Categories
ଆଜିର ଖବର

ଦିଲ୍ଲୀ ଅବକାରୀ ଦୁର୍ନୀତି: ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ପରେ ସିସୋଦିଆ ଦାଖଲ କରିଥିବା ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଜରିଆରେ ସିସୋଦିଆଙ୍କ ବିରୋଧରେ ଯାଞ୍ଚ କରାଯାଉଥିବା ମାମଲାଗୁଡ଼ିକ ଉପରେ ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଏସ୍.ଭି.ଏନ୍ ଭଟ୍ଟଙ୍କ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଏବଂ ସିସୋଦିଆଙ୍କ ବିରୋଧରେ ମାମଲା ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ସିବିଆଇ ଏବଂ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଅବକାରୀ ଦୁର୍ନୀତିରେ ସିସୋଦିଆ ଫେବୃଆରୀରୁ ଜେଲରେ ଅଛନ୍ତି। ଏହାପୂର୍ବରୁ, ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ତାଙ୍କ ବିରୋଧରେ ଦୁଇଟି ପୃଥକ ମାମଲାରେ ସିସୋଦିଆ ଜାମିନ ମାଗିଛନ୍ତି। ଏଥିମଧ୍ୟରୁ ଗୋଟିଏ ମାମଲା ସିବିଆଇ ଏବଂ ଅନ୍ୟଟି ଇଡି ଦ୍ୱାରା ଦାଖଲ କରାଯାଇଛି।

ଯଦିଓ ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ସିସୋଦିଆଙ୍କ ବିରୋଧରେ ମାମଲା ୬ ରୁ ୮ ମାସ ମଧ୍ୟରେ ଶେଷ ହେବା ଉଚିତ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ମୁକଦ୍ଦମା ପ୍ରକ୍ରିୟା ମନ୍ଥର ରହେ, ସିସୋଦିଆ ତିନି ମାସ ମଧ୍ୟରେ ପୁନର୍ବାର ଜାମିନ ପାଇଁ ଆବେଦନ କରିବାର ଅଧିକାର ପାଇବେ। ଏଭଳି ପରିସ୍ଥିତିରେ, ସିସୋଦିଆ ତିନି ମାସ ପରେ ପୁନର୍ବାର କୋର୍ଟରେ ପହଞ୍ଚୁଛନ୍ତି କି ନାହିଁ ତାହା ଦେଖିବାକୁ ପଡ଼ିବ।

Categories
ଆଜିର ଖବର ଜାତୀୟ ଖବର

ମନୀଷ ସିସୋଦିଆଙ୍କୁ ମିଳିଲାନି ସୁପ୍ରିମକୋର୍ଟଙ୍କଠାରୁ ଆଶ୍ଵସ୍ତି, ଅକ୍ଟୋବର ୪ରେ ହେବ ଜାମିନ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଅକ୍ଟୋବର ୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ଚଳିତ ବର୍ଷ ଫେବୃଆରୀରେ ସିସୋଦିଆଙ୍କୁ ଗିରଫ କରାଯାଇଥିଲା। ଶୁଣାଣି ସମୟରେ ଏହି ମାମଲା ସାମ୍ନାକୁ ଆସିବା ପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଏସ.ଭି. ଭଟ୍ଟୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ଶୁକ୍ରବାର କିମ୍ବା ଅନ୍ୟ କୌଣସି ଦିନ କୋର୍ଟ ଏହି ପିଟିସନର ଶୁଣାଣି କରିପାରିବେ।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭୀ ନିୟମିତ ଜାମିନ ଉପରେ ଯୁକ୍ତି କରିବାକୁ ୩ ରୁ ୪ ଘଣ୍ଟା ସମୟ ମାଗିଥିଲେ। ଏହି ଘଟଣାରେ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ସିଂଭି ମଧ୍ୟ ଆପତ୍ତି କରିଛନ୍ତି। ଏହା ଉପରେ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନେତୃତ୍ୱରେ ହୋଇଥିବା ଖଣ୍ଡପୀଠ କହିଛନ୍ତି ଯେ, କୋର୍ଟ ଏହି ରିପୋର୍ଟଗୁଡିକ ପ୍ରତି ଧ୍ୟାନ ଦେଉନାହାଁନ୍ତି। ତା’ପରେ ମାମଲା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ପତ୍ନୀଙ୍କୁ ଭେଟିବା ପାଇଁ ଜାମିନ ମାଗିଥିଲେ:

ସିଂଭୀ କହିଛନ୍ତି ଯେ, ସେ ଅକ୍ଟୋବର ୪ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ଖଣ୍ଡପୀଠକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ, ଶୁଣାଣି ବହୁତ ସମୟ ନେଇପାରେ। କେନ୍ଦ୍ରୀୟ ଏଜେନ୍ସି ତରଫରୁ ଅତିରିକ୍ତ ସଲିସିଟର ଏସ୍ ରାଜୁ କୋର୍ଟରେ ହାଜର ହୋଇଥିଲେ। ମନୀଷ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀ ସୀମାଙ୍କୁ ଭେଟିବା ପାଇଁ ମାନବିକତା ଭିତ୍ତିରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କେତେକ ମେଡିକାଲ ରିପୋର୍ଟରେ ମଧ୍ୟ ସୀମାଙ୍କ ଅବସ୍ଥା ଖରାପ ହେବାର ବର୍ଣ୍ଣନା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଝଟକା: ଖାରଜ ହେଲା ଜାମିନ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଆଉ ଏକ ଝଟକା ଲାଗିଛି। ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ, ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଏହା ଉପରେ ଅଦାଲତ କହିଛନ୍ତି ଯେ, ମନୀଷ ସିସୋଦିଆ ଯେଉଁ ପଦବୀରେ ଅଛନ୍ତି, ସେ ସାକ୍ଷୀ ତଥା ପ୍ରମାଣ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଅବକାରୀ ନୀତି ଦୁର୍ନୀତିରେ ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ୬ ସପ୍ତାହ ଅନ୍ତରୀଣ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଘୋଷଣା କରିଛନ୍ତି।

ଅନ୍ତରୀଣ ଜାମିନ ଆବେଦନ ଉପରେ ଜଷ୍ଟିସ ଦୀନେଶ କୁମାର ଶର୍ମା କହିଛନ୍ତି। ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତାଙ୍କ ଅସୁସ୍ଥ ପତ୍ନୀଙ୍କର ଏକମାତ୍ର ତତ୍ତ୍ୱାବଧାରକ ଆଧାରରେ ଅନ୍ତରୀଣ ଜାମିନ ମାଗିଥିଲେ। ଏହି ମାମଲାରେ ନିୟମିତ ଜାମିନ ପାଇଁ ସିସୋଦିଆଙ୍କ ଏକ ଆବେଦନ ହାଇକୋର୍ଟରେ ବିଚାରାଧୀନ ଅଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅବକାରୀ ଦୁର୍ନୀତିରେ ୬୨୨ କୋଟି ରୋଜଗାର କରିଛନ୍ତି ମନୀଷ ସିସୋଦିଆ: ଇଡି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ପରେ ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ ଖୁଲାସା କରିଛି। ଏକ ଦିନ ପୂର୍ବରୁ ଇଡି ଏକ ନୂତନ ଚାର୍ଜସିଟରେ ଦାବି କରିଛି ଯେ, ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଭିନ୍ନ ଚ୍ୟାନେଲ ଜରିଆରେ ୬୨୨.୬୭ କୋଟି ଟଙ୍କା ପାଇଛନ୍ତି।

କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ଜଡିତ ସୂତ୍ର ଅନୁଯାୟୀ ବିଜୟ ନାୟାରଙ୍କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିଲା। ମନୀଷ ସିସୋଦିଆ ଏବଂ ବିଜୟ ନାୟାରଙ୍କ ସହଯୋଗରେ ଇଣ୍ଡୋସ୍ପିରିଟ୍ସ ଏଲ ଲାଇସେନ୍ସ ହାସଲ କଲା। ଏଥିରୁ ୧୯୨.୮ କୋଟି ଟଙ୍କା ଲାଭ ହୋଇଛି। ଏଥିସହ ସରଥ ରେଡ୍ଡୀ ଏବଂ ଟ୍ରାଇଡେଣ୍ଟ ଚେମ୍ଫର, ଅବନ୍ତିକା କଣ୍ଟ୍ରାକ୍ଟର ଏବଂ ଅର୍ଗାନୋମିକ୍ସ ଇକୋସିଷ୍ଟମ ଦ୍ୱାରା ନିୟନ୍ତ୍ରିତ ୩ ଟି ସଂସ୍ଥା ଇଣ୍ଡୋସ୍ପିରିଟ୍ସକୁ ୬୦ କୋଟି ଟଙ୍କା ଦେୟ କରିଛନ୍ତି। ପର୍ନୋଡ ରେକର୍ଡରୁ ୧୬୩.୫ କୋଟି ଟଙ୍କା ଲାଭ କରିଥିବାବେଳେ ଇଣ୍ଡୋସ୍ପିରିଟ୍ସ ୪.୩୫ କୋଟି ଟଙ୍କା ଅତିରିକ୍ତ କ୍ରେଡିଟ୍ ନୋଟ୍ ଜାରି କରିଛି। ଇଣ୍ଡୋସ୍ପିରିଟ୍ସ ସାଉଥ୍ ଗ୍ରୁପ୍ ସହିତ ଏକ ସୁପର କାର୍ଟେଲ୍ ଗଠନ କରି ୪୫.୭୭ କୋଟି ଟଙ୍କା ଲାଭ କରିଥିଲା।

ଯଦି ଇଡି ଉତ୍ସଗୁଡିକ ବିଶ୍ବାସ କରାଯାଏ, ସାଉଥ୍ ଗ୍ରୁପ୍ ସରଥ ରେଡ୍ଡୀ ସହିତ ସଂଯୁକ୍ତ ସଂସ୍ଥାଗୁଡ଼ିକର ଆକାଉଣ୍ଟରେ ୪୧.୧୩ କୋଟି ଟଙ୍କା ଅତିରିକ୍ତ ନଗଦ ଜମା କରିଥିଲା। ଏହି ଅର୍ଥ ସଂଗ୍ରହ କରିବାର ଏହା ଏକ ବେଆଇନ ଉପାୟ ଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ମନୀଷ ସିସୋଦିଆ ଏହି ସମୟ ମଧ୍ୟରେ ୧୪ ଟି ଭିନ୍ନ ମୋବାଇଲରେ ୪୩ ଟି ସିମ୍ କାର୍ଡ ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଦନ୍ତରେ ବାଧା ସୃଷ୍ଟି କରି ସମସ୍ତ ପ୍ରମାଣ ନଷ୍ଟ କରିଦେଇଥିଲେ।

ବାସ୍ତବରେ, ନଭେମ୍ବର ୧୭ ତାରିଖ ୨୦୨୧ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିଥିଲେ। ଦୁର୍ନୀତି ଅଭିଯୋଗ ବୃଦ୍ଧି ପାଇବା ପରେ ସେପ୍ଟେମ୍ବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନୂତନ ନୀତି ବାତିଲ କରିଦେଇଥିଲା। ଅବକାରୀ ନୀତି ବାତିଲ ହେବା ପରେ ମଧ୍ୟ ଇଡି ଏବଂ ସିବିଆଇର ତଦନ୍ତ ଚାଲିଛି। ଏହି ମାମଲାରେ ସିବିଆଇ ଫେବୃଆରୀ ୨୪ ତାରିଖରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ତିହାଡ ଜେଲରେ ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଏବେ ଜେଲରେ ହିଁ ରହିବେ ମନୀଷ ସିସୋଦିଆ, ଜୁନ୍ ୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ବୃଦ୍ଧି କଲେ କୋର୍ଟ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ଜେଲରେ ରହିବେ। ଆଜି ସିବିଆଇ ମାମଲାର ଶୁଣାଣି ପରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମନୀଷ ସିସୋଦିଆଙ୍କୁ ଝଟକା, ମନି ଲଣ୍ଡରିଂ ମାମଲାରେ ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ପ୍ରସଙ୍ଗରେ ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ ଆଜି ତାଙ୍କୁ ଦିଲ୍ଲୀ କୋର୍ଟ ଜାମିନ ଦେବାକୁ ମନା କରି ଦେଇଛନ୍ତି। ରାଉସ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଏମ୍.କେ ନାଗପାଲ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ବର୍ତ୍ତମାନ ସିସୋଦିଆ ନିମ୍ନ ଅଦାଲତର ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବେ।

କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାମିନ ଆବେଦନକୁ ବିରୋଧ କରିଛି। ଇଡି କହିଛି ଯେ, ଏହି ଅନୁସନ୍ଧାନ ଏକ ଗୁରୁତର ପର୍ଯ୍ୟାୟରେ ଅଛି ଏବଂ ବରିଷ୍ଠ AAP ନେତା ଏହି ନୀତିର ଜନସାଧାରଣଙ୍କ ଅନୁମୋଦନ ଥିବା ଦର୍ଶାଇ ଇମେଲ ତିଆରି କରିଥିଲେ।

Categories
ବିଶେଷ ଖବର

ମନୀଷ ସିସୋଦିଆଙ୍କ ବଢିପାରେ ସମସ୍ୟା, ଅବକାରୀ ନୀତି ମାମଲାରେ ପ୍ରଥମ ଥର ପାଇଁ ଚାର୍ଜସିଟରେ ଆସିଲା ନାମ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ମାମଲାରେ ସିବିଆଇ ଆଜି ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ବୁଚି ବାବୁ, ଅର୍ଜୁନ ପାଣ୍ଡେ ଏବଂ ଅମନଦୀପ ଢଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହାପୂର୍ବରୁ, ସିସୋଦିଆଙ୍କ ନାମ କୌଣସି ଚାର୍ଜସିଟରେ ନଥିଲା। ଚାର୍ଜସିଟର ପ୍ରତ୍ୟେକ ବିନ୍ଦୁ ଉପରେ ଯୁକ୍ତି ପାଇଁ କୋର୍ଟ ମଇ ୧୨ ତାରିଖକୁ ସ୍ଥିର କରିଛନ୍ତି।

ବାସ୍ତବରେ ଅବକାରେ ନୀତିରେ ହୋଇଥିବା ଅନିୟମିତତାକୁ ସିବିଆଇ ଯାଞ୍ଚ କରୁଛି। ଏ ସମ୍ପର୍କରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଫେବୃଆରୀ ୨୬ ତାରିଖରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ କରିଥିଲା। ଆବାକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ସିସୋଦିଆଙ୍କୁ ଜେରା କରିବା ବେଳେ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ ମନୀଷ ସିସୋଦିଆ ବୋଲି ଇଡି କହିଛି।

ଅଭିଯୋଗ ହୋଇଛି ଯେ, ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସିରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରିବା ଦ୍ଵାରା କିଛି ଡିଲର ଉପକୃତ ହୋଇଥିଲେ। ଏଥିପାଇଁ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଛି। ଗତ ସପ୍ତାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ପ୍ରସଙ୍ଗରେ ପ୍ରାୟ ନଅ ଘଣ୍ଟା ଧରି ସିବିଆଇ ପଚରାଉଚରା କରିଥିଲା। ମଦ ନୀତି ପ୍ରସଙ୍ଗକୁ ମିଥ୍ୟା ବୋଲି ବର୍ଣ୍ଣନା କରି କେଜ୍ରିୱାଲ ଏକ ଜାତୀୟ ଦଳ ହୋଇଥିବାରୁ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରୁଛନ୍ତି ବୋଲି କହିଥିଲେ।

ସେପଟେ ମନୀଷ ସିସୋଦିଆ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ତାଙ୍କ ଜାମିନ ଆବେଦନ ବେଳେ କୋର୍ଟରେ କହିଛନ୍ତି ଯେ, ତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର କୌଣସି ପ୍ରମାଣ ନାହିଁ। ଏହି ମାମଲାରେ ସମୁଦାୟ ୧୦ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସିସୋଦିଆ ବ୍ୟତୀତ ସମସ୍ତେ ଜାମିନରେ ଅଛନ୍ତି। ଏଥି ସହ ବିଆରଏସ ନେତା ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ପଚରାଉଚରା କରାଯାଇଛି।

ସେପଟେ ମନୀଷ ସିସୋଦିଆଙ୍କ ପତ୍ନୀଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଅଟୋମ୍ୟୁମ୍ୟୁନ ବ୍ୟାଧିରେ ପୀଡିତ। ମନୀଷ ସିସୋଦିଆଙ୍କ ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟ ଭାଭଗବନ୍ତ ମନ ସିସୋଦିଆଙ୍କ ବାସଭବନରେ ତାଙ୍କ ପତ୍ନୀଙ୍କୁ ଭେଟି ସମସ୍ତ ସାହାଯ୍ୟର ଆଶ୍ୱାସନା ଦେଇଥିଲେ। କେଜ୍ରିୱାଲ କହିଥିଲେ ଯେ, ସୀମା ସିସୋଦିଆ ଏକ ଗୁରୁତର ରୋଗରେ ପୀଡିତ।

