ଭାରତର ଭୁଲ ମାନଚିତ୍ର ଦେଖାଇଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କ ତାଗିଦ, ହ୍ଵାଟସ୍ ଆପ୍ ଦେଲା ଜବାବ

Published: Dec 31, 2022, 9:53 pm IST

ନୂଆଦିଲ୍ଲୀ: ନୂଆ ବର୍ଷ ଉତ୍ସବରେ ଭାରତର ଭୁଲ ମାନଚିତ୍ର ବ୍ୟବହାର କରି ହ୍ଵାଟସ୍ ଆପ୍ ଏକ ନୂଆ ବିବାଦ ସୃଷ୍ଟି କରିଛି। ଏଥିପାଇଁ କେନ୍ଦ୍ର ସରକାର ହ୍ଵାଟସ୍ ଆପ୍ କୁ ଚେତାବନୀ ଦେଇଛନ୍ତି। ଏହି ବିଷୟରେ ଅବଗତ ହୋଇ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ହ୍ଵାଟସ୍ ଆପ୍ କୁ ଚେତାବନୀ ଦେଇଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ହ୍ଵାଟସ୍ ଆପ୍ କୁ ନୂଆ ବର୍ଷ ଉତ୍ସବ ଲାଇଭ୍ ଷ୍ଟ୍ରିମିଂ ଲିଙ୍କରେ ଭାରତର ଭୁଲ ମାନଚିତ୍ର ଠିକ୍ କରିବାକୁ କହିଛନ୍ତି।

ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତରେ ବ୍ୟବସାୟ କରୁଥିବା ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ସଠିକ୍ ମାନଚିତ୍ର ବ୍ୟବହାର କରିବା ଉଚିତ୍। ଯାହା ପରେ ହ୍ଵାଟସ୍ ଆପ୍ ର ଉତ୍ତର ମଧ୍ୟ କିଛି ସମୟ ପରେ ଆସିଥିଲା ଏବଂ ସେ କ୍ଷମା ମାଗି ପ୍ଲାଟଫର୍ମରୁ ଏହାକୁ ହଟାଇବା ବିଷୟରେ ସୂଚନା ଦେଇଥିଲା।

ହ୍ଵାଟସ୍ ଆପ୍ ଉତ୍ତର ଦେବାବେଳେ ଲେଖିଛି ଯେ, ଆମର ଏହି ଭୁଲ୍ ଦର୍ଶାଇଥିବାରୁ ଧନ୍ୟବାଦ। ଆମେ ଏହି ଷ୍ଟ୍ରିମିଂ ଅପସାରଣ କରିଛୁ ଏବଂ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରୁଛୁ। ଭବିଷ୍ୟତରେ ଆମେ ଏହାର ଯତ୍ନ ନେବୁ। ପ୍ରକାଶ ଯେ ଲାଇଭ୍ ଷ୍ଟ୍ରିମ୍ ଟ୍ୱିଟରେ ହ୍ଵାଟସ୍ ଆପ୍ ଭାରତର ଭୁଲ ମାନଚିତ୍ର ଦେଖାଇଛି। ଯେଉଁ ଗ୍ରାଫିକ୍ସ ମାନଚିତ୍ରକୁ ହ୍ଵାଟସ୍ ଆପ୍ ସେୟାର କରିଥିଲା, POK ଏବଂ ଚାଇନାର ଦାବିର କିଛି ଅଂଶ ଭାରତ ଠାରୁ ପୃଥକ ଭାବରେ ପ୍ରଦର୍ଶିତ ହୋଇଥିଲା।

ଉଲ୍ଲେଖନୀୟ କଥା ହେଉଛି, ରାଜୀବ ଚନ୍ଦ୍ରଶେଖର କିଛି ଦିନ ପୂର୍ବରୁ ଭିଡିଓ କଲିଂ ପ୍ଲାଟଫର୍ମ ଜୁମ୍ କୁ ଏକ ଅଲ୍ଟିମେଟମ୍ ଦେଇଥିଲେ। ସେ ଜୁମ୍ ର ପ୍ରତିଷ୍ଠାତା ତଥା ସିଇଓ ଏରିକ୍ ୟୁଆନ୍ ଙ୍କୁ କହିଥିଲେ ଯେ, ସେ ଅନ୍ତତଃପକ୍ଷେ ଯେଉଁ ଦେଶରେ ବ୍ୟବସାୟ କରୁଛନ୍ତି କିମ୍ବା ଭବିଷ୍ୟତରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେହି ଦେଶର ସଠିକ୍ ମାନଚିତ୍ର ବ୍ୟବହାର କରନ୍ତୁ। ଚନ୍ଦ୍ରଶେଖରଙ୍କ ଚେତାବନୀରେ ଜୁମ୍ ସିଇଓ ତୁରନ୍ତ ଦେଶର ଭୁଲ ମାନଚିତ୍ର ଦର୍ଶାଇ ଟ୍ୱିଟ୍ ଡିଲିଟ୍ କରିଥିଲେ।

Related posts