ବାଣପୁର: ଗମ୍ଭାରୀମୁଣ୍ଡାରୁ ଜବତ ହେଲା ମଦ ବୋଝେଇ କାର, ଚାଳକ ଫେରାର

Published: Jul 5, 2022, 9:21 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଘାଷେଡିହ ଅଞ୍ଚଳରେ ପୋଲିସ ଚଢ଼ାଉ କରି ଏକ ମଦ ବୋଝେଇ କାରକୁ ଜବତ କରିଛି। ଖବର ମୁତାବକ ଗତକାଲି ରାତିରେ ଘାଷେଡିହ ଅଞ୍ଚଳରୁ ଏକ ମଦ ବୋଝେଇ କାର ଆସୁଥିବାର ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ହାଡିବନ୍ଧୁ ନାୟକ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ। ସଙ୍ଗେସଙ୍ଗେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଣପୁର ଆଇଆଇସିଙ୍କ ତତ୍ୱାବଧାନରେ ଶ୍ରୀ ନାୟକ ଏକ ଟିମ ଗଠନ କରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ଏକ ବାଇଗଣୀ ରଙ୍ଗର କାରରେ (ଓଆର-୦୫-ଏଆର-୭୦୫୫) ମଦ ବୋଝେଇ ହୋଇ ଯାଉଥିବାର ଦେଖିବାକୁ ପାଇଥିଲା ପୋଲିସ। ତେବେ କାରକୁ ପିଛା କରିବାରୁ କିଛି ବାଟ ପରେ କାର ଚାଳକ କାର ଚାବିକୁ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପରେ କାରକୁ ପୋଲିସ ଜବତ କରିଥିଲା।

ଉକ୍ତ କାରରୁ ୩୦୦ ଲିଟର ଦେଶୀ ମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେଶ ନମ୍ବର ୨୬୨/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Related posts