Categories
ଆଜିର ଖବର ଜାତୀୟ ଖବର

ତୃତୀୟ ଚାର୍ଜସିଟରେ ମଧ୍ୟ ମନୀଷ ସିସୋଦିଆଙ୍କ ନାମ ନାହିଁ: ଆମ୍ ଆଦମୀ ପାର୍ଟିର ଦୃଢୋକ୍ତି

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆଜି ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ ରାଜେଶ ଯୋଶୀ, ରାଘବ ମଗୁଣ୍ଟା ଏବଂ ଗୌତମ ମାଲହୋତ୍ରାଙ୍କ ବିରୋଧରେ ଦାଖଲ କରାଯାଇଛି। ଏହି ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ଏକ ବଡ ଦାବି କରିଛି ଯେ, ଇଡିର ତୃତୀୟ ଚାର୍ଜସିଟରେ ମଧ୍ୟ ମନୀଷ ସିସୋଦିଆଙ୍କ ନାମ ନାହିଁ। ସିସୋଦିଆଙ୍କ ନାମ ପ୍ରଥମ ଏବଂ ଦ୍ୱିତୀୟ ଚାର୍ଜସିଟରେ ମଧ୍ୟ ନଥିଲା।

ଏପ୍ରିଲ୍ ୧୪ ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟ ଚାର୍ଜସିଟ୍ ଶୁଣାଣି କରିବେ। ଇଡି କୋର୍ଟଙ୍କୁ କହିଛନ୍ତି ଯେ, ଫେବୃଆରୀ ୭ ତାରିଖରେ ମାଲହୋତ୍ରା, ଫେବୃଆରୀ ୮ ତାରିଖରେ ରାଜେଶ ଏବଂ ଫେବୃଆରୀ ୧୦ ତାରିଖରେ ରାଘବ ମଗୁଣ୍ଟା ଗିରଫ ହୋଇଥିଲେ। ଅନ୍ୟପକ୍ଷରେ, ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି ଏବଂ ଏଥିରେ ସମ୍ପୃକ୍ତ ଥିବା ନେଇ ନୂତନ ପ୍ରମାଣ ମିଳିଛି ବୋଲି କୋର୍ଟଙ୍କୁ ଇଡି କହିଛି।

ଏହି ସମୟରେ ସିସୋଦିଆ ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ ଯେ, ଏ ବିଷୟରେ କୌଣସି ପ୍ରମାଣ ନାହିଁ। ସେମାନେ ସବୁକିଛି ଯାଞ୍ଚ କରି ଘରେ ଚଢାଉ କରିଥିଲେ ମଧ୍ୟ କିଛି ପାଇଲେ ନାହିଁ। ତାଙ୍କର କିମ୍ବା ପରିବାରର କୌଣସି ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ।

ପ୍ରକାଶ ଥାଉ ଯେ, ଅବକାରୀ ନୀତି ୨୦୨୧-୨୨ର ରୂପରେଖ ଏବଂ କାର୍ଯ୍ୟାନ୍ୱୟନରେ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରାଯାଇଥିଲା। ସେବେଠାରୁ ଆପ କେନ୍ଦ୍ର ସରକାର ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗ କରିଆସୁଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୁପ୍ତଚର ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ, ଏତଲାରେ ଆଉ ୫ ନାମ

ନୂଆଦିଲ୍ଲୀ: ଗୁପ୍ତଚର ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ଏଫ୍ଆଇଆର୍ ଅନୁଯାୟୀ, ଫିଡବ୍ୟାକ୍ ୟୁନିଟ୍ ମାମଲାରେ ସିସୋଦିଆଙ୍କ ସମେତ ୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଫେବୃଆରୀ ୨୬ ତାରିଖରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା।

ଫେବୃଆରୀ ୮ ତାରିଖରେ ସିବିଆଇ ଫିଡବ୍ୟାକ୍ ୟୁନିଟ୍ ର ଗୁପ୍ତଚର ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ AAP ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲା। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ସିସୋଦିଆଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିକୁ ଅନୁମୋଦନ ଦେଇଛି। ସେବେଠାରୁ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାର ସମ୍ଭାବନା ରହିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜାମିନ ଶୁଣାଣିର ଗୋଟିଏ ଦିନ ପୂର୍ବରୁ ପୁଣି ଗିରଫ ହେଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ଆବେଦନ ଉପରେ ଶୁଣାଣି ହେବାର ଗୋଟିଏ ଦିନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଦୀର୍ଘ ୮ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗତ ମାସରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଗିରଫ କରିଥିଲା। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଅଛନ୍ତି। ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରେ ସିସୋଦିଆଙ୍କ ଜାମିନ ସମ୍ପର୍କରେ କୋର୍ଟରେ ଶୁଣାଣି ହେବ।

ଇଡି ଦ୍ୱାରା ସିସୋଦିଆଙ୍କୁ ଗିରଫ କରିବା ନେଇ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରଶ୍ନ ଉଠାଇଛନ୍ତି। କେଜ୍ରିୱାଲ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ, “ମନୀଷ ସିସୋଦିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା। ସିବିଆଇ କୌଣସି ପ୍ରମାଣ ପାଇନାହିଁ, ଚଢାଉ ସମୟରେ କିଛି ମିଳିନଥିଲା। ଆସନ୍ତାକାଲି ଜାମିନ ଉପରେ ଶୁଣାଣି ହେବ। କିନ୍ତୁ ମନୀଷଙ୍କୁ ଆଜି ପୁଣି ଗିରଫ କରାଯାଇଛି। ପ୍ରତିଦିନ ନୂଆ ନକଲି ମାମଲା ସୃଷ୍ଟି କରି ତାଙ୍କୁ ଭିତରେ ରଖିବା, ସେମାନଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ। ଜନସାଧାରଣ ଦେଖୁଛନ୍ତି, ଜନସାଧାରଣ ଉତ୍ତର ଦେବେ।

Categories
ଆଜିର ଖବର ଜାତୀୟ ଖବର

ମନୀଷ ସିସୋଦିଆଙ୍କୁ ଜେରା କରିବ ଇଡି, ଅପରାହ୍ନ ୨ ଟାରେ ତିହାର ଜେଲରେ ପହଞ୍ଚିବ ଟିମ୍

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବର୍ତ୍ତମାନ ଦିଲ୍ଲୀ ଅବକାରୀ ମାମଲାରେ ମନୀଷ ସିସୋଦିଆଙ୍କୁ ଜେରା କରିବ। ତିହାରର ଜେଲ୍ ନଂ-୧ ରେ ମନୀଷ ସିସୋଦିଆଙ୍କୁ ଜେରା କରାଯିବ। ସୂଚନାନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଅପରାହ୍ନରେ ତିହାର ଜେଲରେ ପହଞ୍ଚି ଜେରା କରିବେ। ପ୍ରଥମ ଥର ପାଇଁ ଇଡି ଅବକାରୀ ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରିବ। ମନୀଷ ସିସୋସିଆଙ୍କୁ ଅବକାରୀ ମାମଲାରେ ଦିଲ୍ଲୀ କୋର୍ଟଙ୍କ ଦ୍ଵାରା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ମାର୍ଚ୍ଚ ୧୦ ତାରିଖରେ ତାଙ୍କ ଜାମିନ ଶୁଣାଣି ହେବ।

ସୂଚନା ଅନୁଯାୟୀ, ଅବକାରୀ ମାମଲାରେ ଇଡି ଆଉ ଜଣଙ୍କୁ ଗିରଫ କରିଛି। ସେମାନେ ହାଇଦ୍ରାବାଦର ମଦ ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ଅଟକ ରଖିଛନ୍ତି। ଇଡି ଅଧିକାରୀମାନେ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ସିସୋଦିଆଙ୍କ ବିବୃତ୍ତି ରେକର୍ଡ କରିବେ। ପ୍ରକାଶ ଯେ ସିବିଆଇ ଗତ ମାସରେ ଏହି ମାମଲାରେ ସିସୋଦିଆଙ୍କୁ ଗିରଫ କରିଥିଲା ​​ଏବଂ ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

