କ୍ରିକେଟର ପୃଥ୍ବୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ ଅଭିଯୋଗ: ୮ ଲୋକଙ୍କ ବିରୋଧରେ ମାମଲା ରୁଜୁ

Published: Feb 16, 2023, 5:47 pm IST

ମୁମ୍ବାଇ: କ୍ରିକେଟର ପୃଥ୍ବୀ ଶ’ ଏବଂ ତାଙ୍କ ବନ୍ଧୁଙ୍କ ସହ ପ୍ରଶଂସକଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଝଗଡା ସମ୍ପର୍କରେ ଓଶିୱରା ପୋଲିସ ଏକ ମାମଲା ରୁଜୁ କରିଛି। ପୃଥ୍ବୀ ଶ’ଙ୍କ ବନ୍ଧୁଙ୍କ ଅଭିଯୋଗରେ ୮ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ଗତକାଲି ରାତିର ଅଟେ ଏବଂ ଏହି ଘଟଣା ସାହାରା ଷ୍ଟାର ହୋଟେଲରେ ଘଟିଥିଲା। ପୃଥ୍ବୀ ଶ ଏବଂ ତାଙ୍କ ସାଙ୍ଗ ରାତ୍ରୀ ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଏହି ସମୟରେ ପୃଥ୍ବୀ ଶ’ଙ୍କ ପ୍ରଶଂସକମାନେ ତାଙ୍କ ଟେବୁଲକୁ ଆସି ଫଟୋ କ୍ଲିକ୍ କରିବା ଆରମ୍ଭ କରିଥିଲେ।

କିଛି ଫଟୋ କ୍ଲିକ୍ କରିବା ପରେ ମଧ୍ୟ ପ୍ରଶଂସକମାନେ ଭିଡିଓ ଏବଂ ଫଟୋ ଉଠାଇବା ବନ୍ଦ କରିନଥିଲେ, ତା’ପରେ ପୃଥ୍ବୀ ଶ’ ତାଙ୍କ ବନ୍ଧୁ ଏବଂ ହୋଟେଲ ମାଲିକଙ୍କୁ ଡାକି ପ୍ରଶଂସକଙ୍କୁ ହଟାଇବାକୁ କହିଥିଲେ। ରେଷ୍ଟୁରାଣ୍ଟର ମ୍ୟାନେଜର ପ୍ରଶଂସକମାନଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରିଦେଲେ। ଏଥିରୁ ଜଣେ ବ୍ୟକ୍ତି ପୃଥ୍ବୀ ଶ’ ଏବଂ ତାଙ୍କ ସାଙ୍ଗ ଯିବା ପର୍ଯ୍ୟନ୍ତ ତାଙ୍କ ସାଥୀମାନଙ୍କ ସହିତ ରେଷ୍ଟୁରାଣ୍ଟ ବାହାରେ ଅପେକ୍ଷା କରି ରହିଲେ।

ବେସବଲ୍ ବାଡି ସାହାଯ୍ୟରେ ଅଭିଯୁକ୍ତମାନେ କାରକୁ ଘେରି ରହି ପୃଥ୍ବୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ସିଗନାଲରେ ଅଟକାଇ କାରର କାଚ ଭାଙ୍ଗି ମାରପିଟ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ସେ ପୃଥ୍ବୀ ଶ’ଙ୍କ ବନ୍ଧୁଙ୍କଠାରୁ ୫୦ ହଜାର ଟଙ୍କା ମଧ୍ୟ ମାଗିଥିଲେ। ପୃଥ୍ବୀ ଶ’ଙ୍କୁ ଅନ୍ୟ ଏକ କାରରେ ପଠାଗଲା। ଓସିୱରା ପୋଲିସ ଆଇପିସିର ଧାରା ୧୪୩, ୧୪୮, ୧୪୯, ୩୮୪, ୪୩୭, ୫୦୪, ୫୦୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋଟ ୮ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

Related posts