ତ୍ରିକୋଣୀୟ ପ୍ରେମରୁ ହତ୍ୟା, ନାବାଳକ ସହ ଚାରି କୋର୍ଟ ଚାଲାଣ

Published: Feb 26, 2023, 11:15 am IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କେବେ ପ୍ରେମ ପାଇଁ ଅପହରଣ ତ କେବେ ହତ୍ୟା। ପ୍ରେମରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ତତ୍ପରତା ଦେଖାଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖିଥିବା ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣଙ୍କୁ ତଦନ୍ତ ପରିସରକୁ ଆଣିଥିଲା।

ତଦନ୍ତରେ ଦୁଇ ଅଭିଯୁକ୍ତ ମୋହନ ମାଝୀ ଓ ନାବାଳକ ଡାକ୍ତର ନାଏକ ପ୍ରେମ ତ୍ରିକୋଣୀୟ ସମ୍ପର୍କରୁ ହତ୍ୟା କରିଥିଲୁ ବୋଲି ସ୍ୱୀକାର କରିଥିଲେ। ଜଣେ ଝିଅକୁ ମୃତକ ଦିଲୀପ ଓ ମୋହନ ଭଲ ପାଉଥିବା ବେଳେ ଏହି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବା ସହ ହତ୍ୟାର ରୂପ ନେଇଥିଲା। ୧୮ ତାରିଖ ଦିନ ମୃତ ଦିଲୀପକୁ ମୋହନ ଓ ଡାକ୍ତର ଏକ ନାଳକୁ ନେଇ ହତ୍ୟା କରିଥିଲେ। ପୁନଶ୍ଚ ଏକ ବାଦାମ ଚାଷ ଜମିରେ ଦେଇଥିବା ବରାହ ଫାସରେ ଦିଲୀପକୁ ନେଇ ଠେଲି ଚାଲି ଆସିଥିବାବେଳେ ବରାଫାସ ଦେଇଥିବା ନିକଟସ୍ଥ ଦରଲୀପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ ମାଝୀ ମୃତକ ଦିଲୀପକୁ ଦେଖି ଗୋଟିଏ ଦିନ ଲୁଚାଇବା ସହ ମୃତ ଦେହକୁ ନଦୀକୁ ଫୋପାଡ଼ି ଦେଇଥିଲେ।

ପୋଲିସ ତଦନ୍ତ କରି ଅପରାଧରେ ବ୍ୟବହୃତ ଓ ବରାହ ଫାସର ସମସ୍ତ ଜିନିଷକୁ ଜବତ କରିଛି। ତେବେ ଶନିବାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣକୁ ମିଶାଇ ମୋଟ ଚାରି ଜଣକୁ କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛିନ୍ତି।

ଏହି ତଦନ୍ତରେ ଅଫିସର ଏସଆଇ ଅନୀଲ କୁମାର ପାଢୀ, ଏଏସଆଇ ତ୍ରିସେନ୍ଦ୍ର ପାତ୍ର, ବିନୟ କୁମାର ବାରା, ବିପିନ କୁମାର ଝରିଆ, ହାବିଲଦାର ନାକୁ ନାଏକ, କନେଷ୍ଟବଲ ଗୌତମ ଆଗୁପତ୍ର, ହୋମଗାର୍ଡ ପବିତ୍ର ପାତ୍ର ପ୍ରମୁଖ ସଦଳ ବଳେ ସଂଗଠିତ ହୋଇ ଜଟିଳ ପରିସ୍ଥିତି ଶ୍ରୁଷ୍ଟି କରିଥିବା ଘଟଣାର ସଫଳ ତଦନ୍ତ କରି ଆଭିଯୁକ୍ତ ମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲେ।

Related posts