
ସୀତାରାମ ଅଗ୍ରୱାଲ
ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ଗତକାଲି ବାଣପୁର ବିଚାର ବିଭାଗୀୟ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ବର୍ତ୍ତମାନ ବାଣପୁର ସବ ଜେଲରେ ଅଛନ୍ତି।
କିନ୍ତୁ ଏହା ମଧ୍ୟରେ ତାଙ୍କ ଗାଡିକୁ ନେଇ ନୂଆ ବିବାଦ ଦେଖାଯାଇଛି। ସର୍ବ ସମ୍ମୁଖରେ ଲୋକଙ୍କ ଉପରକୁ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଗାଡି ଚଢାଇଦେଇଥିଲେ, ବର୍ତ୍ତମାନ ସେହି ଗାଡିର ନମ୍ବର ବଦଲାଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ବେଳେ ଭିଡିଓରେ କଏଦ ହୋଇଥିବା ଗାଡିର ନମ୍ବରକୁ ପୋଲିସ ହେପାଜତରେ ଥିବା ଗାଡିର ନମ୍ବରରେ ଫରକ ଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ସମୟରେ ବିଧାୟକ ଲ୍ୟାଣ୍ଡରୋଭରର ଡିସ୍କୋଭରୀ ଗାଡି ଚଲାଉଥିବା ବେଳେ ତାହାର ନମ୍ବର ଓଡ଼ି-୨୫-କେ-୫୭୭୫ ଥିଲା। କିନ୍ତୁ ପୋଲିସ ରିପୋର୍ଟ ଅନୁଯାୟୀ ସେହି ଗାଡିର ନମ୍ବର ଓଡ଼ି-୦୨-ଏୱାଇ-୫୭୭୫ ରହିଛି। ଯାହାକି ଏକ ହ୍ୟୁଣ୍ଡାଇ କେଟ୍ରାର ଗାଡି ନମ୍ବର। ପରିବହନ ବିଭାଗର ତଥ୍ୟ ଅନୁଯାୟୀ ଏହି ଗାଡିଟି ଶିବାନୀ ଫୁଡ ପ୍ରଡ଼କ୍ଟସ ପ୍ରାଇଭେଟ ଲିମିଟେଡ ନାମରେ ପଞ୍ଜୀକୃତ ହୋଇଛି।
ତେବେ ବିବାଦ ବଢିବା ପରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହିଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଖୋର୍ଦ୍ଧା ଏସପିଙ୍କ ଅନୁଯାୟୀ, ସେଦିନ ବିଧାୟକ ଏକ ଫର୍ଜି ନମ୍ବର ଗାଡି ଚଳାଉଥିଲେ। ଯାହା ଫଳରେ ତାଙ୍କ ବିରୋଧରେ ଆଉ ଏକ ଜାଲିଆତି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଏହି ବିଷୟରେ କୋର୍ଟଙ୍କୁ ଜଣାଇଦିଆଯିବ ବୋଲି ଏସପି କହିଛନ୍ତି।