ବାଣପୁର: ଗୋଟିଏ ଦିନରେ ଦୁଇଟି ଲୁଟ୍, ସ୍ପଷ୍ଟ ଦିବାଲୋକରେ ଚୋରି ହେଲା ବୁଲେଟ୍ ଏବଂ ସୁନାଗହଣା

Published: Nov 29, 2021, 9:52 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଲୁଟେରାମାନଙ୍କ ପାଦୁର୍ଭାବ ବଢିଚାଲିଛି। ଆଜି ଦିନକରେ ବାଣପୁର ଅଞ୍ଚଳରୁ ଦୁଇ ଦୁଇଟି ଚୋରୀ ଘଟଣା ସାମ୍ନାକୁ ଆସିଛି। ପ୍ରଥମ ଘଟଣାରେ ଜଣେ ମହିଳାଙ୍କୁ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଥିବା ବେଳେ ଅନ୍ୟ ଏକ ସ୍ଥାନରୁ ବୁଲେଟ ଗାଡି ଚୋରୀ ହୋଇଛି। ସ୍ପଷ୍ଟ ଦିବାଲୋକରେ ଏଭଳି ଦୁଇ ଦୁଇଟି ଘଟଣା ଏହି ଅଞ୍ଚଳରେ ଘଟିଯାଇଛି।

ସୂଚନା ମୁତାବକ ବାଣପୁର ସହରର ବିଶିଷ୍ଟ ବ୍ୟବସାୟୀ ରବି ନାରାୟଣ ପାଲ ଆଜି ଅପରାହ୍ନରେ ହାତୀମୁଣ୍ଡା ସ୍ଥିତ ଗଛ ବାଲୁଙ୍କେଶ୍ୱର ମନ୍ଦିରର ଦଧି ନଉତି ପୁନଃ ପ୍ରତିଷ୍ଠା ଉତ୍ସବ ରେ ନିଜ ପୁତ୍ରଙ୍କ ସହ ଓଡି-୦୫-ଏଭି-୬୩୨୮ ନମ୍ବର ବିଶିଷ୍ଟ ବୁଲେଟ ମଟରସାଇକେଲରେ ଯାଇଥିଲେ। ତେବେ ମନ୍ଦିର ପୂଜା ସାରି ଫେରିଲାବେଳକୁ ମନ୍ଦିର ସାମ୍ନାରୁ ବୁଲେଟ ଚୋରୀ ହୋଇଯାଇଥିବା ଦେଖିବାକୁ ପାଇଥିଲେ।

କୌଣସି ଦୁର୍ବୁତ୍ତ ବୁଲେଟର ମେନ ଲକ ଭାଙ୍ଗି ଚୋରି କରି ନେଇଯାଇଥିବାର ରବି ନାରାୟଣ କହିଛନ୍ତି। ଏ ନେଇ ରବି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ସହରରେ ସ୍ପଷ୍ଟ ଦିବାଲୋକରେ ଗାଡ଼ି ଚୋରି ହେଉଥିବା ବେଳେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି।

ତେବେ ଚୋରି କରିବା ଉଦ୍ଦେଶ୍ୟରେ କିଛି ଆନ୍ତଜିଲ୍ଲା ଲୁଟେରା ବାଣପୁର ଅଞ୍ଚଳରେ ଘୁରିବୁଲୁଥିବା ସ୍ଥାନୀୟ ବାସୀ ସନ୍ଦେହ କରୁଛନ୍ତି। ତେଣୁ ବାଣପୁର ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରି ଅନ୍ୟ ଜିଲ୍ଲାରୁ ଆସୁଥିବା ବ୍ୟକ୍ତିମାନଙ୍କୁ ତଦନ୍ତ କରାଗଲେ ଡକାୟତମାନଙ୍କ ପାଦୁର୍ଭାବ ହ୍ରାସ ପାଇବା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Related posts