ବାଣପୁର: ମହାଙ୍ଗା ପଡ଼ିଲା କମେଣ୍ଟ ମରା, ପୋକସୋ ଆକ୍ଟରେ ବନ୍ଧା ହେଲେ ରୋଡ ରୋମିଓ

Published: Nov 10, 2022, 3:16 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ବଢୁଥିବା ବେଳେ ଏହା ଉପରେ କଠୋର ପନ୍ଥା ଆପଣେଇଛି ପୋଲିସ। ରୋଡରୋମିଓ ମାନେ ଆଇନକୁ ଖାତିର ନକରି ବାରମ୍ବାର ରାସ୍ତାଘାଟ ରେ ନିରୀହ ଛାତ୍ରୀ ତଥା ଯୁବତୀ ମାନଙ୍କୁ ହଇରାଣ ହରକତ କରୁଛନ୍ତି । ତେବେ ବାଣପୁରରେ ଜଣେ ନାବାଳିକାଙ୍କୁ କମେଣ୍ଟ ମାରିବା ତଥା ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ପୋକସୋ ଆକ୍ଟରେ ପୋଲିସ ଦ୍ୱାରା ବନ୍ଧା ହୋଇଛନ୍ତି।

ସୂଚନା ମୁତାବକ ଗତକାଲି କୁମାରାଙ୍ଗ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦେବରାଜ ନାୟକ(୩୦) ନାମକ ଯୁବକ କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ। ଏ ନେଇ ପରବର୍ତ୍ତୀ ସମୟରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦେଶକ୍ରମେ ତୁରନ୍ତ ଏକ ଟିମ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଉକ୍ତ ଯୁବକଙ୍କ ବିରୁଦ୍ଧରେ ୧୨ ପୋକସୋ ଆକ୍ଟରେ କେସ ନମ୍ବର ୪୭୧/୨୨ ରେ ମାମଲା ରୁଜୁହେବା ସହ ଆଇପିସିର ଏକାଧିକ ସଙ୍ଗୀନ ଦଫା ମଧ୍ୟ ଲାଗିଥିବାର ଜଣାପଡିଛି । ଆଇଆଇସି ଶ୍ରୀ ପରିଡାଙ୍କ କହିବା ମୁତାବକ ନାବାଳିକା ତଥା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆସିଲେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେବେ ପୋଲିସର ଉକ୍ତ ପଦକ୍ଷେପ ଦ୍ୱାରା ରୋଡରୋମିଓ ମାନେ ସାବାଡ଼ ହେବେ ବୋଲି ବୁଦ୍ଧିଜୀବୀ ମାନେ ଆଶା ପ୍ରକାଶ କରିଛନ୍ତି।

Related posts