ଦୀର୍ଘ ଦିନ ଧରି ପଚରାଉଚରା ପରେ ମନି ଲଣ୍ଡରିଂ ଆକ୍ଟ (PMLA) ର ଅପରାଧିକ ବିଭାଗ ଅଧୀନରେ ସୋମବାର ସନ୍ଧ୍ୟାରେ ପିଲ୍ଲାଇଙ୍କୁ ଗିରଫ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ପିଲ୍ଲାଇ ସ୍ଥାନୀୟ କୋର୍ଟରେ ହାଜର ହେବେ, ଯେଉଁଠାରେ ଇଡି ପଚରାଉଚରା ପାଇଁ ତାଙ୍କ ହେପାଜତକୁ ଅନୁରୋଧ କରିବ।

Categories
ଆଜିର ଖବର ଜାତୀୟ ଖବର

“ଏଜେନ୍ସିର ଅପବ୍ୟବହାର” ଅଭିଯୋଗ: କଂଗ୍ରେସ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଠଟି ବିରୋଧୀ ଦଳ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ଚାଲିଥିବା ରାଜନୈତିକ ଲଢେଇ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଠଟି ବିରୋଧୀ ଦଳ ଚିଠି ଲେଖି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗ କରିଛନ୍ତି। ତେବେ ବିରୋଧୀଦଳ ନେତାଙ୍କ ଦସ୍ତଖତ କରିଥିବା ଏହି ଚିଠିରେ କଂଗ୍ରେସ ଅନ୍ତର୍ଭୁକ୍ତ ନୁହେଁ। ଏହି ଚିଠିରେ ଦସ୍ତଖତ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓ, ଜେ.କେ.ସି ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ଏଆଇଟିସି ମୁଖ୍ୟ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଉଦ୍ଧବ ଠାକରେ, ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ସିଏମ ଭଗବନ୍ତ ମନ, ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏଥିରେ ସାମିଲ ହୋଇଛନ୍ତି।

ଚିଠିରେ କୁହାଯାଇଛି ଯେ, “ଆମେ ଆଶା କରୁଛୁ ଯେ, ଭାରତ ତଥାପି ଏକ ଗଣତାନ୍ତ୍ରିକ ଦେଶ ଆପଣ ଏଥିରେ ସହମତ ହେବେ। ବିରୋଧୀ ଦଳର ସଦସ୍ୟଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଦର୍ଶାଉଛି ଯେ, ଆମେ ଗଣତନ୍ତ୍ରର ସ୍ଵାଧୀନତା ଠାରୁ ଦୂରେଇଯାଉଛେ।” ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ତଦନ୍ତ ପରେ ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି। ୨୦୧୪ ପରଠାରୁ ବିରୋଧୀମାନଙ୍କୁ ଅନୁସନ୍ଧାନକାରୀ ଏଜେନ୍ସି ଦ୍ଵାରା ଗିରଫ, ଚଢାଉ କିମ୍ବା ଜେରା ସର୍ବାଧିକ ସଂଖ୍ୟାରେ କରାଯାଇଛି।

ବିରୋଧୀଦଳର ନେତାମାନେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍ମାଙ୍କ ଉଦାହରଣ ଦେଇଛନ୍ତି। ଯେତେବେଳେ ସେ କଂଗ୍ରେସରେଥିଲେ ସେତେବେଳେ ଯିଏକି ସିବିଆଇ ଏବଂ ଇଡି ସ୍କାନରରେ ଥିଲେ। ସେ ୨୦୧୪ ଏବଂ ୨୦୧୫ ରେ ସାରଦା ଚିଟ୍ ଫଣ୍ଡ ଦୁର୍ନୀତିରେ ଥିଲେ। ଚିଠିରେ ଲେଖାଥିଲା, “ସରମା ବିଜେପିରେ ଯୋଗଦେବା ପରେ ଏହି ମାମଲା ଆଗକୁ ବଢିନଥିଲା। ସେହିଭଳି ପୂର୍ବତନ ଟିଏମସି ନେତା ଶୁଭେନ୍ଧୁ ଅଧିକାରୀ ଏବଂ ମୁକୁଲ ରୟ ନାରଦା ଷ୍ଟିଙ୍ଗ ଅପରେସନ୍ ମାମଲାରେ ଇଡି ଏବଂ ସିବିଆଇ ଯାଞ୍ଚରେ ଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ। ସେମାନେ ବିଜେପିରେ ଯୋଗଦେବା ପରଠାରୁ ସେମାନଙ୍କ ମାମଲାରେ ମନ୍ଥର ହୋଇଛି। ୨୦୧୪ ପରଠାରୁ ବିରୋଧୀଦଳର ନେତାଙ୍କ ବିରୋଧରେ ଚଢାଉ, ମାମଲା ପଞ୍ଜୀକୃତ ତଥା ଗିରଫଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ଲାଲୁ ପ୍ରସାଦ ଯାଦବ (ରାଷ୍ଟ୍ରିୟ ଜନତା ଦଳ), ସଞ୍ଜୟ ରାଉତ (ଶିବସେନା), ଆଜାମ ଖାନ (ସମାଜବାଦୀ ପାର୍ଟି), ନବାବ ମଲିକ ଏବଂ ଅନୀଲ ଦେଶମୁଖ (ଏନସିପି), ଅଭିଷେକ ବାନାର୍ଜୀ (ଟିଏମସି) ଭଳି ବିରୋଧୀ ଦଳର ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିର୍ବାଚନ ସମୟରେ ଏଭଳି ଅନେକ ମାମଲାରେ ଗିରଫଦାରୀ ଘଟିଛି ଏବଂ ଏହା ସ୍ପଷ୍ଟ ହୋଇଛି ଯେ, ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ପ୍ରକାଶ ଯେ, ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା କମ୍ପାନୀ ୟଙ୍ଗ ଇଣ୍ଡିଆର ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଅଧିଗ୍ରହଣ ସହ ଜଡିତ ଅର୍ଥ ହେରଫେର ଅଭିଯୋଗରେ ଗାନ୍ଧୀ ପରିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଅନୁସନ୍ଧାନ କରୁଛି। ଗତ ବର୍ଷ ଇଡି ଉଭୟ ରାହୁଲ ଗାନ୍ଧୀ ଏବଂ ତାଙ୍କ ମା ସୋନିଆ ଗାନ୍ଧୀଙ୍କୁ ଜେରା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗ୍ରହଣ କରିଛନ୍ତି। ମନୀଷ ସିସୋଦିଆଙ୍କର ଅନେକ ବିଭାଗର ଦାୟିତ୍ୱ ଥିଲା। ସତ୍ୟେନ୍ଦ୍ର ଜୈନ ଜେଲ ଯିବା ପରେ ମନୀଷ ସିସୋଦିଆ ତାଙ୍କ ବିଭାଗର କାର୍ଯ୍ୟର ତୁଲାଉଥିଲେ। ମନୀଷ ସିସୋଦିଆ ଦିଲ୍ଲୀ ସରକାରଙ୍କ ୩୩ ଟି ବିଭାଗର ୧୮ ଟି ଦାୟିତ୍ୱରେ ଥିଲେ। ସତ୍ୟେନ୍ଦ୍ର ଜୈନ ନଅ ମାସ ଜେଲରେ ଅଛନ୍ତି। ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମାମଲାରେ ମନୀଷ ସିସୋଦିଆ ଗିରଫ ହେବା ଦିନଠାରୁ ବିରୋଧୀ ଦଳ କେଜ୍ରିୱାଲ ସରକାରଙ୍କ ଉପରେ ଆକ୍ରମଣ କରୁଥିଲେ। ଏଥିସହିତ ସତ୍ୟେନ୍ଦ୍ର ଜୈନ ସ୍ୱାସ୍ଥ୍ୟମନ୍ତ୍ରୀ ପଦରେ ଥିଲେ। ଉଭୟଙ୍କ ଇସ୍ତଫା ସମ୍ପର୍କରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, କାମ ବନ୍ଦ ହେବ ନାହିଁ ଏବଂ ବିଜେପି ଯୋଜନାରେ ସଫଳ ହେବ ନାହିଁ।

