ଖୋର୍ଦ୍ଧା: ହତ୍ୟା ଅଭିଯୁକ୍ତଙ୍କ ନିକଟରୁ ୨ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କଲା ଏସଟିଏଫ

Published: Nov 10, 2022, 7:24 am IST

ଖୋର୍ଦ୍ଧା: ଏସଟିଏଫକୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧାରୁ ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ।

ସୂଚନା ମୁତାବକ ଗତକାଲି ଖୋର୍ଦ୍ଧା-ଜଟଣୀ ବାଇପାସରେ ଏକ ବଡ଼ ଧରଣର ବ୍ରାଉନସୁଗାର ଡ଼ିଲ ହେବା ନେଇ ଏସଟିଏଫ ଜାଣିବାକୁ ପାଇଥିଲା। ଜିଲ୍ଲା ପୋଲିସର ସହଯୋଗରେ ଏସଟିଏଫ ଏକ ଟିମ ଗଠନ କରି ସେଠାରେ ପୁର୍ବରୁ ଛକି ରହିଥିଲା। କିଛି ସମୟ ପରେ ଅଭିଯୁକ୍ତ ଜଣକ ବ୍ରାଉନ ସୁଗାର ଡ଼ିଲ ପାଇଁ ଉକ୍ତ ସ୍ଥାନରେ ପହଞ୍ଚିଥିବା ବେଳେ ତାଙ୍କୁ ଏସଟିଏଫ ମାଡି ବସିଥିଲା।

ଅଭିଯୁକ୍ତ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ରାକେଶ ସାମନ୍ତରାୟ ଓରଫ ରାକା। ତଲାସି ସମୟରେ ଏସଟିଏଫ ରାକାଙ୍କ ନିକଟରୁ ୨ କେଜି ୨୦ ଗ୍ରାମ ଓଜନର ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୨ କୋଟି ୨ ଲକ୍ଷ), ଗୋଟେ ଛୁରୀ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରିଛି।

ତେବେ ଅଭିଯୁକ୍ତ ରାକା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିବା ଜଣାପଡିଛି। ସେ ଖଣ୍ଡଗିରି ଥାନାର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ବିଗତ ୪ ବର୍ଷ ହେଲା ଭୁବନେଶ୍ୱର ଜେଲରେ ଥିବା ବେଳେ ନିକଟରେ ସର୍ତ୍ତମୂଳକ ଜାମିନରେ ଜେଲରୁ ମୁକୁଳିଥିଲେ।

ଏ ସଂକ୍ରାନ୍ତରେ ଏସଟିଏଫ ଏନଡ଼ିପିଏସ ଅଧିନିୟମ ମୁତାବକ କେସ ନମ୍ବର ୨୬/୨୨ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Related posts