙ୍କ ମୃତ୍ୟୁ ସନ୍ଦେହଘେରରେ ଥିବାବେଳେ ଆଜି ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ଅନ୍ୟ ଅଧିକାରୀମାନେ ଯାଇ ଘଟଣାର ଛାନଭିନ କରିଛନ୍ତି।

ତେବେ ପ୍ରାଥମିକ ଅନୁସନ୍ଧାନରୁ ନମିତାଙ୍କ ମୃତ୍ୟୁ ବିଷପାନ ଲାଗି ଅନୁମାନ କରାଯାଉଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ମାହାଲିକ ସୂଚନା ଦେଇଛନ୍ତି। ଅନୁରୂପଭାବେ ନମିତାଙ୍କ ଶ୍ୱଶୁର ଘରେ ସଦାବେଳେ ପାରିବାରିକ କଳହ ଲାଗିରହୁଥିବାର ସ୍ଥାନୀୟ ବାସିନ୍ଦାମାନେ ସୂଚନା ଦେଇଛନ୍ତି।

Related posts