ଉଭୟ ମନ୍ତ୍ରୀଙ୍କ ଇସ୍ତଫା ପରେ ବିଜେପି ସାଂସଦ ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ମନୋଜ ତିୱାରୀ ଟ୍ୱିଟ୍ କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ କଡା ତାଗିଦ୍ ହେତୁ ଆମ୍ ଆଦମୀ ପାର୍ଟି ନିଦ ଭାଙ୍ଗିଛି। ଶେଷରେ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ଇସ୍ତଫା ଦେବାକୁ ପଡିଛି। କେଜ୍ରିୱାଲ ଜୀ, ନୈତିକତା ଆଧାରରେ ଆପଣ ମଧ୍ୟ ଇସ୍ତଫା ଦେବା କଥା। କପିଲ ମିଶ୍ର ମଧ୍ୟ ଟୁଇଟ୍ କରି ଏହାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ଦିଲ୍ଲୀର ଲୋକମାନେ ଜିତିଲେ, ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ କ୍ୟାବିନେଟରୁ ଇସ୍ତଫା ଦେବାକୁ ପଡ଼ିଲା। ଦୁର୍ନୀତିଗ୍ରସ୍ତ ମନ୍ତ୍ରୀମାନଙ୍କୁ ବଞ୍ଚାଇବା ପାଇଁ ସମସ୍ତ କେଜ୍ରିୱାଲଙ୍କ ଉଦ୍ୟମ ବିଫଳ ହୋଇଥିଲା।”

ବର୍ତ୍ତମାନ ପର୍ଯ୍ୟନ୍ତ ତିନିଜଣ ମନ୍ତ୍ରୀଙ୍କ ଇସ୍ତଫା:

ରାଜେନ୍ଦ୍ର ପାଲ ଗୌତମ, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମେତ ଦିଲ୍ଲୀର ମୋଟ ତିନିଜଣ ମନ୍ତ୍ରୀ ଏପର୍ଯ୍ୟନ୍ତ ଇସ୍ତଫା ଦେଇଛନ୍ତି। ଗତ ବର୍ଷ ରାଜେନ୍ଦ୍ର ପାଲ ଗୌତମ ବିବାଦୀୟ ବିବୃତ୍ତି ପରେ ମୁଖ୍ୟମନ୍ତ୍ରୀକେଜ୍ରିୱାଲଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସିସୋଦିଆଙ୍କ ସମେତ ୩୬ ଆପ ନେତାଙ୍କୁ ଗିରଫ କରାଯାଇଥିବା ଦାବି, ଜାଣନ୍ତୁ କ’ଣ କହିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଶଙ୍କା ସତ୍ୟ ପ୍ରମାଣିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶେଷରେ ସିବିଆଇ ଗିରଫ କରିଛି। ସିସୋଦିଆଙ୍କୁ ରବିବାର ସନ୍ଧ୍ୟାରେ ସିବିଆଇ ଦ୍ୱାରା ଗିରଫ କରାଯାଇଛି। ବର୍ତ୍ତମାନ ଆଜି ସକାଳେ ତାଙ୍କର ଡାକ୍ତରୀ ଯାଞ୍ଚ କରାଯିବ ଏବଂ କୋର୍ଟରେ ଉପସ୍ଥାପନ କରାଯିବ। ସିସୋଦିଆଙ୍କୁ ଜେରା ପାଇଁ ହେପାଜତ ପଠାଇବାକୁ ସିବିଆଇ କୋର୍ଟରୁ ଦାବି କରିବ।

ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ, ସିସୋଦିଆଙ୍କ ବ୍ୟତୀତ ଦଳର ଅନେକ ବଡ ନେତାଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଗୋପାଳ ରାୟ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ବିଧାୟକ ରୋହିତ କୁମାର ମହୁରୁଲିଆ ଏବଂ ସଙ୍ଗମ ବିହାର ବିଧାୟକ ଦୀନେଶ ମୋହାନିଆ ଅଛନ୍ତି। ସଞ୍ଜୟ ସିଂ ନିଜେ ଏହି ଦାବି କରିଛନ୍ତି। ସେ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସଞ୍ଜୟ ସିଂହ ମଧ୍ୟ ଟୁଇଟ୍ କରି ଦାବି କରିଛନ୍ତି ଯେ, “ମୋତେ, ମନ୍ତ୍ରୀ ଗୋପାଳ ରାୟ ଜୀ, ବିଧାୟକ ରିତୁରାଜ ଝା, ଦୀନେଶ ମୋହାନିଆ, ରୋହିତ ମେହେରୁଲିଆ, ଆଦିଲ ଖାନଙ୍କ ସହିତ ଫତେହପୁର ବେରୀ ପୋଲିସ ଷ୍ଟେସନରେ ବହୁ କାଉନସିଲର ଏବଂ କର୍ମୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସେ ଆହୁରି ମଧ୍ୟ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ନାଁ ଡରିବୁ, ନାଁ ନଇଁବୁ, ଲଢିବା ଜାରି ରହିବ। ପ୍ରକାଶ ଯେ, ଏହି ସମସ୍ତ ନେତା ସିସୋଦିଆଙ୍କ ସିବିଆଇ ଜେରାକୁ ବିରୋଧ କରୁଥିଲେ ଏବଂ ସିବିଆଇ ମୁଖ୍ୟାଳୟ ନିକଟରେ ଧାରଣାରେ ବସିଥିଲେ।

ଦିଲ୍ଲୀ ପୋଲିସ ଏକ ବିବୃତ୍ତି ଜାରି କରିଛି:

ଏଏପି ସାଂସଦ ସଞ୍ଜୟ ସିଂଙ୍କ ଦାବିକୁ ଦିଲ୍ଲୀ ପୋଲିସ ଅସ୍ୱୀକାର କରିଛି। ଦିଲ୍ଲୀ ପୋଲିସ ଏକ ବିବୃତ୍ତି ଜାରି କରି କହିଛି ଯେ, ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ପୋଲିସ ଆହୁରି ମଧ୍ୟ କହିଛି ଯେ, “ଆଇନ ଶୃଙ୍ଖଳାରେ ବାଧା ଦେବା ପାଇଁ କାହାରିକୁ ସୁଯୋଗ ଦିଆଯିବ ନାହିଁ। ପରିସ୍ଥିତି ଅନୁଯାୟୀ ସେମାନଙ୍କୁ ୨୪ ଘଣ୍ଟା ଜେଲରେ ରଖାଯାଇପାରେ।” ଡିସିପି ସାଉଥ କହିଛନ୍ତି ଯେ, କୌଣସି ଗିରଫଦାରୀ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଏହାପରେ କେଜ୍ରିୱାଲଙ୍କ ନମ୍ବର ଆସିବ: ମନୀଷ ସିସୋଦିଆଙ୍କ ଗିରଫ ପରେ କହିଲେ କପିଲ ମିଶ୍ର

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି। ଏହା ପରେ ଆମ୍ ଆଦମୀ ପାର୍ଟି ଟ୍ୱିଟର ହ୍ୟାଣ୍ଡେଲରୁ ଏହାର ଡିପି ହଟାଇ ଦେଇଛି। ଗିରଫ ପରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆସିବା ଆରମ୍ଭ କରିଛି। ମଦ ଦୁର୍ନୀତିରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି ବୋଲି ବିଜେପି ନେତା କପିଲ ମିଶ୍ର କହିଛନ୍ତି।

କପିଲ ମିଶ୍ର ଟ୍ୱିଟ୍ କରି କହିଛନ୍ତି ଯେ, “ମନୀଷ ସିସୋଦିଆଙ୍କୁ ମଧ୍ୟ ମଦ ଦୁର୍ନୀତିରେ ଗିରଫ କରାଯାଇଛି। ମଦ୍ୟପାନ ଦ୍ୱାରା ବର୍ବାଦ ହୋଇଥିବା ପରିବାରର ମା ଏବଂ ଭଉଣୀମାନଙ୍କ କୋପ ପଡିଛି। ମୁଁ ଆରମ୍ଭରୁ କହିଛି ଯେ, କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ଜେଲ ଯିବେ, ସେମାନଙ୍କ ମଧ୍ୟରୁ ଦୁଇଜଣ ଜେଲ ଯାଇଛନ୍ତି, ପରବର୍ତ୍ତୀ ନମ୍ବର କେଜ୍ରିୱାଲଙ୍କର ଆସିବ।

ମନୀଷ ସିସୋଦିଆଙ୍କ ଗିରଫଦାରୀ ଉପରେ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, “ମନୀଷ ନିର୍ଦ୍ଦୋଷ। ତାଙ୍କର ଗିରଫ ହେଉଛି, ଖରାପ ରାଜନୀତି। ମନୀଷଙ୍କ ଗିରଫଦାରୀ ଯୋଗୁଁ ଲୋକଙ୍କ ମଧ୍ୟରେ ବହୁତ କ୍ରୋଧ ରହିଛି। ଲୋକମାନେ ସବୁକିଛି ବୁଝୁଛନ୍ତି। ଲୋକମାନେ ଏହାର ଜବାବ ଦେବେ। ଏହା ଆମ ମନୋବଳ ଆହୁରି ବଢାଇବ। ଆମର ସଂଗ୍ରାମ ଅଧିକ ଶକ୍ତିଶାଳୀ ହେବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମନୀଷ ସିସୋଦିଆଙ୍କ ବିରୋଧରେ କ’ଣ ଲାଗିଛି ଧାରା, ଜାଣନ୍ତୁ ଦୋଷ ପ୍ରମାଣିତ ହେଲେ କେତେ ବର୍ଷ ଜେଲ?

