ଯୁବକଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ, ଦୁଇ ରାଉଣ୍ଡ ଗୁଳି ମଧ୍ୟ ଚଳାଇଲେ ଦୁର୍ବୃତ୍ତ

Published: Mar 27, 2023, 12:22 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ନିରଞ୍ଜନ ମହାରଣା ନାମକ ଜଣେ ଯୁବକଙ୍କୁ କିଛି ଯୁବକ ମାରଣାନ୍ତକ ଆକ୍ରମଣ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଶିକୁଳା ଗ୍ରାମ ବ୍ରଜନଗର ସାହିର ନିରଞ୍ଜନ ଘରୁ ବାହାରି ଚାଲି ଚାଲି ଗଲାବେଳେ ନିକଟସ୍ଥ ଲିଆଖାଇ ଛକରେ କିଛି ଯୁବକ ତାକୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ ଓ ସେ ପଡ଼ି ଯିବାରୁ ଜଣେ ଆକ୍ରମଣକାରୀ ଯୁବକ ନିରଞ୍ଜନକୁ ଲକ୍ଷ କରି ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲେ। କିନ୍ତୁ ଆହତ ନିରଞ୍ଜନ ପ୍ରାଣ ବିକଳରେ ବହୁ କଷ୍ଟରେ ସେଠାରୁ ଉଠି ନିକଟସ୍ଥ ଜଣଙ୍କ ଘରକୁ ପଳାଇ ଥିଲେ। ଯ’ଦ୍ଵାରା ଆକ୍ରମଣକାରୀ ଯୁବକମାନେ ସେଠାରୁ ପଳାୟନ କରିଥିଲେ।

ସଙ୍ଗେ ସଙ୍ଗେ କିଛି ଗ୍ରାମ ବାସୀ ଘଟଣାସ୍ଥଳରେ ପହଞ୍ଚି ଆହତ ନିରଞ୍ଜନକୁ ଚିକିତ୍ସା ପାଇଁ ପୁରୁଷୋତ୍ତମ ପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୁରୁଷୋତ୍ତମ ପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫୁଟିଥିବା ଗୁଳିର ଦୁଇଟି ଖୋକା ଜବତ୍ କରି ତଦନ୍ତ ଆରମ୍ଭ କରିଛନ୍ତି। ରାଜନୈତିକ ଶତୃତାକୁ କେନ୍ଦ୍ରକରି ଏଇ ଘଟଣା ଘଟିଥିବା କିଛି ଲୋକ କହୁଥିବା ବେଳେ ଗତ ଦୁଇ ବର୍ଷ ହେଲା ଗ୍ରାମରେ ଚାଲିଥିବା ଜୁଆ ଖେଳକୁ ନେଇ ଏହି ଘଟଣା ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି। କିନ୍ତୁ ସଠିକ୍ ତଦନ୍ତ ହେଲେ ପ୍ରକୃତ କଥା ଜଣାପଡ଼ିବ ବୋଲି ଗ୍ରାମବାସୀଙ୍କ ଠାରୁ ପ୍ରକାଶ।

Related posts