ବାଣପୁର ପୋଲିସକୁ ଆକ୍ରମଣ ଘଟଣା: ଛଅ ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

Published: Sep 3, 2022, 10:11 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟଣା ଘଟିଛି। ସୂଚନା ମୁତାବକ ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖ ମଧ୍ୟରାତ୍ରିରେ ପାଟ୍ରୋଲିଂ କରୁଥିବା ବେଳେ ଗମ୍ଭାରୀମୁଁଣ୍ଡା ବିଟ ହାଉସ ଅଧିକାରୀ ହାଡିବନ୍ଧୁ ନାୟକ ସୂଚନା ପାଇଥିଲେ ଯେ, ପଙ୍କାଳ ଗ୍ରାମ ଅଭିମୁଖେ ଏକ ବେଆଇନ ମାଙ୍କଡା ବୋଝେଇ ଟ୍ରାକ୍ଟର ଚାଲାଣ ହେଉଛି।

ତେବେ ସଙ୍ଗେସଙ୍ଗେ ପୋଲିସ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ପୋଲିସ ଗାଡ଼ି ଦେଖି ଘଟଣାସ୍ଥଳରୁ ଡ୍ରାଇଭର ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଟ୍ରାକ୍ଟର ମାଲିକଙ୍କ ସମେତ ଏକାଧିକ ଦୁର୍ବୁତ୍ତ ମାନେ ବିଭିନ୍ନ ମାରଣାସ୍ତ୍ରରେ ପୋଲିସକୁ ଆକ୍ରମଣ କରିଥଲେ ଏବଂ ପଥର ଫୋପାଡ଼ିଥିଲେ। ଯେଉଁଥିରେ ଏକାଧିକ ପୋଲିସ କର୍ମୀ ଆହତ ହୋଇଥିଲେ ଏବଂ ଦୁର୍ବୁତ୍ତମାନେ ଜୋର ଜବରଦସ୍ତ ପୋଲିସ କବଜାରୁ ଟ୍ରାକ୍ଟର ଛଡାଇନେବା ସହ ଗୋଟେ ମୋବାଇଲ ମଧ୍ୟ ଲୁଟି ନେଇଥିଲେ।

ତେବେ ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ ସମୁଦାୟ ୧୭ ଜଣଙ୍କ ବିରୁଦ୍ଧରେ କେସ ନମ୍ବର ୧୧୨/୨୨ ରେ ମାମଲା ରୁଜୁ କରିବା ସହ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିଲା। ତେବେ ଆଜି ଉକ୍ତ ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ତଥା ଟ୍ରାକ୍ଟର ମାଲିକ ଶଙ୍କର ବରାଳଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଦ୍ୟାବଧି ଉକ୍ତ ଘଟଣାରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଫେରାର ଥିବାର ପୋଲିସ କହିଛି।

Related posts