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ବଢିବାରେ ଲାଗିଛି। ଅବକାରୀ ନୀତି ମାମଲାରେ ତାଙ୍କୁ ଜେରା ପାଇଁ ସିବିଆଇ ଡାକିଛି। ସିସୋଦିଆ କହିଛନ୍ତି ଯେ, ସେ ଅନୁସନ୍ଧାନକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ଏବଂ ମିଥ୍ୟା ଅଭିଯୋଗରେ ଜେଲ ଯିବାକୁ ପଡିଲେ, ସେଥିପ୍ରତି ସେ ଭୟଭୀତ ନୁହନ୍ତି। ସିବିଆଇ ଏଫଆଇଆର ଅନୁଯାୟୀ ଲାଞ୍ଚ ଏବଂ ଅପରାଧିକ ଷଡଯନ୍ତ୍ର ଅନୁଯାୟୀ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସରକାରୀ କର୍ମଚାରୀଙ୍କଠାରୁ ଲାଞ୍ଚ ନେବା, ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଦୁର୍ନୀତି ନିବାରଣ ଆଇନ (୧୯୮୮) ର ଧାରା ୭ ମନୀଷ ସିସୋଦିଆ ଉପରେ ଲାଗୁ କରାଯାଇଛି। ଯଦି ଦୋଷ ପ୍ରମାଣିତ ହୁଏ, ତେବେ ସର୍ବନିମ୍ନ ୩ ବର୍ଷ ଏବଂ ସର୍ବାଧିକ ୭ ବର୍ଷ ଜେଲ ଏବଂ ଜରିମାନା ହୋଇପାରେ।

ଆଇପିସିର ଧାରା ୧୨୦ ବି (ଅପରାଧିକ ଷଡଯନ୍ତ୍ର) ମଧ୍ୟ ମନୀଷ ସିସୋଦିଆଙ୍କ ଉପରେ ଲାଗୁ କରାଯାଇଛି। ଏଥିରେ ୬ ମାସର ଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟ ହୋଇପାରେ। ଅନ୍ୟପକ୍ଷରେ, ଖାତା ଜାଲିଆତି ପାଇଁ (ରେକର୍ଡ) ଉପ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଇପିସିର ଧାରା ୪୭୭ ଏ ଲାଗୁ କରାଯାଇଛି। ୭ ବର୍ଷ ଜେଲ ଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟ ହୋଇପାରେ।

Categories
ଆଜିର ଖବର ଜାତୀୟ ଖବର

ଗୁପ୍ତଚର ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାଲିବ ଦୁର୍ନୀତି କେସ୍: ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅସୁବିଧା ଥମିବାର ନାମ ନେଉନାହିଁ। ଗୁପ୍ତଚର ମାମଲାରେ ‘ଫିଡବ୍ୟାକ୍ ୟୁନିଟ୍’ରେ ଦୁର୍ନୀତି ନିବାରଣ ଅଧିନିୟମ ଅନୁଯାୟୀ ମନୀଷ ସିସୋଦିଆଙ୍କ ମକଦ୍ଦମାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଫେବୃଆରୀ ୮ ତାରିଖରେ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇ ଗୃହ ମନ୍ତ୍ରଣାଳୟକୁ ଦାବି କରିଥିଲା।

ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ଚାଲିବା ନିଷ୍ପତ୍ତିକୁ ବିଜେପି ସ୍ୱାଗତ କରିଛି। ବିଜେପି ମୁଖପାତ୍ର ହରିଶ ଖୁରାନା କହିଛନ୍ତି ଯେ, ବିଜେପି ଅନେକ ଥର ଏହି ପ୍ରସଙ୍ଗ ଉଠାଇଛି। “ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଡିଆ ଏକ ୟୁନିଟ୍ ଗଠନ କରିଥିଲେ, କ୍ୟାମେରା କ୍ରୟ କରାଯାଇଥିଲା ଏବଂ ଏଥିରେ ସମସ୍ତ ଅଧିକାରୀ ନିଯୁକ୍ତ ହୋଇଥିଲେ। ସେମାନେ ମଧ୍ୟ ଅନେକ ଗଣମାଧ୍ୟମ ସଂଗଠନର ଅଧିକାରୀଙ୍କୁ ବେଆଇନ ଭାବେ ଗୁପ୍ତଚର କରିଛନ୍ତି।”

ଫିଡବ୍ୟାକ୍ ୟୁନିଟ୍ କେସ୍ କ’ଣ?

ବାସ୍ତବରେ ୨୦୧୫ ବିଧାନସଭା ନିର୍ବାଚନରେ ​​ଜିତିବାର କିଛି ମାସ ମଧ୍ୟରେ ଆମ୍ ଆଦମୀ ପାର୍ଟି ସରକାର ସତର୍କତା ବିଭାଗକୁ ମଜବୁତ କରିବା ପାଇଁ ଏକ “ଫିଡବ୍ୟାକ୍ ୟୁନିଟ୍” (FBU) ଗଠନ କରିଥିବା ଜଣାଯାଇଛି। ଏହା ବିରୋଧରେ ସିବିଆଇକୁ ଏକ ଅଭିଯୋଗ ଦିଆଯାଇଥିଲା ଏବଂ ପ୍ରାରମ୍ଭିକ ଅନୁସନ୍ଧାନରେ ସିବିଆଇ ଜାଣିବାକୁ ପାଇଥିଲା ଯେ, FBU ମଧ୍ୟ ରାଜନୈତିକ ଗୁପ୍ତଚର ସଂଗ୍ରହ କରିଛି।

ଦୁର୍ନୀତି ନିବାରଣ ଆଇନ ଏବଂ ଆଇପିସିର ବିଭିନ୍ନ ଧାରା ଅଧୀନରେ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଏଲଜିଙ୍କ ଅନୁମୋଦନ ମାଗି ସିବିଆଇ ଭିଜିଲାନ୍ସ ବିଭାଗକୁ ଏକ ରିପୋର୍ଟ ଦାଖଲ କରିଛି। ଏହା ପରେ ସିବିଆଇର ଅନୁରୋଧ ଗୃହ ମନ୍ତ୍ରଣାଳୟକୁ ପଠାଯାଇଥିଲା।

କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ କହିଛି ଯେ, ଫିଡବ୍ୟାକ୍ ୟୁନିଟ୍ ଦ୍ଵାରା ପ୍ରସ୍ତୁତ ରିପୋର୍ଟଗୁଡିକର ୬୦% ଭିଜିଲାନ୍ସ ବିଭାଗ ସହ ଜଡିତ ଥିବାବେଳେ ୪୦% ରିପୋର୍ଟ “ରାଜନୈତିକ ଗୁପ୍ତଚର” ଅଟେ। ଏଜେନ୍ସି ଦାବି କରିଛି ଯେ, ଏହି ୟୁନିଟ୍ (FBU) ଦିଲ୍ଲୀ ସରକାରଙ୍କ ସ୍ୱାର୍ଥରେ ନୁହେଁ ବରଂ ଆମ୍ ଆଦମୀ ପାର୍ଟି ଏବଂ ସିସୋଦିଆଙ୍କ ବ୍ୟକ୍ତିଗତ ସ୍ୱାର୍ଥରେ କାମ କରୁଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ମଧ୍ୟ ଦାବି କରିଛି ଯେ, ୟୁନିଟ୍ ରିପୋର୍ଟ ଆଧାରରେ କୌଣସି ସରକାରୀ କର୍ମଚାରୀ କିମ୍ବା ବିଭାଗ ବିରୋଧରେ କୌଣସି ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଉଲ୍ଲେଖନୀୟ ଯେ, ଦୁଇ ସପ୍ତାହ ଧରି ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ବିରୋଧ କରିଥିଲା। ସେହି ସମୟରେ ବିଜେପିର କାର୍ଯ୍ୟରତ ରାଜ୍ୟ ସଭାପତି ବିରେନ୍ଦ୍ର ସଚ୍ଚଦେବ କହିଥିଲେ ଯେ ସଂସଦ, ବିଧାୟକ, ସାଂସଦ, ଅଧିକାରୀ ଏବଂ ଦିଲ୍ଲୀ ଉପରେ ନଜର ରଖିବା ପାଇଁ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଜଣେ ଅବସରପ୍ରାପ୍ତ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ କରିଛନ୍ତି। ଦିଲ୍ଲୀର ଏଲଜି ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବର୍ତ୍ତମାନ କେଜ୍ରିୱାଲଙ୍କ ସମ୍ପୂର୍ଣ୍ଣ କ୍ୟାବିନେଟ ସତୀନ୍ଦର ଜେନାଙ୍କ ପରି ତିହାର ଜେଲରେ ରହିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ଚଢାଉ କଲା ସିବିଆଇ, ଉପ ମୁଖ୍ୟମନ୍ତ୍ରୀ କହିଲେ, ସେମାନଙ୍କୁ ସ୍ୱାଗତ

