Categories
ଆଜିର ଖବର ଜାତୀୟ ଖବର

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗ୍ରହଣ କରିଛନ୍ତି। ମନୀଷ ସିସୋଦିଆଙ୍କର ଅନେକ ବିଭାଗର ଦାୟିତ୍ୱ ଥିଲା। ସତ୍ୟେନ୍ଦ୍ର ଜୈନ ଜେଲ ଯିବା ପରେ ମନୀଷ ସିସୋଦିଆ ତାଙ୍କ ବିଭାଗର କାର୍ଯ୍ୟର ତୁଲାଉଥିଲେ। ମନୀଷ ସିସୋଦିଆ ଦିଲ୍ଲୀ ସରକାରଙ୍କ ୩୩ ଟି ବିଭାଗର ୧୮ ଟି ଦାୟିତ୍ୱରେ ଥିଲେ। ସତ୍ୟେନ୍ଦ୍ର ଜୈନ ନଅ ମାସ ଜେଲରେ ଅଛନ୍ତି। ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମାମଲାରେ ମନୀଷ ସିସୋଦିଆ ଗିରଫ ହେବା ଦିନଠାରୁ ବିରୋଧୀ ଦଳ କେଜ୍ରିୱାଲ ସରକାରଙ୍କ ଉପରେ ଆକ୍ରମଣ କରୁଥିଲେ। ଏଥିସହିତ ସତ୍ୟେନ୍ଦ୍ର ଜୈନ ସ୍ୱାସ୍ଥ୍ୟମନ୍ତ୍ରୀ ପଦରେ ଥିଲେ। ଉଭୟଙ୍କ ଇସ୍ତଫା ସମ୍ପର୍କରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, କାମ ବନ୍ଦ ହେବ ନାହିଁ ଏବଂ ବିଜେପି ଯୋଜନାରେ ସଫଳ ହେବ ନାହିଁ।

ଉଭୟ ମନ୍ତ୍ରୀଙ୍କ ଇସ୍ତଫା ପରେ ବିଜେପି ସାଂସଦ ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ମନୋଜ ତିୱାରୀ ଟ୍ୱିଟ୍ କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ କଡା ତାଗିଦ୍ ହେତୁ ଆମ୍ ଆଦମୀ ପାର୍ଟି ନିଦ ଭାଙ୍ଗିଛି। ଶେଷରେ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ଇସ୍ତଫା ଦେବାକୁ ପଡିଛି। କେଜ୍ରିୱାଲ ଜୀ, ନୈତିକତା ଆଧାରରେ ଆପଣ ମଧ୍ୟ ଇସ୍ତଫା ଦେବା କଥା। କପିଲ ମିଶ୍ର ମଧ୍ୟ ଟୁଇଟ୍ କରି ଏହାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ଦିଲ୍ଲୀର ଲୋକମାନେ ଜିତିଲେ, ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ କ୍ୟାବିନେଟରୁ ଇସ୍ତଫା ଦେବାକୁ ପଡ଼ିଲା। ଦୁର୍ନୀତିଗ୍ରସ୍ତ ମନ୍ତ୍ରୀମାନଙ୍କୁ ବଞ୍ଚାଇବା ପାଇଁ ସମସ୍ତ କେଜ୍ରିୱାଲଙ୍କ ଉଦ୍ୟମ ବିଫଳ ହୋଇଥିଲା।”

ବର୍ତ୍ତମାନ ପର୍ଯ୍ୟନ୍ତ ତିନିଜଣ ମନ୍ତ୍ରୀଙ୍କ ଇସ୍ତଫା:

ରାଜେନ୍ଦ୍ର ପାଲ ଗୌତମ, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମେତ ଦିଲ୍ଲୀର ମୋଟ ତିନିଜଣ ମନ୍ତ୍ରୀ ଏପର୍ଯ୍ୟନ୍ତ ଇସ୍ତଫା ଦେଇଛନ୍ତି। ଗତ ବର୍ଷ ରାଜେନ୍ଦ୍ର ପାଲ ଗୌତମ ବିବାଦୀୟ ବିବୃତ୍ତି ପରେ ମୁଖ୍ୟମନ୍ତ୍ରୀକେଜ୍ରିୱାଲଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଥିଲେ।