ତୃତୀୟ ଚାର୍ଜସିଟରେ ମଧ୍ୟ ମନୀଷ ସିସୋଦିଆଙ୍କ ନାମ ନାହିଁ: ଆମ୍ ଆଦମୀ ପାର୍ଟିର ଦୃଢୋକ୍ତି

Published: Apr 6, 2023, 3:57 pm IST

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆଜି ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ ରାଜେଶ ଯୋଶୀ, ରାଘବ ମଗୁଣ୍ଟା ଏବଂ ଗୌତମ ମାଲହୋତ୍ରାଙ୍କ ବିରୋଧରେ ଦାଖଲ କରାଯାଇଛି। ଏହି ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ଏକ ବଡ ଦାବି କରିଛି ଯେ, ଇଡିର ତୃତୀୟ ଚାର୍ଜସିଟରେ ମଧ୍ୟ ମନୀଷ ସିସୋଦିଆଙ୍କ ନାମ ନାହିଁ। ସିସୋଦିଆଙ୍କ ନାମ ପ୍ରଥମ ଏବଂ ଦ୍ୱିତୀୟ ଚାର୍ଜସିଟରେ ମଧ୍ୟ ନଥିଲା।

ଏପ୍ରିଲ୍ ୧୪ ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟ ଚାର୍ଜସିଟ୍ ଶୁଣାଣି କରିବେ। ଇଡି କୋର୍ଟଙ୍କୁ କହିଛନ୍ତି ଯେ, ଫେବୃଆରୀ ୭ ତାରିଖରେ ମାଲହୋତ୍ରା, ଫେବୃଆରୀ ୮ ତାରିଖରେ ରାଜେଶ ଏବଂ ଫେବୃଆରୀ ୧୦ ତାରିଖରେ ରାଘବ ମଗୁଣ୍ଟା ଗିରଫ ହୋଇଥିଲେ। ଅନ୍ୟପକ୍ଷରେ, ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି ଏବଂ ଏଥିରେ ସମ୍ପୃକ୍ତ ଥିବା ନେଇ ନୂତନ ପ୍ରମାଣ ମିଳିଛି ବୋଲି କୋର୍ଟଙ୍କୁ ଇଡି କହିଛି।

ଏହି ସମୟରେ ସିସୋଦିଆ ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ ଯେ, ଏ ବିଷୟରେ କୌଣସି ପ୍ରମାଣ ନାହିଁ। ସେମାନେ ସବୁକିଛି ଯାଞ୍ଚ କରି ଘରେ ଚଢାଉ କରିଥିଲେ ମଧ୍ୟ କିଛି ପାଇଲେ ନାହିଁ। ତାଙ୍କର କିମ୍ବା ପରିବାରର କୌଣସି ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ।

ପ୍ରକାଶ ଥାଉ ଯେ, ଅବକାରୀ ନୀତି ୨୦୨୧-୨୨ର ରୂପରେଖ ଏବଂ କାର୍ଯ୍ୟାନ୍ୱୟନରେ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରାଯାଇଥିଲା। ସେବେଠାରୁ ଆପ କେନ୍ଦ୍ର ସରକାର ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗ କରିଆସୁଛି।

Related posts