ବାଣପୁର: ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଲୁଟ୍

Published: Jul 15, 2022, 8:51 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଦନପୁର ଗ୍ରାମ ଛକରେ ଥିବା ଅବସରପ୍ରାପ୍ତ ଅଧ୍ୟାପକ ଅନଙ୍ଗଭୀମ ବିଶ୍ୱାଳଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଏକ ଲୁଟ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସର ସୂଚନା ମୁତାବକ ଅନଙ୍ଗ ଏବଂ ତାଙ୍କ ପରିବାରବର୍ଗ ଗତକାଲି ରାତିରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତମାନେ ତାଙ୍କ ଘରେ ପଶି ଲୁଟ କରୁଥିଲେ।

ତେବେ ହଠାତ ପରିବାରର ଜଣେ ସଦସ୍ୟଙ୍କ ନିଦ ଭାଙ୍ଗିଯିବାରୁ ସେ ଏହା ଜାଣିବାକୁ ପାଇଥିଲେ ଓ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଲୁଟେରାମାନେ ଲୁଟିଥିବା ଅଳ୍ପ ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ତେବେ ଲୁଟ ହୋଇଥିବା ସୁନା ଓ ରୁପା ଅଳଙ୍କାରର ମୂଲ୍ୟ ଆନୁମାନିକ ୫୦ ରୁ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେଶ ନମ୍ବର ୨୭୫/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

ତେବେ ବାଣପୁର-ବାଲୁଗାଁ ଅଞ୍ଚଳରେ କିଛି ମାସ ହେବ ରାତ୍ରି ସମୟରେ ବାଇକ ଚୋରି ଏବଂ ଜନସାଧାରଣଙ୍କ ଘରୁ ଲୁଟ ବୃଦ୍ଧି ପାଉଥିବା ବେଳେ ପୋଲିସ ରାତ୍ରିକାଳିନ ପାଟ୍ରୋଲିଂ କଡ଼ାକଡି କରିବା ପାଇଁ ସାଧାରଣରେ ଦାବି ହେଉଛି।

Related posts