ମାଙ୍ଗାନିଜ ପଥର ବୋଝେଇ ଟ୍ରାକ୍ଟର ଜବତ, ଜଣେ ଗିରଫ

Published: Apr 20, 2022, 8:47 pm IST

କନ୍ଦର୍ପ ବେହେରା

ରେଢ଼ାଖୋଲ: ରେଢ଼ାଖୋଲ ଅଂଚଳରେ ଭରପୁର ରହିଛି ଜଙ୍ଗଲଜାତ ଦ୍ରବ୍ୟ। ବହୁ ସମୟରେ ଏହି ଜଙ୍ଗଲରୁ ବାହାର ରାଜ୍ୟର ଚୋରା ବେପାରିମାନେ ରତ୍ନ ପଥର ,କୋଇଲା ମାଙ୍ଗାନିଜ ଆଦି ବାହାରକୁ ଚାଲାଣ କରିଥାନ୍ତି। ଏଥିରେ ବନବିଭାଗର କର୍ମଚାରିମାନଙ୍କର ପ୍ରଚ୍ଛନ୍ନ ହାତ ରହିଥାଏ। ଯା’ ଫଳରେ ସେମାନେ ବନବିଭାଗର କର୍ମଚାରିମାନଙ୍କୁ ହାତମୁଠାରେ ରଖି କିଛି ଟଙ୍କା ପ୍ରଲୋଭନ ଦେଖାଇ ଚୋରା କାରବାର କରିଥାନ୍ତି।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ଶାଗମୁଳିଆ ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ଦିନ ଏକ ମାଙ୍ଗାନିଜ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଜଣଙ୍କୁ ବନ ବିଭାଗ ଗିରଫ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ରେଞ୍ଜ ଶାଗମୂଳିଆ ସଂରକ୍ଷିତ ଜଙ୍ଗଲରେ ପଥର ବୋଝେଇ ହେବାର ଖବର ପାଇ ବନବିଭାଗ ସଦଳବଳେ ଚଢ଼ାଉ କରିଥିଲେ। ଏଥିରେ ଟ୍ରାକ୍ଟର ରେ ମାଙ୍ଗାନିଜ ପଥର ବୋଝେଇ କରୁଥିବା ସମୟରେ ଟ୍ରାକ୍ଟର ଡ୍ରାଇଭର ଅରୁଣ ମୁଣ୍ଡା (୨୨) ଙ୍କୁ ଗିରଫ କରିଛି ଓ ଜଣେ ଫେରାର ହୋଇଯାଇଛନ୍ତି। ଏଥିରେ ମାଙ୍ଗାନିଜ ପଥର ବୋଝେଇ ଥିବା ଟ୍ରାକ୍ଟର ( ଓଡ଼ି ୧୫ ଏନ ୬୨୫୦ )କୁ ଜବତ କରିଛି। ଏହି ଚଢଉରେେ ଫରେଷ୍ଟର ବିଜୟ ବିଶ୍ଵାଳ, ପ୍ରବୀଣ କୁମାର ସାହୁ, ଫରେଷ୍ଟ ଗାର୍ଡ ବଳରାମ ପ୍ରଧାନ ଓ ବନବିଭାଗ ସଦଳବଳ କର୍ମଚାରୀ ସାମିଲ ରହିଥିଲେ।

Related posts