
କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ବଳମ ପଞ୍ଚାୟତ ଅନ୍ତର୍ଗତ ଧଳତୈଲା ଗ୍ରାମରେ ଜନୈକ ଯୁବକକୁ ମାଡ ମାରି ହତ୍ୟା କରାଯାଇଥିବା ପୋଲିସ୍ କହିଛି। ମୃତ ଯୁବକ ଜଣକ ହେଲେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଧଳତୈଲା ଗ୍ରାମର ଅରକ୍ଷିତ ମହାକୁଡ଼ (୩୫) ବର୍ଷ ବୋଲି ଜଣା ଯାଇଛି।
ସୂଚନା ଅନୁସାରେ ଅରକ୍ଷିତ ଗତକାଲି ପ୍ରାୟ ଅପରାହ୍ନ ୪ଟା ସମୟରେ ନିଶା ସେବନ କରି ଘରେ ଆସି ପାଟିତୁଣ୍ଡ କରୁଥିଲା। ପାଟିତୁଣ୍ଡ କରୁଥିବା ସମୟରେ ପଡୋଶୀ ବିରେନ ପ୍ରଧାନ ନାମକ ଯୁବକ ଅରକ୍ଷିତ ଘରକୁ ଯାଇ ମାଡ ମାରିବାରୁ ସେ ତଳେ ପଡି ଅଚେତ ହୋଇଯାଇଥିଲା।
ତେବେ ପରିବାର ଲୋକେ ତୁରନ୍ତ ଅରକ୍ଷିତକୁ ନାକଟିଦେଉଳ ଡାକ୍ତରଖାନାକୁ ନେଇଆସିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନା ନେବାବେଳେ ଶକ୍ରବାର ସଂଧ୍ୟାରେ ବୁର୍ଲା ନେବା ବାଟରେ ଯୁବକର ମୃତ୍ୟୁ ହୋଇଯାଇଥିଲା।
ଏ ସମ୍ପର୍କରେ ଅରକ୍ଷିତର ସ୍ତ୍ରୀ ଭାରତୀ ମହାକୁଡ଼ଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବୁର୍ଲା ଯାଇ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଭିଯୁକ୍ତ ନାଁରେ କେସ ନଂ ୧୭/୨୩ରେ ୩୦୨ଦଫାରେ ହତ୍ୟା ମାମଲା ରୁଜୁ କରିଥିବା ପୋଲିସ ପ୍ରକାଶ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଫେରାର ଥିବା କିସିଣ୍ଡା ଥାନାଧିକାରୀ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।