ଖୋର୍ଦ୍ଧା: ପ୍ରତିଷ୍ଠା ଦିବସରେ ପୋଲିସ ସେବା ପାଇଁ ପାଞ୍ଚ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସପି

Published: Apr 1, 2022, 12:45 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୭ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଏସପି ପହି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ।

ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ସଦର ଥାନା ଏଏସଆଇ ଦିଲ୍ଲୀପ କୁମାର ବିଶ୍ୱାଳ, ଜଙ୍କିଆ ଥାନା କନଷ୍ଟେବଳ ପ୍ରିତୀମୟୀ ବଡ଼ଜେନା, କନଷ୍ଟେବଳ ସୁଦାମ ବଳିୟାରସିଂହ ଏବଂ ଟ୍ରାଫିକ କନଷ୍ଟେବଳ ପ୍ରବୋଧ କୁମାର ସାହୁ ଆଦି ୫ଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅତିରିକ୍ତ ଏସପି ସୁରେଶ କୁମାର ଦାଶ, ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ଖୋର୍ଦ୍ଧା ଏସଡିପିଓ ସୁଶିଲ କୁମାର ମିଶ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ସମସ୍ତ ଥାନାଧିକାରୀ, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଓ ସେନାଧିକାରୀମାନେ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।

Related posts