ଖୋର୍ଦ୍ଧା: ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ମହିଳା ଗିରଫ

Published: Oct 19, 2021, 8:24 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ମହିଳା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳେ ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳର ସ୍ଵପ୍ନେଶ୍ଵର ସାହିରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଏବଂ ଟାଉନ ଥାନା ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ସଂନ୍ଦିଗ୍ଧ ଅବସ୍ଥାରେ ଜଣେ ମହିଳା ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା।

କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ମହିଳାଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ୩୦.୦୮ ଗ୍ରାମ ବ୍ରାଉନ ସୁଗାର ସହିତ ନକଦ ୫୨ ହଜାର ଟଙ୍କା ପୋଲିସ ଉକ୍ତ ମହିଳାଙ୍କ ନିକଟରୁ ଜବତ କରିଛି। ଜବତ ବ୍ରାଉନସୁଗରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ମହିଳା ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳ ସ୍ଵପ୍ନେଶ୍ଵର ସାହିର ସରୋଜିନୀ ଧଳ (୩୬)। ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୧୭/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଏସ ଆଇ ଅନୁଭା ଦାସ, ବିଜୟ କେତନ ବେହେରା,ପଦ୍ମଲୋଚନ ବେହରା, ଦିଗବିଜୟ ବିଶ୍ୱାଳ, ଏଏସଆଇ ଅକ୍ଷୟ କୁମାର ସେଠି ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Related posts