Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ ଜିଲ୍ଲା ପୋଲିସ ବିଭାଗରେ ଅଦଳ ବଦଳ, ଦେଖନ୍ତୁ ତାଲିକା

ନୟାଗଡ଼: ଖୋର୍ଦ୍ଧା ଜିଲ୍ଲା ପରେ ଏବେ ନୟାଗଡ଼ ଜିଲ୍ଲା ପୋଲିସ ବିଭାଗରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସିଙ୍କ ବଦଳି ସମେତ ନୂତନ ଭାବେ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କୁ ଥାନାରେ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ମୁଖ୍ୟ ତଥା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିଷ୍ପତ୍ତିକ୍ରମେ ଉକ୍ତ ବଦଳି ହୋଇଛି।

ବଦଳି ତାଲିକା:

ବାଣିଗୋଛା ଥାନା ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଚାନ୍ଦପୁର ଥାନା, ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ଖଣ୍ଡପଡ଼ା ଥାନା, ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ଇଟାମାଟି ଥାନା, ଆଇଆଇସି ସଞ୍ଜୟ କୁମାର ମଲ୍ଲିକଙ୍କୁ ବାଣିଗୋଛା ଥାନା, ନୂଆଗାଁ ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କୁ ଦଶପଲ୍ଲା ଥାନାକୁ ବଦଳି କରାଯାଇଥିବା ବେଳେ ନୂତନ ଇନ୍ସପେକ୍ଟର ପୁଷ୍ପଲତା ବେହେରାଙ୍କୁ ନୂଆଗାଁ ଥାନାର ଆଇଆଇସି ଭାବେ ନିଯୁକ୍ତ କରାଯାଇଛି। ସମସ୍ତ ଅଧିକାରୀ ମାନେ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରତିଷ୍ଠା ଦିବସରେ ପୋଲିସ ସେବା ପାଇଁ ପାଞ୍ଚ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସପି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୭ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଏସପି ପହି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ।

ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ସଦର ଥାନା ଏଏସଆଇ ଦିଲ୍ଲୀପ କୁମାର ବିଶ୍ୱାଳ, ଜଙ୍କିଆ ଥାନା କନଷ୍ଟେବଳ ପ୍ରିତୀମୟୀ ବଡ଼ଜେନା, କନଷ୍ଟେବଳ ସୁଦାମ ବଳିୟାରସିଂହ ଏବଂ ଟ୍ରାଫିକ କନଷ୍ଟେବଳ ପ୍ରବୋଧ କୁମାର ସାହୁ ଆଦି ୫ଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅତିରିକ୍ତ ଏସପି ସୁରେଶ କୁମାର ଦାଶ, ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ଖୋର୍ଦ୍ଧା ଏସଡିପିଓ ସୁଶିଲ କୁମାର ମିଶ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ସମସ୍ତ ଥାନାଧିକାରୀ, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଓ ସେନାଧିକାରୀମାନେ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗାଡିକୁ ନେଇ ବିବାଦ: ରୁଜ୍ଜୁ ହେଲା ଆଉ ଏକ ମାମଲା

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ଗତକାଲି ବାଣପୁର ବିଚାର ବିଭାଗୀୟ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ବର୍ତ୍ତମାନ ବାଣପୁର ସବ ଜେଲରେ ଅଛନ୍ତି।

