ନାବାଳିକାକୁ ଅପହରଣ ଅଭିଯୋଗରେ ବିବାହିତ ଯୁବକ ଗିରଫ

Published: Dec 3, 2022, 6:06 pm IST

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ଗରଗଡବାହାଳ ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀକୁ ଅପହରଣ ଅଭିଯୋଗରେ ଶୁକ୍ରବାର ଦିନ ଜଣେ ବିବାହିତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚାରମାଳ ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚାରମାଳ ପଞ୍ଚାୟତ ଅନ୍ତର୍ଗତ ଗିର୍ଗି ଖମଣ୍ଡ ଗ୍ରାମର ରଞ୍ଜନ କୁମାର ବେହେରା (୩୨)।

ସୂଚନା ଯୋଗ୍ୟ ଯେ, ଗତ ନଭେମ୍ବର ୨୮ ତାରିଖରେ ଅଭିଯୁକ୍ତ ରଞ୍ଜନ ଗରଗଡବାହାଳ ଗ୍ରାମର ଜଣେ +୨ ପଢୁଥିବା ନାବାଳିକା କଲେଜ ଛାତ୍ରୀକୁ ଅପହରଣ କରି ସମ୍ବଲପୁର ନେଇ ସେଠାରୁ ପୁରୀ ନେଇ ଯାଇଥିଲେ। ଏ ସଂକ୍ରାନ୍ତରେ ନାବାଳିକାଙ୍କ ପରିବାର ଲୋକେ ଚାରମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଉଭୟଙ୍କୁ ଚାରମାଳ ରେଲୱେ ଷ୍ଟେସନରେ ରହିଥିବା ସୂଚନା ପାଇ ପୋଲିସ ରେଳ ଷ୍ଟେସନରୁ ନାବାଳିକାକୁ ଉଦ୍ଧାର କରି ଉକ୍ତ ଯୁବକକୁ ଗିରଫ କରିଥିଲା।

ଏନେଇ  ପୋଲିସ କେଶ ନଂ ୧୬୪/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବସନ୍ତ ଦଳେଇ ସୂଚନା ଦେଇଛନ୍ତି। ସେପଟେ  ଯୈାତୁକ ନିର୍ଯାତନା ତଥା ସ୍ତ୍ରୀକୁ ଶାରୀରିକ ନିର୍ଯାତନା ଦେଉଥିବା ନେଇ ସଂଗିନ ଅଭିଯୋଗ ଆଣି ଶୁକ୍ରବାର ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଯୁକ୍ତ ବିବାହିତ ପୁରୁଷ ରଞ୍ଜନ ଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ପ୍ରଧାନ, ଏନେଇ ଚାରମାଳ ପୋଲିସ କେଶ ନଂ ୧୬୮/୨୨ ରେ ପୁଣି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts