ଦିଲ୍ଲୀ ଅବକାରୀ ନୀତି ମାମଲା: ଅଭିଯୁକ୍ତଙ୍କ ଘରୁ ୧ କୋଟି ଜବତ କଲା ଇଡି

Published: Oct 8, 2022, 10:18 am IST

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ଇଡି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଦିଲ୍ଲୀରେ ସର୍ଚ୍ଚ ଅପରେସନ ବେଳେ ଅଭିଯୁକ୍ତଙ୍କ ବାସଭବନରୁ ୧ କୋଟି ଟଙ୍କା ଜବତ କରିଛି। ଇଡି ଅଧିକାରୀମାନେ ଆଜି ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିବେ। ଦିଲ୍ଲୀର ନୂତନ ଅବକାରୀ ନୀତିରେ ଅନିୟମିତତା ତଥା ଦୁର୍ନୀତି ଅଭିଯୋଗରେ ଗତକାଲି ଦିଲ୍ଲୀ ସମେତ ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବର ୩୫ ଟି ସ୍ଥାନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା। ଏହି ନୀତି ସହିତ ଜଡିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଅନେକଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି।

ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ମଧ୍ୟ ସିବିଆଇ ଚଢାଉ କରିଛି। ବର୍ତ୍ତମାନ ଇଡି ଏହି ମାମଲା ସହ ଜଡିତ ଅନ୍ୟ ଲୋକଙ୍କୁ ଚଢାଉ କରି ପ୍ରମାଣ ସଂଗ୍ରହରେ ନିୟୋଜିତ ଅଛି। ପ୍ରକାଶ ଯେ କିଛି ଦିନ ପୂର୍ବରୁ ଇଡି ଏହି ଦୁର୍ନୀତି ଅଭିଯୋଗରେ ଅର୍ଥ ହେରଫେର ମାମଲା ରୁଜୁ କରିଥିଲା। ଏହା ପରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ଗିରଫ କରିଥିଲା। ଅବକାରୀ ନୀତିରେ ହୋଇଥିବା ଏହି ଦୁର୍ନୀତିର ଅଭିଯୁକ୍ତ ବିଜୟ ନାୟାରଙ୍କୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହାପୂର୍ବରୁ ତାଙ୍କର ନ୍ୟାୟିକ ହେପାଜତ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ରହିଥିଲା। ସେ ଆମ୍ ଆଦମୀ ପାର୍ଟି (AAP) ର ସଂଚାର ପ୍ରଭାରୀ ଅଛନ୍ତି।

Related posts