କିନ୍ତୁ ଏହା ମଧ୍ୟରେ ତାଙ୍କ ଗାଡିକୁ ନେଇ ନୂଆ ବିବାଦ ଦେଖାଯାଇଛି। ସର୍ବ ସମ୍ମୁଖରେ ଲୋକଙ୍କ ଉପରକୁ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଗାଡି ଚଢାଇଦେଇଥିଲେ, ବର୍ତ୍ତମାନ ସେହି ଗାଡିର ନମ୍ବର ବଦଲାଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ବେଳେ ଭିଡିଓରେ କଏଦ ହୋଇଥିବା ଗାଡିର ନମ୍ବରକୁ ପୋଲିସ ହେପାଜତରେ ଥିବା ଗାଡିର ନମ୍ବରରେ ଫରକ ଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ସମୟରେ ବିଧାୟକ ଲ୍ୟାଣ୍ଡରୋଭରର ଡିସ୍କୋଭରୀ ଗାଡି ଚଲାଉଥିବା ବେଳେ ତାହାର ନମ୍ବର ଓଡ଼ି-୨୫-କେ-୫୭୭୫ ଥିଲା। କିନ୍ତୁ ପୋଲିସ ରିପୋର୍ଟ ଅନୁଯାୟୀ ସେହି ଗାଡିର ନମ୍ବର ଓଡ଼ି-୦୨-ଏୱାଇ-୫୭୭୫ ରହିଛି। ଯାହାକି ଏକ ହ୍ୟୁଣ୍ଡାଇ କେଟ୍ରାର ଗାଡି ନମ୍ବର। ପରିବହନ ବିଭାଗର ତଥ୍ୟ ଅନୁଯାୟୀ ଏହି ଗାଡିଟି ଶିବାନୀ ଫୁଡ ପ୍ରଡ଼କ୍ଟସ ପ୍ରାଇଭେଟ ଲିମିଟେଡ ନାମରେ ପଞ୍ଜୀକୃତ ହୋଇଛି।

ତେବେ ବିବାଦ ବଢିବା ପରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହିଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଖୋର୍ଦ୍ଧା ଏସପିଙ୍କ ଅନୁଯାୟୀ, ସେଦିନ ବିଧାୟକ ଏକ ଫର୍ଜି ନମ୍ବର ଗାଡି ଚଳାଉଥିଲେ। ଯାହା ଫଳରେ ତାଙ୍କ ବିରୋଧରେ ଆଉ ଏକ ଜାଲିଆତି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଏହି ବିଷୟରେ କୋର୍ଟଙ୍କୁ ଜଣାଇଦିଆଯିବ ବୋଲି ଏସପି କହିଛନ୍ତି।

Categories
PanchayatElection ଅପରାଧ ଆଜିର ଖବର

ଚିଲିକାରେ ନିର୍ବାଚନୀ ହିଂସା: ଆଜିଠାରୁ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଥମ ଦିନରେ ୨୧ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ବ୍ଲକରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଭୋଟ ବାକ୍ସ ଭିତରେ ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟ ବନ୍ଦ ହୋଇରହିଛି। ତେବେ ନିର୍ବାଚନ ପୁର୍ବରୁ ଏବଂ ପରେ ଉଭୟ ବାଣପୁର ଓ ଚିଲିକା ବ୍ଲକରେ ଏକାଧିକ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି।

ଜିଲ୍ଲା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଆଜି ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳର ରାଜନୈତିକ ହିଂସାରେ ଜଡ଼ିତ ଥିବା ୨୧ ଜଣ ଉପଦ୍ରବିମାନଙ୍କୁ ଚି଼ହ୍ନଟ କରାଯାଇ ଗିରଫ କରାଯାଇଛି। ଆଜି ପ୍ରଥମ ଦିନରେ ବାଲୁଗାଁ ଥାନା ଅଞ୍ଚଳରୁ ୧୪ ଏବଂ ବାଣପୁର ଥାନା ଅଞ୍ଚଳରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଏସପି ଶ୍ରୀ ପହି।

ନିକଟରେ ବାଲୁଗାଁ ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମ ଏବଂ ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ଓ ଥାନା ପରିସରରେ ଘଟିଥିବା ହିଂସାରେ ଉକ୍ତ ଅଭିଯୁକ୍ତମାନେ ଜଡିତ ଥିବା ଜଣାପଡିଛି। ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ଏବଂ ସମସ୍ତ ଅଭିଯୁକ୍ତମାନେ ଗିରଫ ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଏସପି କହିଛନ୍ତି।

ତତସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଏସପି ଜନସାଧାରଣଙ୍କୁ ଅପିଲ କରିଛନ୍ତି। ହିଂସାକୁ କଦାପି ବରଦାସ୍ତ କରାଯିବନାହିଁ ଏବଂ ଆଗକୁ ମଧ୍ୟ ଯିଏ ରାଜନୈତିକ ହିଂସା ସୃଷ୍ଟି କରିବ ତାକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଏସପି ଶ୍ରୀ ପହି କହିଛନ୍ତି।

ତେବେ ନିର୍ବାଚନ ପରେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ଆକ୍ସନ ମୁଡ଼ରେ ଦେଖିବାକୁ ମିଳିଛି। ‘ତମେ ଭଦ୍ର ହେଲେ ଆମେ ନମ୍ର’ ଏବଂ ‘ତମେ ହିଂସ୍ର ହେଲେ ଆମେ ଉଗ୍ର’ ଏହି ମନ୍ତ୍ରକୁ ନେଇ ଆଗକୁ ବଢୁଛି ପୋଲିସ। ତେବେ ଗିରଫ ଭୟରେ ଉକ୍ତ ରାଜନୈତିକ ହିଂସାରେ ଜଡ଼ିତ ଥିବା ବହୁ ନେତା ଓ କର୍ମୀମାନେ ବର୍ତ୍ତମାନ ଅଞ୍ଚଳ ଛାଡି ପାତାଳି ହେଉଥିବାର ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଅଲେଖ ଚନ୍ଦ୍ର ପହି ହେଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ: ଏହି ସବୁ କାର୍ଯ୍ୟ ଉପରେ ରହିବ ପ୍ରାଥମିକତା

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା/ଚିଲିକା: ଖୋର୍ଦ୍ଧା ଜିଲ୍ଲାର ନୂତନ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ଅଲେଖ ଚନ୍ଦ୍ର ପହି ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ପହି ଏହା ପୂର୍ବରୁ କଟକ ଜିଲ୍ଲାରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ଥିଲେ। ନିକଟରେ ପୂର୍ବତନ ଏସପି ରାଜକିଶୋର ଦୋରା ଅବସର ଗ୍ରହଣ କରିବା ପରେ ଜିଲ୍ଲା ପୋଲିସ ମୁଖିଆ ପଦବୀ ଖାଲି ପଡିଥିଲା।

ତେବେ ପଞ୍ଚାୟତ ନିର୍ବାଚନ ତାରିଖ ନିକଟ ଥିବାରୁ ଜିଲ୍ଲାରେ ଆଇନ ଶୃଙ୍ଖଳାର ସୁପରିଚାଳନା ନିମନ୍ତେ ନିର୍ବାଚନ କମିଶନରଙ୍କ ଅନୁମତି କ୍ରମେ ରାଜ୍ୟ ସରକାର ଶ୍ରୀ ପହିଙ୍କୁ ଖୋର୍ଦ୍ଧା ଜିଲ୍ଲାର ନୂତନ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଅବସ୍ଥାପିତ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଚିଲିକା ପାଇଁ କଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ ଜିଲ୍ଲାରେ ନିର୍ବାଚନ କିପରି ସୁରୁଖୁରୁରେ ଅନୁଷ୍ଠିତ ହେବ ତାହା ପ୍ରଥମ ପ୍ରାଥମିକତା ରହିବ ବୋଲି ଭାରପ୍ରାପ୍ତ ଏସପି ଶ୍ରୀ ପହି କହିଛନ୍ତି।

ତତସହିତ ଜିଲ୍ଲାରେ ବଢୁଥିବା ଅପରାଧିକ ମାମଲା ଯେପରି ଗୋରୁ ଚାଲାଣ, ଖଣି ମାଫିଆ ଏବଂ ବ୍ରାଉନସୁଗାର ବେପାର ଆଦିକୁ ରୋକ ଲଗାଇବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ପହି କହିଛନ୍ତି।