ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା ଦେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ

Published: May 22, 2022, 9:42 pm IST

କଟକ: ଆଜି କେନ୍ଦ୍ରପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଥାନାରେ ଏତଲା ଦେଇଛନ୍ତି। କଟକ ପୁରିଘାଟ ଥାନାରେ ବର୍ଷା ଏତଲା ଦେବା ସହ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସାମାଜିକ ଗଣମାଧ୍ୟମରେ ଅନୁଭବଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଶାରୀରିକ ସମ୍ପର୍କକୁ ନେଇ ଅନୁଭବ ଦେଇଥିବା ମନ୍ତବ୍ୟ ଉପରେ ବର୍ଷା ମିଥ୍ୟା ବୋଲି କହିଛନ୍ତି। କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ଅନୁଭବ ମୋ ନାରୀତ୍ଵକୁ ବାରମ୍ବାର ଅପମାନିତ କରୁଥିବା ସେ ଅଭିଯୋଗ କରିଛନ୍ତି। ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଚରିତ୍ର ସଂହାର କରୁଥିବା ସେ ଏତଲାରେ ଅଭିଯୋଗ କରିଛନ୍ତି। ଭିଡିଓ କରି ମୋତେ ବାରମ୍ବାର ମାନସିକ ନିର୍ଯ୍ୟାତନା ଦେଉଛନ୍ତି।

ଏହାସହିତ ବର୍ଷା ଅଭିଯୋଗ କରିଛନ୍ତି ଯେ, ୨୦୨୦ ମସିହାରେ ମୋ ସ୍ଵାମୀ ମୋତେ ଛାଡପତ୍ର ଦେବା ପାଇଁ ବାଧ୍ୟ କରିଥିଲେ। ମୁଁ ରାଜି ନହେବାରୁ ମୋତେ ଧମକ ମଧ୍ୟ ଦେଇଥିଲେ। ରାଜି ନହଲେ ମୋତେ ବରବାଦ କରିଦେବେ ବୋଲି ଧମକ ଦେଇଥିଲେ। ବାରମ୍ବାର ତାଙ୍କ ବିରୋଧରେ ଏତଲା ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ତେଣୁ ମୋତେ ବଞ୍ଚିବା ପାଇଁ କଷ୍ଟକର ହୋଇପଡୁଛି। ଏଭଳି ଅନେକ ଅଭିଯୋଗ ଆଣି ଅନୁଭବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Related posts