ନୂଆଦିଲ୍ଲୀ: ଦିଲ୍ଲୀ ସଚିବାଳୟରେ ଅବସ୍ଥିତ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ସିବିଆଇ ଚଢାଉ କରିଛି। ଏହି ସମୟରେ ସେ ଦାବି କରିଛନ୍ତି ଯେ, ସିବିଆଇ ପୂର୍ବରୁ କିଛି ପାଇନାହିଁ ଏବଂ ବର୍ତ୍ତମାନ ମଧ୍ୟ କିଛି ପାଇବ ନାହିଁ।

ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି ଦାବି କରିଛନ୍ତି ଯେ, ଆଜି ପୁଣି ସିବିଆଇ ମୋ ଅଫିସରେ ପହଞ୍ଚିଛି। ସେମାନଙ୍କୁ ସ୍ୱାଗତ। ସେମାନେ ମୋ ଘର ଉପରେ ଚଢାଉ କରିଥିଲେ, ମୋ ଅଫିସରେ ଚଢାଉ କରିଥିଲେ, ମୋ ଲକରକୁ ଖୋଜିଥିଲେ, ମୋ ଗାଁରେ ମଧ୍ୟ ଯାଞ୍ଚ କରିଥିଲେ। ମୋ ବିରୁଦ୍ଧରେ ତାଙ୍କୁ ନା କିଛି ମିଳିଛି ନା ଏବେ କିଛି ମିଳିବ, କାରଣ ମୁଁ କିଛି ଭୁଲ କରି ନାହିଁ। ଦିଲ୍ଲୀର ପିଲାମାନଙ୍କ ଶିକ୍ଷା ପାଇଁ ସଚ୍ଚୋଟତାର ସହିତ କାର୍ଯ୍ୟ କରିଛି।

ଏଥି ସହ ସିବିଆଇ ସୂତ୍ରରୁ ପ୍ରକାଶ ଯେ, ଆମେ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ଚଢାଉ କରିନାହୁଁ। ବର୍ତ୍ତମାନ ସୁଦ୍ଧା ସିବିଆଇରୁ କୌଣସି ସରକାରୀ ସୂଚନା ଆସିନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଅବକାରୀ ଦୁର୍ନୀତିକୁ ନେଇ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢାଉ କରିସାରିଛି। ଏହି ସମୟରେ ସେମାନଙ୍କ ଲକରଗୁଡ଼ିକୁ ମଧ୍ୟ ଯାଞ୍ଚ କରା ଯାଇଥିଲା। ନିକଟରେ ସିବିଆଇ ଏକ୍ସାଇଜ୍ ପଲିସି ସ୍କାମ ସମ୍ପର୍କରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ସମୟରେ ସିବିଆଇ କୋର୍ଟରେ କହିଛି ଯେ, ଏହି ମାମଲାରେ ୭ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି, ସେଥିମଧ୍ୟରୁ ୩ ଜଣ ସରକାରୀ କର୍ମଚାରୀ। ଏହା ମଧ୍ୟ କୁହାଯାଇଥିଲା ଯେ, ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ଚାଲିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିବ ସିବିଆଇ: ଆମ୍ ଆଦମୀ ପାର୍ଟିର ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ସମ୍ପର୍କରେ ଆସନ୍ତାକାଲି ଜେରା କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଡକାଇଛି। ଏହା ପରେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ଯେ, ସେ ସିବିଆଇ ମୁଖ୍ୟାଳୟକୁ ଯାଇ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏଥି ସହ ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ, ସିବିଆଇ ଆସନ୍ତାକାଲି ମନୀଷ ସିସୋଦିଆଙ୍କୁ ଗିରଫ କରିବ।

ଅବକାରୀ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ମନୀଷ ସିସୋଦିଆଙ୍କୁ ଜେରା ପାଇଁ ଡକାଯାଇଛି। ଦିଲ୍ଲୀ ସରକାର ବର୍ତ୍ତମାନ ଏହି ନୀତି ପ୍ରତ୍ୟାହାର କରି ନେଇଛନ୍ତି।

ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ, ମନୀଷ ସିସୋଡିଆଙ୍କୁ ଆସନ୍ତାକାଲି ସିବିଆଇ ଡକାଇ ତାଙ୍କୁ ଗିରଫ କରିବ। କୁହାଯାଉଥିଲା ଯେ, ଦଶ ହଜାର କୋଟିର ଦୁର୍ନୀତି ହୋଇଛି, ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ଏବଂ ଇଡି ୫୦୦ ସ୍ଥାନରେ ଚଢାଉ କରିଛନ୍ତି। ସିବିଆଇ ମନୀଷ ସିସୋଦିଆଙ୍କ ଘରେ ୧୪ ଘଣ୍ଟା ପର୍ଯ୍ୟନ୍ତ ସିବିଆଇ ରହିଥିଲା, ହେଲେ କୌଣସି ସ୍ଥାନରୁ କିଛି ମିଳିଲା ନାହିଁ। ଏହା ଗୁଜୁରାଟ ନିର୍ବାଚନ ସହ ଜଡିତ, ବିଜେପି ଏବଂ ଏଏପି ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଛି। ଏଏପି କୁ ବିଜେପି ଭୟ କରୁଛି।

ଏଥିସହିତ ସେ କହିଛନ୍ତି, ‘ମନୀଷ ସିସୋଦିଆଙ୍କ କାର୍ଯ୍ୟକ୍ରମକୁ ରୋକିବା ପାଇଁ ତାଙ୍କୁ ଗିରଫ କରାଯିବ। କିନ୍ତୁ ଏହା ଏଏପି କୁ ଅଧିକ ଶକ୍ତିଶାଳୀ କରିବ। ପୂର୍ବରୁ ମଧ୍ୟ ଆମର ନେତାମାନଙ୍କୁ ଡକାଯାଇଥିଲା ଏବଂ ସମାନ ନୋଟିସ ଦେଇ ଗିରଫ କରାଯାଇଥିଲା, ତେଣୁ ଆମେ କହୁଛୁ ତାଙ୍କୁ ମଧ୍ୟ ଗିରଫ କରାଯିବ।

ଭରଦ୍ବାଜ କହିଛନ୍ତି ଯେ, ‘ଯଦି ଆମେ ଭୟଭୀତ ହୋଇଥା’ନ୍ତୁ, ତେବେ ଆମେ ଲୁଚି ରହିଥା’ନ୍ତୁ। ଯେତେ ଅଧିକ ଗିରଫ ହେବ, ଗୁଜୁରାଟରେ ଆମର ଗ୍ରାଫ୍ ସେତିକି ବୃଦ୍ଧି ପାଇବ। ସ୍ୱାଧୀନତା ସଂଗ୍ରାମ ପାଇଁ ଯେପରି ବଳିଦାନ ଦିଆଯାଇଥିଲା, ଆଜି ମଧ୍ୟ ସମାନ ପ୍ରକାରର ବଳିଦାନ ଆବଶ୍ୟକ ଏବଂ ଆମେ ଏହି ବଳିଦାନ ପାଇଁ ପଛକୁ ହଟିବୁ ନାହିଁ।

