
ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମ ଛକରେ ପ୍ରତିଦିନ ସନ୍ଧ୍ୟାରେ କେତେଜଣ ଅସାମାଜିକ ଯୁବକ ମଦ୍ୟପାନ କରି ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏ ନେଇ ବାଲୁଗାଁ ଆଇଆଇସି ଏବଂ ନାଭାଲ ଫାଣ୍ଡି ଅଧିକାରୀ ବିଗତ ଦିନରେ ସମ୍ପୃକ୍ତ ଯୁବକମାନଙ୍କୁ ଏଥିରୁ ନିବୃତ ରହିବା ପାଇଁ ତାଗିଦ କରିଥିବା ବେଳେ ସମ୍ପୃକ୍ତ ଯୁବକମାନେ ପୋଲିସ ସହ ଯୁକ୍ତି କରିବାକୁ ପଛାଇନଥିଲେ।
ତେବେ ଗତ ରବିବାର ଦିନ ପୁନଶ୍ଚ ଉକ୍ତ ଅସାମାଜିକ ଯୁବକମାନେ ଅଠରବାଟିଆ ଗ୍ରାମର କିଛି ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାରୁ ଯୁବତୀମାନେ ଏ ନେଇ ନାଭାଲ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନମ୍ବର ୨୦୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।