ସିସୋଦିଆକୁ ‘ଆଜିର ଭଗତ ସିଂ’ ବୋଲି ବର୍ଣ୍ଣନା କରି ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ‘ଜେଲ୍ ଏବଂ ଫାଶୀ ଭଗତ ସିଂଙ୍କ ଉଚ୍ଚ ଉଦ୍ଦେଶ୍ୟକୁ ରୋକି ପାରି ନାହିଁ। ସ୍ୱାଧୀନତା ପାଇଁ ଏହା ହେଉଛି ଦ୍ୱିତୀୟ ସଂଗ୍ରାମ। ମନୀଷ ଏବଂ ସତ୍ୟେନ୍ଦ୍ର ହେଉଛନ୍ତି ଆଜି ଭଗତ ସିଂ। ୭୫ ବର୍ଷ ପରେ, ଦେଶ ଜଣେ ଶିକ୍ଷା ମନ୍ତ୍ରୀ ପାଇଲା ଯିଏ ଗରିବ ଲୋକଙ୍କୁ ଭଲ ଶିକ୍ଷା ଦେଇଥିଲା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶା ଦେଇଥିଲା। କୋଟି କୋଟି ଗରିବଙ୍କ ପ୍ରାର୍ଥନା ଆପଣଙ୍କ ସହିତ ଅଛି।

ଏଥିସହିତ ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୋ ଘରେ ସିବିଆଇ ଚଢାଉ ୧୪ ଘଣ୍ଟା ଧରି କରାଯାଇଥିଲା, କିଛି ବାହାରି ନଥିଲା। ମୋ ବ୍ୟାଙ୍କ ଲକରକୁ ଖୋଜା ଯାଇଥିଲା, ସେଥିରୁ କିଛି ବାହାରି ନଥିଲା। ସେମାନେ ମୋ ଗାଁରେ କିଛି ପାଇଲେ ନାହିଁ। ବର୍ତ୍ତମାନ ସେମାନେ ମୋତେ ଆସନ୍ତାକାଲି ସକାଳ ୧୧ ଟାରେ ସିବିଆଇ ମୁଖ୍ୟାଳୟକୁ ଡାକିଛନ୍ତି। ମୁଁ ଯିବି ଏବଂ ମୋର ସମ୍ପୂର୍ଣ୍ଣ ସହଯୋଗ କରିବି। ସତ୍ୟମେଭା ଜୟତେ। ‘

ଅଗଷ୍ଟରେ ସିବିଆଇ ସିସୋଦିଆ ଏବଂ ଅନ୍ୟ 14 ଜଣଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ବିଭାଗ ଅଧୀନରେ ପଞ୍ଜୀକୃତ ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି ସାକ୍ସେନା ଦିଲ୍ଲୀ ଏକ୍ସାଇଜ୍ ପଲିସି ୨୦୨୧-୨୨ ର କାର୍ଯ୍ୟାନ୍ୱୟନରେ ହୋଇଥିବା ଅନିୟମିତତା ବିଷୟରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଅବକାରୀ ନୀତି ମାମଲା: ଅଭିଯୁକ୍ତଙ୍କ ଘରୁ ୧ କୋଟି ଜବତ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ଇଡି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଦିଲ୍ଲୀରେ ସର୍ଚ୍ଚ ଅପରେସନ ବେଳେ ଅଭିଯୁକ୍ତଙ୍କ ବାସଭବନରୁ ୧ କୋଟି ଟଙ୍କା ଜବତ କରିଛି। ଇଡି ଅଧିକାରୀମାନେ ଆଜି ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିବେ। ଦିଲ୍ଲୀର ନୂତନ ଅବକାରୀ ନୀତିରେ ଅନିୟମିତତା ତଥା ଦୁର୍ନୀତି ଅଭିଯୋଗରେ ଗତକାଲି ଦିଲ୍ଲୀ ସମେତ ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବର ୩୫ ଟି ସ୍ଥାନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା। ଏହି ନୀତି ସହିତ ଜଡିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଅନେକଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି।

ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ମଧ୍ୟ ସିବିଆଇ ଚଢାଉ କରିଛି। ବର୍ତ୍ତମାନ ଇଡି ଏହି ମାମଲା ସହ ଜଡିତ ଅନ୍ୟ ଲୋକଙ୍କୁ ଚଢାଉ କରି ପ୍ରମାଣ ସଂଗ୍ରହରେ ନିୟୋଜିତ ଅଛି। ପ୍ରକାଶ ଯେ କିଛି ଦିନ ପୂର୍ବରୁ ଇଡି ଏହି ଦୁର୍ନୀତି ଅଭିଯୋଗରେ ଅର୍ଥ ହେରଫେର ମାମଲା ରୁଜୁ କରିଥିଲା। ଏହା ପରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ଗିରଫ କରିଥିଲା। ଅବକାରୀ ନୀତିରେ ହୋଇଥିବା ଏହି ଦୁର୍ନୀତିର ଅଭିଯୁକ୍ତ ବିଜୟ ନାୟାରଙ୍କୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହାପୂର୍ବରୁ ତାଙ୍କର ନ୍ୟାୟିକ ହେପାଜତ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ରହିଥିଲା। ସେ ଆମ୍ ଆଦମୀ ପାର୍ଟି (AAP) ର ସଂଚାର ପ୍ରଭାରୀ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମଦ ଦୁର୍ନୀତି: ଇଡିର ପୁଣି କାର୍ଯ୍ୟାନୁଷ୍ଠାନ, ଦିଲ୍ଲୀ-ପଞ୍ଜାବ ସମେତ ୩୫ ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ: ଦିଲ୍ଲୀ ୨୦୨୧-୨୨ର ଏକ୍ସାଇଜ୍ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦର ପ୍ରାୟ ୩୫ ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଦିଲ୍ଲୀର ଜୋର ବାଗରୁ ମଦ ବିତରକ ତଥା ଇଣ୍ଡୋସ୍ପିରିଟ୍ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସମୀର ମହେନ୍ଦ୍ରୁଙ୍କୁ ଗିରଫ କରିବା ପରେ ଏହି ଚଢାଉ କରାଯାଇଛି। ସମୀର ମହେନ୍ଦ୍ରୁଙ୍କୁ ସିବିଆଇ ଗିରଫ କରିଛି।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ତତ୍କାଳୀନ ଏକ୍ସାଇଜ୍ କମିଶନର ଅରବା ଗୋପୀ କୃଷ୍ଣ, ଡେପୁଟି କମିଶନର ଆନନ୍ଦ ତିୱାରୀ ଏବଂ ସହକାରୀ କମିଶନର ପଙ୍କଜ ଭଟନଗର ଏହି ଏକ୍ସାଇଜ୍ ସ୍କାମରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ବ୍ୟତୀତ ଅଭିଯୁକ୍ତମାନଙ୍କର ଏକ ଲମ୍ବା ତାଲିକା ଅଛି। ଉଭୟ ସିବିଆଇ ଏବଂ ଇଡି ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଏହି ମାମଲାରେ, ଇଡି ଏବଂ ସିବିଆଇ ଅଭିଯୋଗ କରିଛି ଯେ, ଏକ୍ସାଇଜ୍ ପଲିସିର ସଂଶୋଧନ ବେଳେ ଅନିୟମିତତା ହୋଇଛି, ଲାଇସେନ୍ସଧାରୀଙ୍କୁ ଅଯଥା ଅନୁକମ୍ପା ପ୍ରଦାନ କରାଯାଇଛି, ଲାଇସେନ୍ସ ଶୁଳ୍କ ଛାଡ କରାଯାଇଛି କିମ୍ବା ହ୍ରାସ କରାଯାଇଛି ଏବଂ ଦକ୍ଷ ଅଧିକାରୀଙ୍କ ବିନା ଏଲ-୧ ଲାଇସେନ୍ସକୁ ସମ୍ପ୍ରସାରଣ ପ୍ରଦାନ କରାଯାଇଛି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଇଡିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲେଖିଛନ୍ତି, ମନୀଷ ସିସୋଦିଆଙ୍କ ବିରୋଧରେ ପ୍ରମାଣ ଖୋଜିବା ପାଇଁ ୫୦୦ ରୁ ଅଧିକ ଚଢାଉ କରାଯାଇଛି। ଏହାସହିତ ୩ ମାସରେ ସିବିଆଇ ଏବଂ ଇଡିର ୩୦୦ ରୁ ଅଧିକ ଅଧିକାରୀ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନଙ୍କୁ କିଛି ମିଳୁ ନାହିଁ, କାରଣ କିଛି କରାଯାଇ ନାହିଁ। ସେମାନଙ୍କର ମନ୍ଦ ରାଜନୀତି ପାଇଁ ଏତେ ସଂଖ୍ୟକ ଅଧିକାରୀଙ୍କ ସମୟ ନଷ୍ଟ ହେଉଛି। ଏପରି ଦେଶ କିପରି ଅଗ୍ରଗତି କରିବ?